/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667493287.jpg)
Dhamnagar Bypoll
ସରିଲା ଭୋଟ୍। ଏବେ ଆକଳନ କ୍ଳୋଜ୍ ଫାଇଟ୍ରେ କାହାର ହେବ ଜିତାପଟ? କାହିଁକି ନା ଏହି ରୋଚକ ଲଢ଼େଇ ଉପରେ ରହିଛି ସବୁ ଦଳର ଫୋକସ୍। ନିଜ ହାତରେ ଧାମନଗର ଥିବାରୁ ପୁଣିଥରେ ଏଠାରେ କେମିତି ପଦ୍ମ ଫୁଟିବ ସେଥିପାଇଁ ପୁରା ସାମର୍ଥ୍ୟର ସହ ଲଢ଼ିଛି ବିଜେପି। ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଖୋଦ୍ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଠାରେ ପହଞ୍ଚିଥିଲେ।
ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଥିବା ଅନୁକମ୍ପା, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଷ୍ଟ୍ରାଟେଜି, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଟିମ୍ ଦ୍ୱାରା ନିର୍ବାଚନ ପରିଚାଳନା, ଟଙ୍କା ବାଣ୍ଟୁଥିବା SHGଙ୍କ ମୁଖା ଖୋଲିବା, ଆଉ ବିଭିନ୍ନ ଅଭିଯୋଗ ନେଇ ବାରମ୍ବାର ଭଦ୍ରକ ପ୍ରଶାସନଠୁ ଆରମ୍ଭ କରି ସିଇଓ ଏପରିକି ଇସିଆଇଙ୍କ ପର୍ଯ୍ୟନ୍ତ ଯାଇଥିଲା ବିଜେପି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତିନି ତିନି ଥର ପ୍ରଚାର ମୈଦାନକୁ ଓଲ୍ଲାଇଥିଲେ। ଯଦି ବିଜେପି ବାଜି ମାରିବାରେ ସଫଳ ହୁଏ, ତେବେ ଶାସକ ଦଳର ଓ୍ୱିନିଂ ଟ୍ରେଣ୍ଡ ଭାଙ୍ଗିବ। ଆଉ ବାଲେଶ୍ୱର ଉପନିର୍ବାଚନର ବଦଲା ବି ହେବ। ଯାହାକି ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି କ୍ୟାଂପକୁ ବଳ ଦେବ ବୋଲି କୁହାଯାଉଛି। ଏବେ ନଜର ପକାନ୍ତୁ ବିଜେଡି ଉପରେ। ବାହାର ନେତାଙ୍କ ବଦଳରେ ପଡୋଶୀ ଯାଜପୁର, ଭଦ୍ରକ ଓ ବାଲେଶ୍ୱରିଆ ନେତାଙ୍କୁ ଦଳ ଏହି ନିର୍ବାଚନରେ ପ୍ରାଧାନ୍ୟ ଦେଇଥିଲା।
ସେହିଭଳି ସରକାରୀ କଳର ଅପବ୍ୟବହାର, SHGଙ୍କ ଖୋଲାଖୋଲି ଉପଯୋଗ ସହିତ ବ୍ୟାପକ ଟଙ୍କା ବଣ୍ଟା ଅଭିଯୋଗ ଦଳ ନାଁରେ ଆସିଛି। ଏହାକୁ ଛାଡ଼ି ଦେଲେ SHGକୁ ନେଇ ପ୍ରୟୋଗଶାଳା, ବିଦ୍ରୋହର ମୁକାବିଲା, ଯାଜପୁର ନେତାଙ୍କ ସମେତ ପାଓ୍ୱାରଫୁୂଲ୍ ଗୋଷ୍ଠୀ ଦମ୍ ମଧ୍ୟ ବାଜିରେ ଲାଗିଛି।
ଯଦି ବିଜେଡି ଜିତେ, ତେବେ ୨୪ର ପଥ ସହଜ ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ କଂଗ୍ରେସ୍ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍ ହେବ ୨୦୧୯ରେ ପାଇଥିବା ଭୋଟ୍ ବଜାୟ ରଖିବା। ତାଛଡ଼ା ବ୍ରଜରାଜନଗର ଉପନିର୍ବାଚନରେ ଦଳ ବିଜେପିକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ପାଇଥିବାରୁ ଏଠାରେ କଣ ପ୍ରଦର୍ଶନ ରହିବ ତା ଉପରେ ସମସ୍ତଙ୍କ ନଜର।
ଆଗକୁ ପଦ୍ମପୁର ଉପନିର୍ବାଚନ ତେଣୁ ଧାମନଗର ଫଳାଫଳର ପ୍ରଭାବ ପଦ୍ମପୁର ଉପରେ ପଡିବାର ସମ୍ଭାବନା ରହିଛି। ତାସହ ୨୪ ସାଧାରଣ ନିର୍ବାଚନ ପାଇଁ ଏହି ବାଇଇଲେକ୍ସନ ଅନେକ କିଛି ସଙ୍କେତ ଦେବ ବୋଲି ରାଜନୈତିକ ବିଶ୍ଳେଷକ କହିଛନ୍ତି। ଧାମନଗର ଫଳାଫଳ ଯାହା ହେଉନା କାହିଁକି ବିଜେଡିରେ ଯେ ବିଦ୍ରୋହର ନିଆଁ ଦିନକୁ ଦିନ ବଢୁଛି। ତାହା ଏହି ନିର୍ବାଚନରୁ ସ୍ପଷ୍ଟ ହୋଇଛି। ଉପନିର୍ବାଚନ ହୋଇଥିବାରୁ ସବୁ ଶକ୍ତି ଲଗାଇ ବିଜେଡି ଏକ ପ୍ରକାର ମ୍ୟାନେଜ୍ କରୁଛି ସତ, ହେଲେ ସାଧାରଣ ନିର୍ବାଚନରେ ରାଜେନ୍ଦ୍ରଙ୍କ ଭଳି ନେତା ଦଳ ପାଇଁ ଅଡୁଆ ହେବେ ବୋଲି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)