• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

 ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପିର ସୂର୍ଯ୍ୟବଂଶୀ ସୂରଜ । ଏହି ଅବସରରେ ଶକ୍ତି ପ୍ରଦର୍ଶନ କରିଛି ଦଳ । ବିଜେପିର ପୁରା ଟିମ୍ ଏଠାରେ ଏକାଠି ହୋଇ ଉପନିର୍ବାଚନକୁ ଦଳ ଜୋରଦାର ଢଙ୍ଗରେ ଲଢ଼ିବ ବୋଲି ସଙ୍କେତ ଦେଇଛି । ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ବିଜେପିର ଶକ୍ତି ପ୍ରଦର୍ଶନକୁ ପଦଯାତ୍ରା ମାଧ୍ୟମରେ କାଉଣ୍ଟର କରିବାକୁ ଉଦ୍ୟମ କରିଛି ।

ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ରଣକ୍ଷେତ୍ରକୁ ବିଦ୍ଧିବଦ୍ଧ ଭାବେ ଓହ୍ଲାଇଛନ୍ତି । ଆଜି ପ୍ରଥମେ ମଙ୍ଗରାଜପୁରସ୍ଥିତ ପୈତୃକ ଗାଁରେ ଦିବଂଗତ ବିଧାୟକ ତଥା ବାପା ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପରେ ଭଦ୍ରକ କୂଆଁସସ୍ଥିତ ବାସଭବନରେ ଆୟୋଜିତ ହୋଇଥିଲା ଶ୍ରଦ୍ଧାଞ୍ଜଳି ପର୍ବ । ଏଠାରୁ ନାମାଙ୍କନ ଭରିବା ପାଇଁ ବାହାରିବା ପୂର୍ବରୁ ମାଆଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ ସୂର୍ଯ୍ୟବଂଶୀ । ମାଆ ବି ଦହି ଖୁଆଇ ପୁଅର ବିଜୟ ଲାଗି ଶୁଭ ମନାସି ଥିଲେ ।

ପରେ ଦଳର ବରିଷ୍ଠ ନେତାମାନେ ମଧ୍ୟ ସୂରଜଙ୍କୁ ଆଶୀର୍ବାଦ ଦେଇଥିଲେ । ଦକ୍ଷିଣେଶ୍ୱରୀ କାଳୀ ମନ୍ଦିରକୁ ଯାଇ ମାଆଙ୍କ ଦର୍ଶନ ପରେ ଆରମ୍ଭ ହୋଇଥିଲା ଶୋଭାଯାତ୍ରା । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବରିଷ୍ଠ ନେତା ମନମୋହନ ସାମଲଙ୍କ ସମେତ ବିଜେପିର ଏକ ଜୁମ୍ବୋ ଟିମ୍ ଉପସ୍ଥିତି ରହି ଏଠାରେ ଶକ୍ତି ପ୍ରଦର୍ଶନ କରିଥିଲେ । ପରେ ଭଦ୍ରକସ୍ଥିତ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ସୂର୍ଯ୍ୟବଂଶୀ ।

ପ୍ରାର୍ଥିପତ୍ର ଦାଖଲ ପାଇଁ ହାତରେ ଆଉ ମାତ୍ର ତିନି ଦିନ ଥିବା ବେଳେ ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ହେଲେ ବିଜେପିର ଶକ୍ତି ପ୍ରଦର୍ଶନକୁ କାଉଣ୍ଟର କରିବାକୁ ତିହିଡି ବ୍ଲକ ଗୁଆମାଳ ପଂଚାୟତ ବିଶ୍ୱନାଥପୂରଠାରେ ପଦଯାତ୍ରା କରିଛି ବିଜେଡି । କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ଦଳର ଅନେକ ନେତା ଏଥିରେ ଯୋଗ ଦେଇଛନ୍ତି । ତେଣେ ଉପନିର୍ବାଚନରେ ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ସବୁ ରାଜନୈତିକ ଦଳ । ୨୦୧୯ରେ ଏଠାରେ ବିଜେପିକୁ ସଫଳତା ମିଳିଥିଲା । ଏବେ ଧାମନଗରବାସୀ କାହାକୁ ଆଶୀର୍ବାଦ ଦେଉଛନ୍ତି ତାହା ନିର୍ବାଚନ ସରିବା ପରେ ସ୍ପଷ୍ଟ ହେବ ।