• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧାମନଗର ଉପନିର୍ବାଚନ ଟଙ୍କା ବଣ୍ଟାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଦୁଇ ଦଳ ଭିତରେ ଜୋର ଧରିଛି ଆରୋପ-ପ୍ରତ୍ୟାରୋପ । ଇସିଆଇ ପାଖରେ ବିଜେପିର ଅଭିଯୋଗ ପରେ ଧାଇଁଲା ବିଜେଡି । ଏସ୍ଏଚ୍‌ଜିଙ୍କ ଦ୍ୱାରା ଟଙ୍କା ବଣ୍ଟା, ବିଜେଡି କର୍ମୀ ସମ୍ମିଳନୀରେ କୋଟିଏ ଟଙ୍କାର ଅଫର । ଏହି ଦୁଇଟି ଭିଡିଓ ଭାଇରାଲ ପରେ ତେଜିଛି ଧାମନନଗର ଉପନିର୍ବାଚନ ଟଙ୍କା ବଣ୍ଟା ବିବାଦ ।

ବିଜେଡି ଦ୍ୱାରା ଟଙ୍କା ବଣ୍ଟାକୁ ନେଇ, ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲେ । ଏହାକୁ କାଉଣ୍ଟର ଲାଗି ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ବିଜେଡିର ଏକ ଟିମ୍ ନିର୍ବାଚନ କମିଶନରେ ବିଜେପି ନାଁରେ ଅଭିଯୋଗ ଦାଖଲ କରିଛି । ଟଙ୍କା ବଣ୍ଟା ଯିବାର ଫେକ୍ ଭିଡିଓ ପ୍ରସ୍ତୁତ କରି ବିଜେପି ସ୍ୱୟଂ ସହାୟକ ମହିଳାଙ୍କୁ ଅପମାନିତା କରିଥିବା ଅଭିଯୋଗରେ ଦର୍ଶାଇଛି ବିଜେଡି ।  ସେହିପରି ଅର୍ଥବଳ ପ୍ରୟୋଗ କରି ବିଜେପି ସ୍ଥାନୀୟ ପ୍ରଶାସନ ଉପରେ ଚାପ ସୃଷ୍ଟି କରୁଥିବା ଶାସକ ଦଳ ଅଭିଯୋଗରେ ଉଲ୍ଲେଖ କରିଛି ।

ଏପଟେ ବିଜେପି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ନାଁରେ ପୁଣି ଫେରାଦ ହୋଇଛି । ଧାମନଗର ପୋଲିସ ବିଜେପି କର୍ମୀଙ୍କୁ ହାରାସ୍ କରୁଥିବା ଦଳ ଅଭିଯୋଗ କରିଛି । ସେହିପରି ଦଳ ଭଦ୍ରକରେ ସାମ୍ବାଦିକ ସମ୍ମିଳନୀ କରି ଶାସକ ବିଜେଡି ଉପରେ ଖୁବ୍ ବର୍ଷିଛି । ଚାକିରି ଚାଲିଯିବାର ଭୟ ଦେଖାଇ ବିଜେଡି, ସରକାରୀ କର୍ମଚାରୀଙ୍କୁ ଟଙ୍କା ବାଣ୍ଟିବା କାମରେ ଲଗାଉଥିବାରୁ ଦଳ କ୍ଷମା ମାଗୁ ବୋଲି ଦାବି କରିଛି ବିଜେପି । ସ୍ୱୟଂ ସହାୟକ ମହିଳାଙ୍କୁ ବିଜେପି କେବେ ବି ଅପପାନ କରେ ନାହିଁ ବୋଲି ଦଳ କହିଛି । ଭଦ୍ରକର ପ୍ରସ୍ତାବିତ ମେଡିକାଲ କଲେଜକୁ ଯାଜପୁରକୁ ନେଇଯିବା, ଧାମନଗରରେ ହେଉଥିବା ବନ୍ୟା ପାଇଁ ଯାଜପୁର ବିଜେଡି ନେତାଙ୍କ ଷଡଯନ୍ତ୍ର ଓ ଭଦ୍ରକକୁ ରାଜ୍ୟ ସରକାରଙ୍କ ଅବହେଳା କଥା ବି ଉଠାଇଛି ଭାରତୀୟ ଜନତା ପାର୍ଟି ।

ଟଙ୍କା ବଣ୍ଟା ଓ ହାରାସମେଣ୍ଟ ନେଇ ବାରମ୍ବାର ଅଭିଯୋଗ ପରେ ଚାପରେ ରାଜ୍ୟମୁଖ୍ୟ ନିର୍ବାଚନ ଅଧିକାରୀ । ଆଗକୁ ଆଦର୍ଶ ଆଚରଣ ବିଧିକୁ କଠୋର କରାଯିବ ବୋଲି କହିଛନ୍ତି ସିଅଓ । ଭୋଟରକୁ ଲାଂଚ ଦେବା, ପ୍ରଲୋଭନ ଦେଖାଇବା ଓ ଧମକ ଦେବା ଦଣ୍ଡନୀୟ ଅପରାଧ । କୌଣସି ସ୍ଥାନରେ ଆଦର୍ଶ ଆଚରଣ ବିଧି ଉଲଂଘନ ହେଉଥିଲେ ଏହାର ଫଟୋ କିମ୍ବା ଭିଡିଓ ସି-ଭିଜିଲ୍ ଆପ୍‌ରେ ଅପ୍‌ଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି । ଅଭିଯୋଗ ପାଇବାର ଶହେ ମିନିଟ୍ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ଉପନିର୍ବାଚନ ଭୋଟ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ଜମିବାରେ ଲାଗିଛି । ସବୁ ଦଳର ହେଭିହେଟ୍ ପ୍ରଚାର ମଇଦାନକୁ ଓହ୍ଲାଇବା ସହ ଭୋଟରଙ୍କ ମନ ଜଣିବାକୁ ଉଦ୍ୟମ କରୁଛନ୍ତି । ତେବେ ଧାମନଗରର ଜନତା ଜନାର୍ଦ୍ଦନ କାହା ଉପରେ ସୁନା କଳସ ଢାଳୁଛନ୍ତି ତାକୁ ହିଁ ଅପେକ୍ଷା ।