ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷଣକୁ ନେଇ ଏବେ ଚର୍ଚ୍ଚା
'ବନ୍ଦେ ଭାରତ’ ଏକ୍ସପ୍ରେସ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷଣକୁ ନେଇ ଏବେ ଚର୍ଚ୍ଚା। ଇସାରା ଇସାରାରେ ନବୀନ ଦେଲେ ଅନେକ କିଛି ସଙ୍କେତ। ରେଳପ୍ରକଳ୍ପ ନେଇ ଦାବି ତ କଲେ, ତା’ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା ସହ ଆସନ୍ତା ୩/୪ ବର୍ଷ ପରେ ମୋଦି ହିଁ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ଲୋକାର୍ପଣ କରିବେ ବୋଲି କହିଥିଲେ। ଅର୍ଥାତ, ୨୦୨୪ରେ ମୋଦି ହିଁ ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିବେ, ତାହା ପରୋକ୍ଷରେ କହିଦେଲେ ନବୀନ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ନବୀନ ଦେଲେ ଭାଷଣ...ରାଜନୀତିରେ ହେଲା ଚର୍ଚ୍ଚା...କ’ଣ ଇସାରା କରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ୨୦୨୪ରେ ପୁଣି ଥରେ ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ଆକଳନ କରୁଛନ୍ତି କି ନବୀନ ? କାରଣ ବନ୍ଦେ ଭାରତ ଲୋକାର୍ପଣ ଉତ୍ସବବେଳେ ଭିଡ଼ିଓ କନଫରେନସିଂ ଜରିଆରେ ଅଭିଭାଷଣ ରଖି ନବୀନ କହିଛନ୍ତି, ନିକଟରେ ଦିଲ୍ଲୀ ଗସ୍ତବେଳେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ପୁରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।
ନବୀନ କହିଛନ୍ତି, ଏହି ଏୟାରପୋର୍ଟ କାମ ଆଗାମୀ ୩ରୁ ୪ ବର୍ଷ ଭିତରେ ସରିବ। ନିଜେ ପ୍ରଧାନମନ୍ତ୍ରୀ ପୁରୀ ଆସି ଏହି ଏୟାରପୋର୍ଟର ଲୋକାର୍ପଣ କରିବେ। ଅର୍ଥାତ ୨୦୨୭ କଥା କହୁଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୪ରେ ସାଧାରଣ ନିର୍ବାଚନ ପରେ ମୋଦି ହିଁ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନାକୁ ଦେଖି ଏଭଳି କିଛି ଆକଳନ କରିଛନ୍ତି। କେବଳ ଏତିକି ନୁହେଁ, ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମସ୍ତ ପ୍ରସ୍ତାବକୁ ଆମେ କାର୍ଯ୍ୟକାରୀ କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ, ବିଜେଡି ବି ଆଉ ଥରେ ସରକାର ଗଢ଼ିବା ପାଇଁ ଭାଷଣ ମାଧ୍ୟମରେ ସଙ୍କେତ ଦେଉଛନ୍ତି କି ନବୀନ ?
ବନ୍ଦେ ଭାରତ ଏକ୍ସପ୍ରେସ ଲୋକାର୍ପଣ ବେଳେ ନବୀନ ଆହୁରି କହିଥିଲେ, ବୁଲେଟ ଟ୍ରେନର ସ୍ବପ୍ନ ମଧ୍ୟ ବାସ୍ତବ ରୂପ ନେବ। ମୁଁ ନିଶ୍ଚିତ, ମୋଦିଙ୍କ ନେତୃତ୍ବରେ ଆମେ ବୁଲେଟ୍ ଟ୍ରେନ୍ ପାଇବୁ। ଏଭଳି ପ୍ରଶଂସା ପରେ ପରେ ମୋଦି ମଧ୍ୟ ନବୀନଙ୍କୁ ନିଜର ଅଭିଭାଷଣବେଳେ ମିତ୍ର ବୋଲି ସମ୍ବୋଧନ କରିଥିଲେ। ୨୦୧୯ ପରଠୁ ସବୁଠି ଚର୍ଚ୍ଚା ବିଜେପି-ବିଜେଡିର ମଧୁର ସଂପର୍କ। ଯଦିଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମଦୂରତା କଥା କହୁଛନ୍ତି, କିନ୍ତୁ ବିଭିନ୍ନ ସମୟରେ କେନ୍ଦ୍ର
ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଲକୁ ସମର୍ଥନ କରୁଛନ୍ତି। ଏପରିକି ନରେନ୍ଦ୍ର ମୋଦିଙ୍କ ବିରୋଧରେ ପଦୁଟିଏ ବି ବିଜେଡି କହୁନି।
ଦେଶରେ ବିଜେପି ବିରୋଧରେ ହେଉଥିବା ସାମ୍ମୁଖ୍ୟକୁ ବି ନା କହୁଛି ବିଜେଡି। ତେଣୁ ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ୨୦୨୪ ନିର୍ବାଚନ ପୂର୍ବରୁ ନୂଆ ସମୀକରଣ ହେଉଛି କି ? କିଛିଦିନ ତଳେ ଦିଲ୍ଲୀରେ ମୋଦି-ନବୀନ ଭେଟଘାଟ ଏବଂ ଆଜିର ପ୍ରଶଂସାର ପର୍ବ ପରେ ଉଭୟ ଦଳର ସଂପର୍କ ନୂଆ ରାଜନୈତିକ ଦିଗ ଆଡ଼କୁ ଯାଉଛି କି ?
ୟୁପିଏ ହେଉ କି ଏନଡିଏ। ଦିଲ୍ଲୀରେ ଯିଏ କ୍ଷମତାରେ ଥିବେ, ସମଦୂରତା କଥା କହି ତାଙ୍କ ଆଡ଼କୁ ଢଳିଥାଏ ବିଜେଡି। ତେବେ ଦଳର ଏହି ସମଦୂରତା ଫର୍ମୁଲା ଆଗକୁ ପରିବର୍ତ୍ତିନ ହୋଇ ମିତ୍ରତାରେ ପରିଣତ ହେବନି ତ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684425745.jpg)