• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହାତରେ ଆଉ ମାତ୍ର ୪୮ ଘଣ୍ଟା । ଧାମନଗର ଦଖଲ ପାଇଁ ଚାଲିଛି ଜୋରଦାର ପ୍ରଚାର । ସବୁ ଦଳର ଆଗ ଧାଡିର ନେତା ଧାମନଗରରେ ଡେରା ପକାଇବା ସହ ଡୋର ଟୁ ଡୋର କ୍ୟାମ୍ପେନିଂ କରୁୁଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ ଜରିଆରେ ପ୍ରଚାର କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଧୂଷୁରୀ ପଞ୍ଚାୟତ ଓ ରାଜ୍ୟ ସଭାପତି ସମୀର ମହାନ୍ତି ଧାମନଗର ଏନଏସିରେ ଲୋକଙ୍କ ଗହଣରେ ରହି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ଶୁଣାଇଥିଲେ ।

ଏପଟେ ଆଜି ବିଜେଡି ପାଇଁ ପ୍ରଚାର ମଙ୍ଗ ଧରିଥିଲେ ଦଳୀୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର । ତିହିଡିର ବିଭିନ୍ନ ପଞ୍ଚାୟତରେ ସାଧାରଣ ସଭା ଓ ରାଲି କରି ଦଳୀୟ ପ୍ରାର୍ଥୀ ଅବନ୍ତୀଙ୍କ ପାଇଁ ଭୋଟ ମାଗିଛନ୍ତି ଦେବୀ ମିଶ୍ର । ବିଜେଡିର ଅନ୍ୟ ପ୍ରମୁଖ ନେତାମାନେ ମଧ୍ୟ ଘରକୁ ଘର ବୁଲି ଭୋଟରଙ୍କ ମନ ଜିତିବାକୁ ଉଦ୍ୟମ କରିଛନ୍ତି । କଂଗ୍ରେସ ଉପସଭାପତି ଚିରଞ୍ଜୀବ ବିଶ୍ୱାଳ ଓ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଆଜି ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଦୋବଲରେ ରୋଡ ସୋ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ।

ପ୍ରଚାର ବେଳେ ଭୋଟରଙ୍କୁ ଗୋଲାପୀ ସ୍ୱପ୍ନ ଦେଖାଉଛନ୍ତି ନେତା । ହେଲେ ଆଉ ପ୍ରତିଶ୍ରୁତି ଭେଳିକିରେ ଢଳିବେ ନାହିଁ ବୋଲି ସ୍ପଟ କହିଛନ୍ତି ଜନତା । ଭୋଟରଙ୍କ ମୁଡ୍ ପରଖିବା ଲାଗି ଆମେ ପହଞ୍ଚିଥିଲୁ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ କାଁପଡ଼ା ପଞ୍ଚାୟତରେ । ଏଠି ସରକାରଙ୍କ ବିରୁଦ୍ଧରେ ଲୋକଙ୍କର ଅଭିଯୋଗର ଲମ୍ବା ଲାଇନ୍ । ନଈ ବଢି ଦୁଃଖ, ଜମିକୁ ପାଣି ନମିଳିବା, ପକ୍କା ଘର ବଣ୍ଟନରେ ହେରଫେର, ଏମିତିକି ବାର୍ଦ୍ଧକ୍ୟ ଭତ୍ତା ବି ଠିକ୍‌ରେ ମିଳୁନଥିବା କହିଛନ୍ତି ସ୍ଥାନୀୟ ଭୋଟର । ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାସ ମଧ୍ୟ କାଁପଡ଼ା ପଞ୍ଚାୟତର ହୋଇଥିବାରୁ ତାଙ୍କୁ ଏଠି ଫାଇଦା ମିଳିବ ବୋଲି କୁହାଯାଉଛି ।

ସ୍ଥାନୀୟ ସମସ୍ୟା ଧାମନଗର ଉପ-ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ଅସନ୍ତୁଷ୍ଟ ଭୋଟରଙ୍କୁ ମନାଇ କେଉଁ ଦଳ ସେମାନଙ୍କ ସମର୍ଥନ ହାସଲ କରୁଛି ତାହା ଫଳାଫଳରୁ ହିଁ ସ୍ପଷ୍ଟ ହେବ ।