• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ଏବେ ବେଶ୍ ସରଗରମ ଧାମନଗର ରାଜନୀତି । ଅନେକ ସ୍ଥାନରେ ସେମାନେ ଖୋଲାଖୋଲି ଟଙ୍କା ବାଣ୍ଟୁଥିବାର ଗୁରୁତର ଅଭିଯୋଗ ଆସିଛି, ଏପରିକି ଭିଡିଓ ଭାଇରାଲ୍ ହେଉଛି । ସେହିପରି ପ୍ରଚାରରେ ମଧ୍ୟ ମାତିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ତେବେ ଆଉ କିଛି ସ୍ଥାନରେ ସ୍ୱୟଂ ସହାୟିକାମାନଙ୍କ ସହିତ ଦଳୀୟ ଭିତ୍ତିରେ ପାତର ଅନ୍ତର କରାଯାଉଥିବା ଅଭିଯୋଗ ଆସିଛି । ସେପଟେ ସଶକ୍ତୀକରଣ ନାଁରେ SHG ସଦସ୍ୟାମାନଙ୍କୁ ବିଜେଡି ବ୍ୟବହାର କରୁଥିବା ବିଜେପି ଅଭିଯୋଗ କରିଛି । କଂଗ୍ରେସ୍ ବି ଏହି ପ୍ରସଙ୍ଗକୁ ନେଇ କଡ଼ା ସମାଲୋଚନା କରିଛି ।

ପ୍ରଥମେ ଭାଇରାଲ୍ ହେଲା ସ୍ୱୟଂ ସହାୟକ ସଦସ୍ୟାଙ୍କ ଦ୍ୱାରା ଟଙ୍କା ବଣ୍ଟା ଭିଡିଓ । ଏପରିକି ସ୍ଥାନୀୟ ଲୋକେ ସଂପୃକ୍ତ ମହିଳାଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ । ଏବେ ଆଉ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ସେଥିରେ ଜଣେ ଏସ୍‌ଏଚ୍‌ଜି ମହିଲା କୁହୁଛନ୍ତି ଭୋଟ୍ ଦେବା ପାଇଁ ନବୀନ ବାବୁ ଟଙ୍କା ପଠେଇଛନ୍ତି । ଧାମନଗର ବ୍ଳକ୍ ରାଧାବଲ୍ଲଭପୁର ଓ କୋଠାର ପଂଚାୟତରୁ ବି ଆସିଛି ଏଭଳି ଏକାଧିକ ଭାଇରାଲ୍ ଭିଡିଓ । ଗୋଟିଏ କି ଦୁଇଟି ଭିଡିଓ ନୁହେଁ ପୁରା ଧାମନଗର ନିର୍ବାଚନ ମଣ୍ଡଳୀରେ ଏଭଳି ମାଳ ମାଳ ଭାଇରାଲ୍ ଭିଡିଓ ବୁଲୁଥିବା ଦେଖିବାକୁ ମିଳିଛି ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଉପନିର୍ବାଚନରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପୂରା ସକ୍ରିୟ ଅଛନ୍ତି । ପ୍ରଚାରରେ ମାତିବା ସହ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ବାଣ୍ଟୁଥିବା ବି ଅଭିଯୋଗ ହୋଇଛି । ସେପଟେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଭିତରେ ବିବାଦ ସୃଷ୍ଟି କରାଯାଉଥିବା ଅଭିଯୋଗ ହୋଇଛି । ଯେମିତି ସାହସପୁର ପଂଚାୟତର ଜଗନ୍ନାଥ ସାହିରେ ଥିବା ମା ବୀଣାପାଣି ଗ୍ରୁପ୍ । ଏହି ଗ୍ରୁପର ଅଭିଯୋଗ ହେଲା, ପ୍ରତି ଗ୍ରୁପ୍‌କୁ ୪ ହଜାର ଟଙ୍କା ଲେଖାଏଁ ଦିଆଯାଉଛି କିନ୍ତୁ ବିଜେପିକୁ ସମର୍ଥନ କରୁଥିବାରୁ ସେମାନଙ୍କ ଗ୍ରୁପ୍‌କୁ ଟଙ୍କା ମିଳିନାହିଁ । ସେହିପରି SHG ସଦସ୍ୟ ପିଛା ୫୦୦ ଟଙ୍କା ଦିଆଯାଉଥିବା ବେଳେ, ଏହା ସମସ୍ତଙ୍କୁ ଦିଆନଯାଇ ଦଳୀୟ ଭିତ୍ତିରେ ବଣ୍ଟା ଯାଉଥିବା ଅଭିଯୋଗ ଆସିଛି ।

ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ବେଳେ ଅବନ୍ତୀ ଦାସଙ୍କୁ ବାଛି ପ୍ରଥମେ SHG କାର୍ଡ ଖେଳିଥିଲା ବିଜେଡି । ଚର୍ଚ୍ଚା ହେଉଛି ପଂଚାୟତ ସ୍ତରରେ ବିଜେଡି ନିଜ ଦଳର ନେତା ଓ କର୍ମୀଙ୍କ ଉପରେ ଯେତିକି ଭରସା କରୁନି, ତାଠାରୁ ଅଧିକ ଭରସା କରୁଛି ସ୍ୱୟଂ ସହାୟକ ଗୋଷ୍ଠୀ ଉପରେ । ଗାଁ ଗାଁରେ SHG ରହିଛି ଓ ସେମାନଙ୍କୁ ମାଧ୍ୟମ କରି ଭୋଟ୍ ଗୋଟାଇବାକୁ ବିଜେଡି ଉଦ୍ୟମ କରୁଥିବା କୁହାଯାଉଛି । ତେବେ ପୂର୍ବ ନିର୍ବାଚନଗୁଡ଼ିକ ଅପେକ୍ଷା ଏହି ଉପନିର୍ବାଚନରେ ସ୍ୱୟଂ ସହାୟିକାମାନେ ଖୋଲାଖୋଲି ସଂଶ୍ଳିଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ଆଉ ସେଥିପାଇଁ ମାଳ ମାଳ ଭିଡିଓ ବି ଭାଇରାଲ୍ ହେଉଛି । ଯାହାକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ତେବେ ଭୋଟ୍ ଉପରେ SHG ମାନଙ୍କ କଣ ପ୍ରଭାବ ପଡ଼ିବ, ତା ଉପରେ ସମସ୍ତଙ୍କ ନଜର ।