• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡିରେ ବିଦ୍ରୋହର ନିଆଁ । ଧାମନଗରରେ ରାଜୁ ଦାସ ପୋତିଲେ ମଞ୍ଜି । ଆଗକୁ ଅନେକ ରାଜୁ ସୃଷ୍ଟି ହେବା ଆଶଙ୍କା । ବିଦ୍ରୋହର ବାରୁଦ ଗଦା ଉପରେ ବସିଥିବା ବିଜେଡିକୁ ଘାରଛି ଗୋଷ୍ଠୀ କନ୍ଦଳର ଭୟ । ପ୍ରଥମ ଥର ପାଇଁ ଧାମନଗର ଉପନିର୍ବାଚନରେ ବଡ଼ ଝଟ୍‌କା ଲାଗିବା ପରେ ଦଳରେ ଚାଲିଛି ମାନସମନ୍ଥନ । ବାଲେଶ୍ୱର ଉପନିର୍ବାଚନ ସମୟରେ ଯେକୌଣସି ମତେ ବିଜେଡି ମ୍ୟାନେଜ୍ କରିନେଇଥିଲା କିନ୍ତୁ ଧାମନଗରରେ ଫେଲ୍ ମାରିଲା ଫର୍ମୁଲା ।

ବାଲେଶ୍ୱର ସଦର ବାଇଇଲେକ୍ସନରେ ସ୍ୱରୁପ ଦାସ ପ୍ରାର୍ଥୀ ହେବା ପରେ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ଗୋଷ୍ଠୀ ବିଦ୍ରୋହ କରିଥିଲା । ହେଲେ ବୁଝାସୁଝା ପରେ ଶାନ୍ତ ପଡ଼ିଥିଲେ ରବୀନ୍ଦ୍ର । କିନ୍ତୁ ଧାମନଗରରେ ବୁଝାସୁଝା, ପ୍ରଲୋଭନ କି ଚାପ କୌଣସି ଫର୍ମୁଲା କାମ କଲାନି । ରାଜୁ ଦାସଙ୍କ ଟିକଟ୍ କାଟି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରାଗଲା । ସବୁକିଛି ଠିକ୍ ଅଛିର ବାର୍ତ୍ତା ଦେବାକୁ ରାଜୁଙ୍କ ମୁହଁରୁ ସମର୍ଥନ କଥା ବି କୁହାଗଲା । କିନ୍ତୁ ଫର୍ମୁଲା କାମ ଦେଲାନି ବରଂ ରାଜେନ୍ଦ୍ର ଦାସ ସ୍ୱାଧୀନ ଭାବେ ଲଢ଼ିବାକୁ ଘୋଷଣା କରିବା ସମସ୍ତଙ୍କୁ ଚକିତ କରିଥିଲା ।

ବିଜେଡି ପରି ଏକ ଶୃଙ୍ଖଳିତ ଦଳରେ ଅନ୍ତତଃ ବାଇଇଲେକ୍ସନରେ ଏଭଳି କେବେ ଦେଖିବାକୁ ମିଳିନଥିଲା । ଆଉ ଏଥିପାଇଁ ଭଦ୍ରକ ଜିଲ୍ଲାରେ ଥିବା ତୀବ୍ର ଗୋଷ୍ଠୀ କନ୍ଦଳକୁ ଦାୟୀ କରାଯାଉଛି । ଭଦ୍ରକ, ଧାମନଗର, ଚାନ୍ଦବାଲି, ବାସୁଦେବପୁରରେ ଚରମ ସୀମାରେ ବିଜେଡିର ଅନ୍ତକନ୍ଦଳ । କେବଳ ଭଦ୍ରକ ଜିଲ୍ଲା ନୁହେଁ ରାଜ୍ୟର ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ସ୍ଥିତି ଉଣା ଅଧିକେ ସମାନ । ବିଧାୟକ ପଦ ପାଇଁ ଏକାଧିକ ଆଶାୟୀ, ଆମଦାନୀ ନେତାଙ୍କୁ ଗୁରୁତ୍ୱ, ବରିଷ୍ଠକୁ ଉପେକ୍ଷା କରି କେବଳ ନିର୍ଦ୍ଦିଷ୍ଟ କୋଟେରୀକୁ ଗୁରୁତ୍ୱ ଦିଆଯାଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।

ତାଛଡ଼ା ବର୍ଷ ବର୍ଷ ଧରି ଦଳ ପାଇଁ କାମ କରିଥିବା ନେତାଙ୍କୁ ଅଣଦେଖା କରି ଯାହାକୁ ନାହିଁ ତାକୁ ଥୋପି ଦେବା ନେଇ ଅସନ୍ତୋଷ ସୃଷ୍ଟି ହେଉଛି । ଆଗକୁ ଏସବୁ ପ୍ରସଙ୍ଗକୁ ନେଇ ବିଦ୍ରୋହ ବଢ଼ିବ ବୋଲି ଆଶଙ୍କା କରାଯାଉଛି । ବିରୋଧୀ ଏଥିରୁ ଫାଇଦା ନେବା ଚକ୍କରରେ ରହିଥିବା ବେଳେ ବିଜେଡି କିନ୍ତୁ ଏହାକୁ ମାନିବାକୁ ନାରାଜ ।

ସେପଟେ ଧାମନଗର ଫଳାଫଳ ରାଜ୍ୟ ରାଜନୀତିରେ ନୂଆ ମୋଡ଼ ଆଡକୁ ଇସାରା କରୁଛି । କିଛି ନୂଆ ସମୀକରଣର ସଙ୍କେତ ବି ଦେଉଛି । ତେଣୁ ୨୦୨୪ ନିର୍ବାଚନ ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି । ଗୋଟିଏ ପଟେ ସରକାର ବିରୋଧୀ ହାଓ୍ୱା, ଅନ୍ୟପଟେ ଦଳରେ ବିଦ୍ରୋହ, ମହଙ୍ଗା ପଡିପାରେ । ଅନ୍ୟପକ୍ଷରେ ଧାମନଗର ଫଳାଫଳର ପ୍ରଭାବ ପଦ୍ମପୁର ଉପନିର୍ବାଚନ ଉପରେ ପଡିପାରେ । ଆଉ ସେଠାକାର ହାରଜିତ୍ ଓଡ଼ିଶା ରାଜନୀତିରେ ଟୁଇଷ୍ଟ ଆଣିପାରେ ବୋଲି ଚର୍ଚ୍ଚା ହେଉଛି ।