• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୋଟ୍‌ବେଳରେ ଧାରଣା ଟେନସନ୍ । ଗୋଟେପଟେ ଚାଷୀ ତ ଅନ୍ୟପଟେ କ୍ରିୟାନୁଷ୍ଠାନ କମିଟି । ଚାଷୀଙ୍କ ଦାବି ପଦ୍ମପୁରକୁ ସ୍ୱତନ୍ତ୍ର ପ୍ୟାକେଜ୍ । ବୁଦ୍ଧିଜୀବୀଙ୍କ ଡିମାଣ୍ଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା । ପଦ୍ମପୁର ଉପନିର୍ବାଚନର ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜନୈତିକ ଦଳଙ୍କ ତଣ୍ଟିରେ କଣ୍ଟା ସାଜିଛି ଚାଷୀ ଆନ୍ଦୋଳନ ଓ ଜିଲ୍ଲା ମାନ୍ୟତା ଦାବି । ଦୁଇଟି ଯାକ ନ୍ୟାର୍ଯ୍ୟ ଦାବିକୁ ନେଇ ଛାନିଆ ରାଜନୈତିକ ଦଳ । ଆଶଙ୍କା-ଆନ୍ଦୋଳନ ପ୍ରଶମିତ ନହେଲେ ଓଲଟ ପାଲଟ ହୋଇଯିବ କି ଫଳାଫଳ ? ଅନ୍ୟ ଦଳ ଆଡ଼କୁ ଆଉଜି ଯିବନି ତ ଜନମତ ?

ଏଇ ଭୟରେ ଏବେ ସେମାନଙ୍କୁ ହାତରେ ରଖିବା ପାଇଁ ବିଜେପି ଓ ବିଜେଡିଲ ଭିତରେ ଚାଲିଛି ପ୍ରତିଯୋଗିତା । ପ୍ରଥମେ ଚାଷୀଙ୍କୁ ପ୍ରଦୀପ ପୁରୋହିତ ଭେଟିଲେ, ତାପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି ଓ ବିଜେଡି ବିଧାୟକ ସୁଶାନ୍ତ ସିଂ । ଉଭୟ ଆନ୍ଦୋଳନରତ ଚାଷୀ ଓ କ୍ରିୟାନୁଷ୍ଠାନ କମିଟିକୁ ଭେଟିଥିଲେ । ଆଉ ସେହି ସମୟରେ ଜିଲ୍ଲା ଗଠନ ଦାବି ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସକରାତ୍ମକ ଆଲୋଚନା ହୋଇଥିବା ନେଇ ବିଜେଡି ପ୍ରେସ ରିଲିଜ୍‌କୁ ନେଇ ଯୁକ୍ତିତର୍କ ହୋଇଥିଲା ।

ସେପଟେ କିନ୍ତୁ ଆଜି ସୁଯୋଗ ହାତଛଡ଼ା କରିନଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମ୍ । ନାମାଙ୍କନ ଶୋଭାଯାତ୍ରାରେ ଆସି ଉପ-ଜିଲ୍ଲାପାଳଙ୍କ ଅଫିସ୍ ପାଖରେ ପହଞ୍ଚିବା ପରେ ଉଭୟ ଚାଷୀ ସଂଗଠନ ଓ କ୍ରିୟାନୁଷ୍ଠାନ କମିଟିକୁ ପୃଥକ୍ ପୃଥକ୍ ଭାବେ ଭେଟି ସେମାନଙ୍କ ଦାବି ନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।

ତେବେ ଫସଲ ବୀମା ଯୋଜନାରୁ ଚାଷୀ ବଞ୍ଚିତ ହେବା, ଇନପୁଟ୍ ସବସିଡି ନମିଳିବା ଓ ମଣ୍ଡିର ସୁବ୍ୟବସ୍ଥା ପାଇଁ ଚାଷୀ ଆନ୍ଦୋଳନ ଜାରି ରହିଛି । ଏ ଦାବି ସମାଧାନ ନହେଲେ ନିର୍ବାଚନ ପ୍ରକ୍ରିୟାରେ ସାମିଲ୍ ନହେବାକୁ ରୋକଠୋକ୍ କହୁଛନ୍ତି ଚାଷୀ । ସେପଟେ କ୍ରିୟାନୁଷ୍ଠାନ କମିଟି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲାମାନ୍ୟତା ଦାବିରେ ଅଡି ବସିଛନ୍ତି । ତେବେ ଆନ୍ଦୋଳନରତ ଚାଷୀ ସଂଗଠନ ଓ କ୍ରିୟାନୁଷ୍ଠାନ କମିଟିକୁ ଭେଟିବା ନେଇ ତେଜିଛି ରାଜନୀତି ।

ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲାର ପଦ୍ମପୁରର ଚାଷୀଙ୍କୁ ସ୍ୱତନ୍ତ୍ର ପ୍ୟାକେଜ୍ ଦାବିରେ ଦୁର୍ବାର ଚାଲିଛି ଆନ୍ଦୋଳନ । ଫସଲବୀମା ଯୋଜନାରେ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା, ଇନପୁଟ୍ ସବସିଡି ପ୍ରଦାନ ସହ ମଣ୍ଡି ସୁବ୍ୟବସ୍ଥା ପାଇଁ ବୋଡ଼ାସମ୍ବର ଚାଷୀ ସଂଗଠନ ସହ ବିଭିନ୍ନ କୃଷକ ସଂଗଠନ ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ଏବେ ଉପ-ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣାରେ ବସିଛନ୍ତି । ଦାବି ପୂରଣ ନେହେଲେ ଶାସକଦଳକୁ ଉଚିତ୍ ଶିକ୍ଷା ଦେବାକୁ ପଣ କରିଛନ୍ତି।

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଅଡ଼ି ବସିଥିବା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଅଭିଯୋଗ-୧୯୬୫ ମସିହାରେ ତତ୍କାଳୀନ ଦାଶ କମିଶନ ପଦ୍ମପୁରକୁ ଜିଲ୍ଲା କରିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ୧୯୯୩ ମସିହାରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ରାଜ୍ୟରେ ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବଢ଼ିଥିଲେ ବି ପଦ୍ମପୁର ପାଳି ପଡ଼ିନଥିଲା । ସେବେଠୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ଦୁର୍ବାର ଆନ୍ଦୋଳନ ହୋଇ ଆସୁଛି । ୨୦୧୯ରେ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ଦାବି ପୂରଣ ପାଇଁ ନିଶ୍ଚିତ ପ୍ରତିଶ୍ରୁତି ପାଇଥିଲା । ହେଲେ ତାହା ପାଣିର ଗାର ପାଲଟିଛି । ଯାହାର ପ୍ରତିଫଳନ ଆଗାମୀ ଉପ-ନିର୍ବାଚନରେ ଦେଖିବାକୁ ମିଳିବ ।