• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯୋଦ୍ଧା ଚୂଡ଼ାନ୍ତ ହେବା ପରେ ଧାମନଗର ଯୁଦ୍ଧ ପାଇଁ ଆରମ୍ଭ ହେଲା ପ୍ରଚାର । ମୈଦାନକୁ ଓହ୍ଲାଇଲେ ସବୁ ପ୍ରାର୍ଥୀ । ତିହିଡି ବ୍ଲକରେ ସୂର୍ଯ୍ୟବଂଶୀ ସୂରଜ ଓ ରାଜେନ୍ଦ୍ର ଦାସ ପ୍ରଚାର କରିଥିବା ବେଳେ ଧାମନଗରରେ କ୍ୟାଂପେନ୍ କରିଛନ୍ତି ଅବନ୍ତୀ ଦାସ ଓ ହରେକୃଷ୍ଣ ସେଠୀ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ତିହିଡି ବ୍ଲକ୍ ବୋଡକ ପଂଚାୟତରେ ଆଜି ପ୍ରଚାର କରିଛନ୍ତି । ସାଙ୍ଗରେ କୌଣସି ହେଭିୱେଟ୍ ନେତା ନଥିଲେ ବି ବିଜେପି କର୍ମୀ ଓ ମହିଳାମାନେ ତାଙ୍କ ସହ ବୁଲୁଛନ୍ତି । ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ଫଟୋକୁ ଆଗରେ ରଖି, ତାଙ୍କ ବିକାଶମୂଳକ କାର୍ଯ୍ୟ ଓ ସ୍ୱପ୍ନ କଥା କହି ଭୋଟ୍ ମାଗୁଛନ୍ତି ସୂର୍ଯ୍ୟବଂଶୀ ।

ସେଇ ତିହିଡି ବ୍ଲକର ଦୋଳସାହିରେ ପ୍ରଚାର କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ । ତାଙ୍କୁ ମିଳିଛି ନୌକା ଚିହ୍ନ । ବିଜେଡିରୁ ବିଦ୍ରୋହ କରିବା ପରେ ନିର୍ବାଚନ ବୈତରଣୀକୁ ନୌକାରେ କେମିତି ପାର ହେବେ ସେଥିପାଇଁ ପୁରା ଦମ୍‌ରେ ଲାଗିପଡ଼ିଛନ୍ତି । ହାତରେ ନୌକା ଚିହ୍ନ ଥିବା ପ୍ଳା-କାର୍ଡ, ଆଉ ପ୍ଲା-କାର୍ଡର ରଙ୍ଗ ବିଜେଡି ରଂଗ ଭଳି ପୁରା ସବୁଜ । ବିଜେଡିର ପୋଷ୍ଟର-ବ୍ୟାନର ଯେମିତି, ରାଜୁଙ୍କ ପୋଷ୍ଟର ବି ଠିକ୍ ସେମିତି ।

ସେପଟେ ଧାମନଗର ବ୍ଲକର ବିଭିନ୍ନ ପଂଚାୟତରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ରୋଡ୍ ସୋ ଓ ବାଇକ୍ ରାଲି କରିଛନ୍ତି । ଦଳୀୟ ସାଂସଦ ମଂଜୁଲତା ମଣ୍ଡଳ, ମୁନ୍ନା ଖାଁ, ସୁଲତା ଦେଓ, ମନ୍ତ୍ରୀ ପ୍ରୀତିରଂଜନ ଘଡେଇ ପ୍ରମୁଖ ପ୍ରଚାର ମଙ୍ଗ ଧରିଛନ୍ତି । ସେହି ଧାମନଗରରେ ଭୋଟ୍ ଭିକ୍ଷା କରିଛନ୍ତି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ । ବିନା ପୁସିଂ କାର୍ଡ, ବିନା ପୋଷ୍ଠର, ବ୍ୟାନରରେ ନିଜର କିଛି ହାତ ଗଣତି ସମର୍ଥକଙ୍କୁ ନେଇ ପ୍ରଚାର କରୁଛନ୍ତି ହରେକୃଷ୍ଣ ।

ସେପଟେ ଏହି ବାଇଲେକ୍ସନରେ ଫୋକସରେ ରହିଛି ତିହିଡି ବ୍ଲକ୍ । କାହିଁକି ନା ଏହି ବ୍ଲକ୍‌ରୁ ହିଁ ଆସୁଛନ୍ତି ସୂର୍ଯ୍ୟବଂଶୀ ସୂରଜ, ରାଜେନ୍ଦ୍ର ଦାସ ଓ ଅବନ୍ତୀ ଦାସ । ସେମାନଙ୍କ ମଧ୍ୟରୁ ପୁଣି ଗୋଟିଏ ପଂଚାୟତ କାଁ ପଡ଼ାରେ ରାଜେନ୍ଦ୍ର ଦାସ ଓ ତଳ କାଁ ପଡ଼ାରେ ଅବନ୍ତୀ ଦାସଙ୍କ ଘର । ଅନ୍ୟପକ୍ଷରେ ଏହି ବ୍ଳକ୍‌ର ମଙ୍ଗରାଜପୁର ଗାଁ ପୁଅ ସୂରଜ ମଧ୍ୟ ଲଢେଇ କରୁଛନ୍ତି ।

୨୦୧୯ ନିର୍ବାଚନରେ ତିହିଡି ବ୍ଲକ୍‌ରେ ମାତ୍ର ୨୨ଟି ଭୋଟ୍ ଲିଡ୍ ନେଇଥିଲା ବିଜେପି । ଅର୍ଥାତ ବିଜେଡି-ବିଜେପି ମଧ୍ୟରେ ଏଠାରେ କାଣ୍ଟେକା ଟକ୍କର । ତେବେ ପଂଚାୟତ ନିର୍ବାଚନ ବେଳେ ବ୍ଲକ ଅଧ୍ୟକ୍ଷ ଓ ୨ ଜିଲ୍ଲା ପରିଷଦ ଜୋନ୍ ହାତେଇଥିଲା ବିଜେଡି । ଅନ୍ୟପକ୍ଷରେ ଏଠାରେ ରାଜେନ୍ଦ୍ର ଦାସଙ୍କ ସଙ୍ଗଠନ ବେଶ୍ ସୁଦୃଢ଼ । ତେଣୁ ଏହି ବ୍ଲକ୍‌ରେ ଭୋଟ୍ ବିଭାଜନ ହେବା ସମ୍ଭାବନା ଯଥେଷ୍ଟ ଅଧିକ । ଆଗକୁ ପ୍ରଚାର ଆହୁରି ଜମିବ । ଦଳର ହେଭିୱେଟ୍ ନେତାମାନେ ମୈଦାନକୁ ଓହ୍ଲାଇବା ପରେ କାହାର ପଲ୍ଲା ଭାରି ଜଣାପଡିବ ।