ଦିଲ୍ଲୀରେ ଦମଦାର୍ ବିଜୟ ପରେ ବିଜେପି କ୍ୟାମ୍ପରେ ଯେତିକି ଉତ୍ସାହ ସେତିକି ଉତ୍କଣ୍ଠା । ଘନଘନ ବୈଠକ ଭିତରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା । ଏନେଇ ଦିଲ୍ଲୀ ପାର୍ଟି ଅଫିସରେ ସମସ୍ତ ନିର୍ବାଚିତ ଦଳୀୟ ବିଧାୟକଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରୁଛନ୍ତି ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା ଓ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ସମେତ ଦଳର ତୁଙ୍ଗ ନେତା । ସେପଟେ ଆପ୍ ବି ପରାଜୟର କାରଣ ଖୋଜିବାକୁ ଚଳାଇଛି ସମୀକ୍ଷା ।
ଏସବୁ ଭିତରେ ଚର୍ଚ୍ଚା ହେଉଛି, ପିଏମ୍ ମୋଦି ଆମେରିକା ଗସ୍ତରୁ ଫେରିବା ପରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି । ଉତ୍ସାହିତ ବିଜେପି ଶିବିର,ଉତ୍ସବମୁଖର ଦିଲ୍ଲୀ କାର୍ଯ୍ୟାଳୟ । ଗତକାଲିର ମହାବିଜୟ ପରେ ଆଜି ହୋଇଛି ମାନସମନ୍ଥନ । ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଚୟନ କସରତ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳର ସମସ୍ତ ବିଜୟୀ ବିଧାୟକଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ଏଥିରେ ଯୋଗ ଦେଇଛନ୍ତି ଦିଲ୍ଲୀ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା, ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଏବଂ ରାଷ୍ଟ୍ରୀୟ ସାଂଗଠନିକ ମହାସଚିବ ବି.ଏଲ୍. ସନ୍ତୋଷ ପ୍ରମୁଖ ।
Also Read
ଗତରାତିରେ ବି ଦଳୀୟ ମୁଖ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ ପରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଏଲ୍ ସନ୍ତୋଷଙ୍କ ସହ ରୁଦ୍ଧ ଦ୍ବାର ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଅନ୍ୟ ଏକ ବୈଠକରେ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀର ସମସ୍ତ ୭ ବିଜେପି ସାଂସଦଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି । ଏପଟେ ଆଜି ଶାହଙ୍କ ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି ଜେପି ନଡ୍ଡା ଓ କିଛି ବରିଷ୍ଠ ନେତା । ଏ ତମାମ୍ ଭେଟଘାଟ ଭିତରେ ଉପରାଜ୍ୟପାଳଙ୍କ ସହିତ ଦିଲ୍ଲୀର ସମସ୍ତ ଦଳୀୟ ବିଧାୟକ ଓ ସାଂସଦଙ୍କ ସାକ୍ଷାତ ପାଇଁ ସମୟ ମାଗିଛି ବିଜେପି । ଦିଲ୍ଲୀରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ି ବାଜି ମାରିଛି ବିଜେପି ।
ସିଏମ୍ କିଏ ବନିବେ ସେ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ବ ହାତରେ । ତେବେ ଚର୍ଚ୍ଚା ହେଉଛି , ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି- କେଜ୍ରିୱାଲଙ୍କୁ ହରାଇଥିବା ପରଭେଶ ବର୍ମା, ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚ୍ଚଦେବା, ପୂର୍ବତନ ସଭାପତି ତଥା ବିରୋଧୀ ଦଳ ନେତା ବିଜେନ୍ଦର ଗୁପ୍ତା, ମହିଳା ବିଧାୟିକା ରେଖା ଗୁପ୍ତା ପ୍ରମୁଖ । ତେବେ ବିଜେପି ପରିଚିତ ମୁହଁକୁ ବାଛିବ ନା ସରପ୍ରାଇଜ୍ କାର୍ଡ ଖେଳିବ, ତାହାକୁ ନେଇ ବି କଳ୍ପନାଜଳ୍ପନା ଜାରି ରହିଛି । ସେପଟେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ପିଏମ୍ ମୋଦି ଫେବ୍ରୁଆରୀ ୧୩ରେ ଆମେରିକା ଗସ୍ତ ସାରି ଭାରତ ଫେରିବା ପରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି ।
ଅଧିକ ପଢନ୍ତୁ: ଆଞ୍ଚଳିକ ଦଳ ମାନଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବିଜେପି
ଅପରପକ୍ଷରେ ଆପ୍ ହାତରୁ ଦିଲ୍ଲୀର ସତ୍ତା ଖସିଯିବା ପରେ ଉପରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆତିଶୀ । ଅନ୍ୟପକ୍ଷରେ ଦିଲ୍ଲୀ ବିଧାନସଭାକୁ ଭଙ୍ଗ କରିଛନ୍ତି ଉପରାଜ୍ୟପାଳ । ଯେହେତୁ ଏଥର ନିର୍ବାଚନରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ, ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଭଳି ବଡ଼ ବଡ଼ ମୁଣ୍ଡ ଗଡ଼ିଛନ୍ତି ଓ ୭୦ ଆସନ ବିଶିଷ୍ଟ ବିଧାନସଭାରେ ସଂଖ୍ୟା ୨୨କୁ ଖସି ଆସିଛି । ତେଣୁ କ'ଣ ହେବ ଦଳର ଆଗାମୀ ରଣନୀତି ? ସେ ନେଇ ଆପ୍ ମୁଖ୍ୟ କେଜ୍ରିୱାଲଙ୍କ ଘରେ ଆଜି ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ ।
ଦିଲ୍ଲୀ ଝଟକା ଯେପରି ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନରେ ନଲାଗିବ,ସେନେଇ ଦଳ ଆଗୁଆ ସଜାଗ ହୋଇଥିବା କୁହାଯାଉଛି । ଅନ୍ୟପଟେ ଗତକାଲି ବିଧାନସଭା ଫଳାଫଳ ଆସୁଥିବା ବେଳେ ଦଳ ହାରୁଥିବା ଜାଣି ବି ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ନିଜ ବିଜୟକୁ ନେଇ ସମର୍ଥକଙ୍କ ଗହଣରେ ନାଚୁଥିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ଲଜ୍ଜାଜନକ ବୋଲି କହି କଡ଼ା ସମାଲୋଚନା କରିଛନ୍ତି ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ୍ । ରାଜନୀତି ଆରମ୍ଭରୁ କ୍ଷମତାରେ ଥିବା ଆପ୍, ଆଗାମୀ ବିଧାନସଭା ଅଧିବେଶନରେ ପ୍ରଥମ ଥର ପାଇଁ ବିରୋଧୀ ଆସନରେ ବସିବ । ସେପଟେ ଚଳିତବର୍ଷ ଏପ୍ରିଲରେ ଦିଲ୍ଲୀ ପୌର ନିର୍ବାଚନ ଥିବାରୁ ଡବଲ୍ ନୁହେଁ ଟ୍ରିପଲ୍ ଇଞ୍ଜିନ ସରକାର ପାଇଁ ବିଜେପି ଭରପୁର ଚେଷ୍ଟା କରିବ ।