Advertisment

ଧାମନଗର ଉପନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକାରେ କିଏ ପଶିଲେ, କିଏ ବାହାରିଲେ

ନିର୍ବାଚନ ପ୍ରଚାର ପାଇଁ ସଜ ହେଲେଣି ସବୁ ଦଳ। ଷ୍ଟାର ପ୍ରଚାରକମାନେ ବି ପ୍ରସ୍ତୁତ ହେଲେଣି। ବିଜେପି ତାର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିସାରିଲାଣି। ଏହି ତାଲିକାକୁ ନିର୍ବାଚନ କମିଶନଙ୍କ ପାଖକୁ ପଠାଯାଇଥିବା ଜଣାଯାଇଛି।

author-image
Minati Mishra
ଅଦ୍ୟତନ ହୋଇଛି
 star campaigners list for Dhamnagar by poll

star campaigners list for Dhamnagar by poll

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପରେ ଜୋର ଧରିଛି ରାଜନୀତି। ନିଜ ଆସନକୁ ହାତ ଛଡ଼ା ନ କରି ଦଳର ସମ୍ମାନ ରକ୍ଷା ପାଇଁ ବିଜେପି ଅଣ୍ଟା ଭିଡିଥିବାବେଳେ  ବିଜେପିଠାରୁ ଆସନ ଛଡ଼ାଇ ଆଣି ନିଜ ପତିଆରା ଦେଖାଇବାକୁ ବିଜେଡି ବି ଅଣ୍ଟା ଭିଡିଛି। ଇତି ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ବି ସରିଲାଣି। ନାମାଙ୍କନ ପତ୍ର ଦାଖଲ ପରେ ବିଜେଡି ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଥିବାବେଳେ ଏହା ବିଜେପିକୁ ଅଧିକ ଉତ୍ସାହିତ କରିଛି।

Advertisment

ଏପଟେ ନିର୍ବାଚନ ପ୍ରଚାର ପାଇଁ ସଜ ହେଲେଣି ସବୁ ଦଳ। ଷ୍ଟାର ପ୍ରଚାରକମାନେ ବି ପ୍ରସ୍ତୁତ ହେଲେଣି। ବିଜେପି ତାର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିସାରିଲାଣି। ଏହି ତାଲିକାକୁ ନିର୍ବାଚନ କମିଶନଙ୍କ ପାଖକୁ ପଠାଯାଇଥିବା ଜଣାଯାଇଛି। 

ବିଜେପିର ଏହି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକାରେ ଅଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି, ତିନି ଜଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ କ୍ଷେତ୍ର ପ୍ରଭାରୀ ସୁନୀଲ ବଂଶଲ, ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ବିଜୟପାଲ ସିଂହ ତୋମାର, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ସ୍ଥାନ ପାଇଛନ୍ତି।

Advertisment

ସେହିପରି ବିଜେଡି ପକ୍ଷରୁ  ମଧ୍ୟ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମନ୍ତ୍ରୀ ଓ ବିଧାୟକ
ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ସ୍ୱାଇଁ,  ପ୍ରଫୁଲ୍ଲ ମଲିକ, ପ୍ରମିଳା ମଲିକ, ପ୍ରତାପ କେଶରୀ ଦେବ ପ୍ରମୁଖ ସାମିଲ ଅଛନ୍ତି। ତେବେ  ତାଲିକାରୁ ବାଦ ପଡ଼ିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଏହା ବ୍ୟତୀତ  ସାଂସଦ ଅନୁଭବ ମହାନ୍ତି ମଧ୍ୟ ସବୁଥର ପରି ଏଥର ବାଦ ପଡ଼ିଛନ୍ତି। ତେବ ଏଥର  ପ୍ରଚାର ତାଲିକାରେ  ଅରିନ୍ଦମଙ୍କୁ ସାମିଲ କରାଯାଇଛି।

ଅନ୍ୟପକ୍ଷେ କଂଗ୍ରେସ ପକ୍ଷରୁ ପ୍ରକାଶିତ ଷ୍ଟାର କ୍ୟାମ୍ପେନର ତାଲିକାରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ବାଦ ପଡ଼ିଛି। ଦଳର ୩୦ ଜଣିଆ ତାଲିକାରେ ପ୍ରଭାରୀ ଚେଲା କୁମାର ଓ ସହପ୍ରଭାରୀ ରୁଦ୍ର ରାଜୁଙ୍କ ନାମ ଥିବାବେଳେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ୩ ପୂର୍ବତନ ପିସିସି ମୁଖ୍ୟ, ବିଧାୟକ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ
ବରିଷ୍ଠ ନେତା ଭକ୍ତ ଦାସ, ସାଂସଦ ସପ୍ତଗିରି ଉଲ୍ଲାକା, ଶରତ ରାଉତ ସାମିଲ ଅଛନ୍ତି। ସେହିପରି ସୁର, ତାରା, ସାଲୁଜାଙ୍କ ସମେତ ତାଲିକାରେ ୮ ବିଧାୟକଙ୍କ ନାଁ ବି ରହିଛି। 

ସୂଚନାଥାଉ କି, ଧାମନଗର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ରର ଯାଞ୍ଚ କରାଯିବ । ଗତକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସୁଦ୍ଧା ୬ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।  ୧୧ ତାରିଖ ଦିନ ବିଜେପି ପକ୍ଷରୁ ଦିବଂଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ନାମାଙ୍କନ ଦାଖଲ କରିଥିଲେ । ୧୩ ତାରିଖରେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ନାମାଙ୍କନ ଦାଖଲର ଶେଷ ଦିନରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ଓ ବିଦ୍ରୋହୀ ବିଜେଡି ନେତା ରାଜେନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ଏହାସହ ବିଷ୍ଣୁ ସେଠୀଙ୍କ ପୁତୁରା ଶୁଭନାରାୟଣ ସେଠୀ ଓ ପବିତ୍ରମୋହନ ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୭ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ତେବେ ବିଜେଡିର ବିଦ୍ରୋହୀ ଭାବେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ରଙ୍କ ଉପରେ ସମସ୍ତଙ୍କ ନଜର ରହୁଛି। ତେବେ ସେ ଦଳୀୟ ଚାପର ବଶବର୍ତ୍ତୀ ହୋଇ ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ କି ନାହିଁ ତାହା ୧୭ ତାରିଖ ସୁଦ୍ଧା ଜଣାପଡ଼ିବ। ହେଲେ ତାଙ୍କର ପ୍ରାର୍ଥିତ୍ୱକୁ ନେଇ ଏବେ ଧାମନଗର ରାଜନୀତି ରୋଚକ ସ୍ଥିତିରେ ପହଞ୍ଚିଛି। 

BJD BJP Star Campaigner List Dhamnagar Dhamnagar Bypoll
Advertisment
Advertisment