• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ୱାସ୍ଥ୍ୟ କ୍ଷେତ୍ରରେ ଅତୁଳନୀୟ ପରିବର୍ତ୍ତନ । କ’ଣ କରିଛନ୍ତି, ଆଗକୁ ଆହୁରି କ’ଣ ସବୁ କରିବେ । ନିଜ ଢୋଲ ନିଜେ ପିଟିବା ଭଳି ପୁଳା ପୁଳା ବିଜ୍ଞାପନରେ କୋଟି କୋଟି ଟଙ୍କା ବ୍ୟୟରେ ରାଜ୍ୟର ବିଭିନ୍ନ ପ୍ରମୁଖ ଖବର କାଗଜ ମାନଙ୍କରେ ନିଇତି BSKY ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ । ଆଜି ସ୍ୱାସ୍ଥ୍ୟ ସୂଚକାଙ୍କରେ ଅଗ୍ରଣୀ ବୋଲି ଦିଆଯାଇଛି ନୂଆ ବିଜ୍ଞାପନ । ଯେଉଁଥିରେ ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାରରେ ସର୍ବାଧିକ ହ୍ରାସ, ସର୍ବାଧିକ ଟିକାକରଣ କଭରେଜ୍ ଓ ଟିବି ହ୍ରାସରେ ଦ୍ୱିତୀୟ ରାଙ୍କ ଓଡ଼ିଶା ପାଇଥିବା କୁହାଯାଇଛି ।

ତାସହ ଆସନ୍ତା ୩ବର୍ଷରେ ୨୦ଟି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ସ୍ଥାପନ ଯୋଜନା, ଆମ ହସ୍ପିଟାଲ ଅଧିନରେ ମେଡିକାଲର ରୂପାନ୍ତିକରଣ ଓ କ୍ୟାନସର ଚିକିତ୍ସାରେ ଓଡ଼ିଶା ଦେଶର ପ୍ରମୁଖ କେନ୍ଦ୍ର ହେବ ବୋଲି ବି ଦର୍ଶାଯାଇଛି । ହେଲେ ବିଜ୍ଞାପନ ଓ ବାସ୍ତବତା କେତେ ତଫାତ। ଭାତହାଣ୍ଡିରୁ ଗୋଟିଏ ଚିପିଲା ପରି ରାଜ୍ୟରେ ସ୍ୱାସ୍ଥ୍ୟସେବାର ପୋଲ୍ ଖୋଲିଦେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ।

ବାହାରୁ ପୁରା ଚକାଚକ୍, ହେଲେ ଭିତରେ ବେଡ୍ ଟିଏ ନପାଇ ବାରଣ୍ଡାରେ ଗଡୁଛନ୍ତି ଶହ ଶହ ରୋଗୀ । ସେମିତି ଜଣେ ରୋଗୀ ହେଲେ ପ୍ରଦୀପ ମଳିକ। ତିନି ଦିନ ହେଲା ଆସିଲେଣି, ବେଡ୍ ଟିଏ ପାଇଲେନି। ତାଙ୍କ ଡାକ୍ତର କେତେବେଳେ ଆସୁଛନ୍ତି ଓ କି ଚିକିତ୍ସା କରୁଛନ୍ତି ତା ବି ଜାଣିପାରୁ ନାହାନ୍ତି। ଏଠି ୧୯ଜଣ ଡାକ୍ତରଙ୍କ ସ୍ଥାନରେ ୧୦ଜଣ ଅଛନ୍ତି । ତା ଭିତରୁ କିଏ ଡେପୁଟେସନରେ ତ କିଏ ଛୁଟିରେ । ଏଣେ ଜିଲ୍ଲାପାଳ କହୁଛନ୍ତି- ନୀଳଗିରିକୁ କୁଆଡ଼େ ଅଧିକାଂଶ ବିଭାଗରେ ସ୍ପେଶାଲିଟ୍ ଡାକ୍ତର ଅଛନ୍ତି । ଆହୁରି ନୂଆ ଡାକ୍ତର ଆସିବେ ।

ସେମିତି ଡାକ୍ତର ନଥିବାରୁ ସପ୍ତାହରେ ଅଧାଦିନ ବନ୍ଦ ରହୁଥିବା କପ୍ତିପଦା ଉପଖଣ୍ଡ ଗଡ଼ିଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଚାଲିଛି ଜଣେ ମାତ୍ର ଫାର୍ମାସିଷ୍ଟଙ୍କ ଭରସାରେ ।

ଓଡ଼ିଶାରେ ଉନ୍ନତ ସ୍ୱାସ୍ଥ୍ୟସେବାର ଡିଣ୍ଡିମ ପିଟି କୋଟି କୋଟି ଟଙ୍କାର ବିଜ୍ଞାପନ ଦେଉଥିବା ରାଜ୍ୟ ସରକାରଙ୍କୁ ପ୍ରଚାର ସର୍ବସ୍ୱ ବୋଲି ଦର୍ଶାଇ ଘେରିଛନ୍ତି ବିରୋଧୀ । ରାଜ୍ୟରେ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ିଛି ବୋଲି କଂଗ୍ରେସ କହିଥିବାବେଳେ ବିଜେପିର ଅଭିଯୋଗ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ନିଇତି ଗଣମାଧ୍ୟରେ ମାଳ ମାଳ ଖବର ପ୍ରକାଶ ପାଉଛି । ତାସହ ବିଏସକେୱାଇ ନାଁରେ ଏକ ବଡ଼ ଧରଣର ଘୋଟାଲା ଚାଲିଛି।

 

  • Reported by:
  • HARIHARA CHAND , Biswambar Das , Manas Pani