Advertisment

ଉପବାଚସ୍ପତି ପଦ ଛାଡ଼ିଲେ ରଜନୀକାନ୍ତ ସିଂ, ସଂଗଠନ ଦାୟିତ୍ୱ ନେବାକୁ ଦେଲେ ଇସ୍ତଫା

ତେବେ ପ୍ରଶ୍ନ ଉଠୁଛି ରଜନୀକାନ୍ତ ହଠାତ୍ କାହିଁକି ଇସ୍ତଫା ଦେଲେ ? କ’ଣ ଅନୁଗୁଳ ଜିଲ୍ଲା ବିଜେଡିରେ ଦଳର ସ୍ଥିତି ମଜବୁତ ନାହିଁ କି? ନା ଜିଲ୍ଲାରେ ବିଜେପି ଧୀରେ ଧୀରେ କାୟା ବିସ୍ତାର କରୁଥିବାରୁ ଶାସକ ଦଳର ଚିନ୍ତା ବଢିଛି।

author-image
Santosh Kumar Sahoo
undefined

Rajnikant Singh

ଉପବାଚସ୍ପତି ପଦ ଛାଡ଼ିଲେ ରଜନୀକାନ୍ତ ସିଂହ। ଏବେ ସମ୍ଭାଳିବେ ଦଳୀୟ ସଂଗଠନ। କର୍ମୀଙ୍କୁ କରିବେ ଏକଜୁଟ୍। ବିଜେଡିକୁ ଘାରିଲାଣି ସଂଗଠନ ଚିନ୍ତା। କାରଣ ୫ମାସ ପରେ ସାଧାରଣ ନିର୍ବାଚନ। ୨୦୧୯ ମସିହାରୁ ଉପବାଚସ୍ପତି ଭଳି ସାମ୍ବିଧାନିକ ପଦରେ ଥିବାରୁ ସଂଗଠନକୁ ଗୁରୁତ୍ୱ ଦେଇପାରିନାହାଁନ୍ତି ରଜନୀକାନ୍ତି। ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେବା ପରେ ସେ ନିଜ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ଅନୁଗୁଳର ସଂଗଠନ ଦାୟିତ୍ୱ ନେବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

Advertisment

ତେବେ ପ୍ରଶ୍ନ ଉଠୁଛି ରଜନୀକାନ୍ତ ହଠାତ୍ କାହିଁକି ଇସ୍ତଫା ଦେଲେ ? କ’ଣ ଅନୁଗୁଳ ଜିଲ୍ଲା ବିଜେଡିରେ ଦଳର ସ୍ଥିତି ମଜବୁତ ନାହିଁ କି? ନା ଜିଲ୍ଲାରେ ବିଜେପି ଧୀରେ ଧୀରେ କାୟା ବିସ୍ତାର କରୁଥିବାରୁ ଶାସକ ଦଳର ଚିନ୍ତା ବଢିଛି। ଅନୁଗୁଳର ସମସ୍ତ ୫ ବିଧାନସଭାରେ ଅଛନ୍ତି ବିଜେଡି ବିଧାୟକ। ତଥାପି ଦଳ ପାଇଁ ଚାଲେଞ୍ଜ ଗୋଷ୍ଠୀ କନ୍ଦଳ। ତାଳଚେର ବିଧାୟକ ବ୍ରଜ ପ୍ରଧାନ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ଦଳରୁ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ହେଉଛି। ସେହିପରି ରଜନୀକାନ୍ତଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅନୁଗୁଳରେ ବି ଆଶାୟୀ ଅନେକ । କିଛି ଦିନ ତଳେ ପାଲଲହଡା ବିଧାୟକ ମୁକେଶ ପାଲଙ୍କୁ ମଧ୍ୟ ପଦଯାତ୍ରା ସମୟରେ ଦଳ ଭିତରୁ ବିରୋଧ କରାଯାଇଥିଲା। ଜିଲ୍ଲାରେ ବିଗୁଡୁଥିବା ସ୍ଥିତିକୁ
ମ୍ୟାନେଜ କରିବା ପାଇଁ ଚାରି ଚାରି ଥରର ବିଧାୟକ ରଜନୀକାନ୍ତଙ୍କ ଉପରେ ସୁପ୍ରିମୋ ଆସ୍ଥା ପ୍ରକଟ କରିଥିବା କୁହାଯାଉଛି।

