• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ମମିତା ହତ୍ୟା ମାମଲାରେ ମୁହଁ ଖୋଲିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏକ ପ୍ରେସ୍‌ ବିବୃତ୍ତି ଜରିଆରେ ସେ ନିଜର ମତ ରଖିଛନ୍ତି । ପ୍ରଥମେ ତ ସେ ମମିତାଙ୍କ ମୃତ୍ୟୁ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ମମିତାଙ୍କ ପରିବାର ପ୍ରତି ତାଙ୍କର ଗଭୀର ସମବେଦନା ଜଣାଇଛନ୍ତି ।

ତେବେ ଅନେକ ତମ୍ବିତୋଫାନ୍ ପରେ ପ୍ରଥମ ଥର ପାଇଁ ଆଜି ସନ୍ଧ୍ୟାରେ ଏଭଳି ଏକ ପ୍ରେସ୍‌ ବିବୃତ୍ତି ଜାରି କରିଛନ୍ତି ଦିବ୍ୟଶଙ୍କର । ମମିତାଙ୍କ ମୃତ୍ୟୁର ପ୍ରାୟ ୨୧  ଦିନ ପରେ ଏହି ବିବୃତ୍ତି ଜାରି କରିଛନ୍ତି । ସାରା ରାଜ୍ୟରେ ବିରୋଧୀ ବିଜେପି ଓ କଂଗ୍ରେସ ହଲ୍ଲାବୋଲ ଡାକରା ଦେଇଥିବା ବେଳେ ଖୋଦ୍‌ ଗୃହରାଷ୍ଟ୍ରମନ୍ତ୍ରୀ ଚୁପ୍‌ ଥିଲେ । ହତ୍ୟା ମାମଲାର ୨୧ ଦିନ ପରେ ଆଜି ମୁହଁ ଖୋଲିଛନ୍ତି । ତାହାପୁଣି କେବଳ ଏକ ପ୍ରେସ୍‌ ବିବୃତ୍ତି ଜରିଆରେ ।

ସେଥିରେ ସେ କହିଛନ୍ତି ମମିତାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ‘ମୁଁ ଗଭୀର ମର୍ମାହତ । ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ଆଇନ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ ।’ ଏହାପରେ ସେ କହିଛନ୍ତି, ‘ମିଥ୍ୟା ଆଧାରରେ କିଛି ଗଣମାଧ୍ୟମ ମୋର ଓ ମୋ ପରିବାର ଚରିତ୍ର ସଂହାର କରିଛନ୍ତି । ତେଣୁ ତାଙ୍କ ପରିବାର ପକ୍ଷରୁ ସେମାନଙ୍କ ନାଁରେ ମାନହାନୀ ମୋକଦ୍ଦମା କରାଯାଇଛି । ସେହି ଗଣମାଧ୍ୟମ ଗୁଡ଼ିକ ମଧ୍ୟରୁ ଓଟିଭି, ଓଡ଼ିଶା ରିପୋର୍ଟର ଅନ୍ୟତମ ।’

ସେପଟେ ମହାଲିଙ୍ଗ କଲେଜ କାର୍ଯ୍ୟକ୍ରମରେ ଯୋଗଦେବା ସଂପର୍କରେ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେ ଲେଖିଛନ୍ତି ଜନ ପ୍ରତିନିଧିମାନେ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତି । ଏହା କୌଣସି ନୂଆ କଥା ନୁହେଁ । ମୁଁ ଯଦି ଏପରି କୌଣସି ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗଦେଇଥାଏ । ଆଉ ପରେ ସେଠି କିଛି ଅପରାଧ ଘଟେ, ସେଥିପାଇଁ ମୋତେ ଦାୟୀ କରାଯାଇପାରିବ ନାହିଁ’ ବୋଲି ସିଧାସଳଖ କହିଛନ୍ତି ।’

ସେ ଆହୁରି ମଧ୍ୟ କହିଛନ୍ତି, ଯଦି ମୋ ବିରୋଧରେ କିଛି ପ୍ରମାଣ ରହିଛି ତେବେ ପୋଲିସ କିମ୍ବା କୋର୍ଟକୁ ଦିଅନ୍ତୁ । ବାୟୁସେନାର ଆଦର୍ଶ ନେଇ ମୁଁ ରାଜନୀତିକୁ ଆସିଛି । ମୁଁ ପଛେ କ୍ଷତିଗ୍ରସ୍ତ ହେବି, ଜଣେ ହେଲେ ବ୍ୟକ୍ତିକୁ ଦୁଃଖ ଭୋଗିବାକୁ ଦେବିନି ।