• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୂର୍ଯ୍ୟବଂଶୀ ସୂରଜ ହେଲେ ବିଜେପିର ଧାମନଗର ଯୋଦ୍ଧା । ନାଁରେ ମୋହର ମାରିଲା ଦଳ । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଧାମନଗର ଉପନିର୍ବାଚନ ପାଇଁ ହୋଇଛନ୍ତି ବିଜେପି ପ୍ରାର୍ଥୀ । ଏନେଇ ଆଜି କେନ୍ଦ୍ରୀୟ ବିଜେପି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଏହା ପୂର୍ବରୁ ହିଁ ସୂର୍ଯ୍ୟବଂଶୀ ଧାମନଗରରେ ନିଜ କ୍ୟାଂପେନ୍ ଆରମ୍ଭ କରିସାରିଛନ୍ତି । ବିଜେପି ଟିମ୍ ବୈଠକ କରି ନିର୍ବାଚନ ରଣନୀତି ପ୍ରସ୍ତୁତ କରିଛି । ଏବେ ଦଳ ପ୍ରଚାର ଜୋରସୋରେ କରିବା ପାଇଁ ପ୍ରସ୍ତୁତ ହୋଇଛି ।

ସେପଟେ ବିଜେଡି ଘନ ଘନ ସଭା କରୁଥିଲେ ମଧ୍ୟ ଦଳରେ ବଢୁଥିବା ଗୋଷ୍ଠୀ କନ୍ଦଳ ପାଇଁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବା କୁହଯାଉଛି । ତେଣେ କଂଗ୍ରେସ କ୍ଷେତ୍ର ପରିଦର୍ଶନ କରି କାହାକୁ ପ୍ରାର୍ଥୀ କରାଯିବ ସେନେଇ ରିପୋର୍ଟ ପ୍ରସ୍ତୁତ କରିଛି । ଆସନ୍ତାକାଲି ପିସିସି ସଭାପତି ଓ ଗଠିତ କମିଟି ମଧ୍ୟରେ ବୈଠକ ହେବ । ତାପରେ ପ୍ରାର୍ଥୀ ଘୋଷଣା ହେବ ବୋଲି ସୂଚନା ରହିଛି । 

ସେପଟେ ବିଜେଡି ଓ କଂଗ୍ରେସ୍ ଏଯାଏଁ ପ୍ରାର୍ଥୀ ଘୋଷଣା କରିନଥିଲେ ବି ଚୂଡ଼ାନ୍ତ ହୋଇସାରିଛି ସବୁ ଦଳର ରଣନୀତି । କିଏ କେଉଁ ପଂଚାୟତ ଜଗିବ, କେଉଁ କେଉଁ ନେତା ପ୍ରଚାର କରିବେ, ସମନ୍ୱୟ ଦାୟିତ୍ୱରେ କିଏ ରହିବେ । ସେନେଇ ଅଙ୍କକଷା ସରିଛି । ଏସବୁ ଭିତରେ ଫୋକସ୍‌ରେ ରହିଛି ସଂଖ୍ୟାଲଘୁ ଭୋଟ୍ । ନିର୍ବାଚନ ମଣ୍ଡଳୀରେ ୨୦ରୁ ୨୫ ପ୍ରତିଶତ ସଂଖ୍ୟାଲଘୁ ଭୋଟର୍ ।

ତେଣୁ ବିଜେଡି ଆଜି ସଂଖ୍ୟାଲଘୁ କାର୍ଡ ଖେଳି ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀରେ ଆୟୋଜନ କରିଛି ସମାବେଶ । ଏହି ଅବସରରେ ଷେଣ୍ଢପୁରରୁ ଏକ ବାଇକ୍ ଶୋଭାଯାତ୍ରା ବାହାରି ଦୋବଲରେ ପହଞ୍ଚିଥିଲା, ସେଠାରେ ଅନୁଷ୍ଠିତ ସଭାରେ ବିଜେଡିର ହେଭିୱେଟ୍ ନେତାମାନେ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ବଖାଣିଥିଲେ । ଏଠାରେ ବିଜେଡି ଟିକଟ୍ ଆଶାୟୀ ରାଜେନ୍ଦ୍ର ଦାସ ଓ ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟପଟେ ବିଜେଡି ପକ୍ଷରୁ ଲୁଣିଆଠାରେ ମଧ୍ୟ ପଦଯାତ୍ରା ଆୟୋଜନା କରାଯାଇଥିଲା । ସେପଟେ ବିଜେପି କହିଛି ସଂଖ୍ୟାଲଘୁ ସଂପ୍ରଦାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରହିଛନ୍ତି ।

୨୦୨୪ ପୂର୍ବରୁ ଧାମନଗର ଉପନିର୍ବାଚନ ସବୁ ଦଳ ପାଇଁ ଏକ ପ୍ରକାର ଅଗ୍ନି ପରୀକ୍ଷା । କାହାର କେତେ ଦମ୍ ଅଛି ତାହା ଏହି ବାଇଇଲେକ୍ସନରୁ ଜଣାପଡ଼ିବ ବୋଲି କୁହାଯାଉଛି ।