କେବଳ ଅନୁଗୁଳ ନୁହେଁ । ସଂଗଠନ ସଜାଡିବାକୁ ଏବେ ବିଜେଡି, ଦଳର ବରିଷ୍ଠଙ୍କୁ ଦାୟିତ୍ୱ ଦେବା ଆରମ୍ଭ କରିଛି । ଯେଉଁ ସବୁ ଜିଲ୍ଲାରେ ଅନ୍ତଃକନ୍ଦଳ ତୀବ୍ର ଏବଂ ପ୍ରମୁଖ ବିରୋଧୀ ବିଜେପି ସ୍ଥିତିକୁ ମଜବୁତ କରୁଛି ସେସବୁ ସ୍ଥାନରେ ଦଳ ବରିଷ୍ଠ ନେତାଙ୍କ ଉପରେ ଭରସା କରୁଛି। କିଛି ଦିନ ତଳେ ଗୋଳମାଳିଆ ଗଞ୍ଜାମ ସ୍ଥିତିକୁ ମ୍ୟାନେଜ କରିବା ଲାଗି ସମାନ ଢଙ୍ଗରେ ବାଚସ୍ପତି ପଦରେ ଥିବା ବିକ୍ରମ ଆରୁଖଙ୍କୁ ଅର୍ଥ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି ।

Advertisment

ସେହିପରି ବିଜେପି ରାଜ୍ୟ ସଭାପତିଙ୍କ ଜିଲ୍ଲା ଭଦ୍ରକରେ ମଧ୍ୟ ବିଜେପି ଧାମନଗର ଉପନିର୍ବାଚନ ଜିତି ଶାସକ ଦଳକୁ କଡ଼ା ଚାଲେଞ୍ଜ ଦେଇଛି। ଭଦ୍ରକରେ ବିଜେଡିର ସଂଗଠନ ଦୁର୍ବଳ ହେଉଥିବାରୁ ଦୀର୍ଘ ଦିନ ଧରି କୋଣ ଠେସା ହୋଇଥିବା ସଞ୍ଜୟ ଦାସବର୍ମାଙ୍କୁ ଦଳ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛି। ସେହିପରି ବିବାଦୀୟ ପ୍ରତାପ ଜେନାଙ୍କୁ ବି କେନ୍ଦ୍ରାପଡା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇ ସଂଗଠନକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି ଦଳ। ରାଜନୈତିକ ସମୀକ୍ଷକଙ୍କ ମତରେ ନିର୍ବାଚନ ପୂର୍ବରୁ, ଦଳ ଭିତରେ କୁହୁଳୁଥିବା କନ୍ଦଳକୁ ପ୍ରଶମିତ କରି ସଂଗଠନକୁ ସଜାଡିବା ଲାଗି ଏବେ ଅଭିଜ୍ଞଙ୍କ ଉପରେ ଭରସା କରୁଛି ଦଳ।

ସ୍ଥିତି ସୁଧାରିବା ପାଇଁ ବିଜେଡ଼ି ଅଭିଜ୍ଞଙ୍କୁ ସାହାରା ବନେଇବା ଆରମ୍ଭ କରିଛି। ତେବେ ୨୪ ନିର୍ବାଚନ ପାଇଁ ଟିକଟ ବାଣ୍ଟିବାବେଳେ ବିଜେଡିର ଏହି ବରିଷ୍ଠଙ୍କୁ ଦାୟିତ୍ୱ ଫର୍ମୁଲା କେତେ କାମ ଦେଉଛି ତାଉପରେ ନଜର।

Bhubaneswar Odisha BJD Deputy Speaker
Advertisment
Advertisment