• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଥମୁନି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ । ପ୍ରତ୍ୟେକ ଦିନ ଯୋଡ଼ି ହେଉଛି ନୂଆ ନୂଆ ଫର୍ଦ୍ଦ । କେହି ବି ଭୁଲ ମାନିବାକୁ ନାରାଜ । ASIଠାରୁ ଆରମ୍ଭ କରି NMA, କେନ୍ଦ୍ର ସରକାର ଓ ରାଜ୍ୟ ସରକାର କିଏ ବନ୍ଦ କରିବ ବେଆଇନ୍ କାମ ? ସେନେଇ ଏବେ ସୁଦ୍ଧା କେହି କିଛି କହୁ ନାହାନ୍ତି । ବେଆଇନ୍‌ ଭାବେ ବିନା ଅନୁମତିରେ ପ୍ରକଳ୍ପ ନିର୍ମାଣ ଚାଲିଥିଲେ କେହି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉ ନାହାନ୍ତି । ତେବେ ଏହାରି ଭିତରେ ପୁଣି ଥରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଛି କଥା କଟା କଟି । 

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ସମ୍ବିତ ଆଜି ସକାଳେ ଉଭୟ ରାଜ୍ୟ ସରକାର ଓ ସାଂସଦ ପିନାକୀ ମିଶ୍ରଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ଏହାକୁ କାଉଣ୍ଟର କରିଛନ୍ତି ସୁଲତା ଦେଓ । ସମ୍ବିତ ପାତ୍ରଙ୍କ ଅଭିଯୋଗକୁ ନେଇ ବିଜେଡି ମୁଖପାତ୍ର ସୁଲତା ଦେଓ ପ୍ରତିକ୍ରିୟା ରଖିଛନ୍ତି ଯେ, ପୁରୀ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ସମ୍ବିତ । GPRS ପୂର୍ବରୁ ହୋଇ DPR ଏନ୍ଏମ୍ଏକୁ ଦିଆଯାଇଥିଲା । ଯେଉଁ ସେବାୟତମାନେ ଜମି ଦେଇଛନ୍ତି, ସେମାନେ କେବେ ବି ସମ୍ବିତଙ୍କୁ କ୍ଷମା କରିବେ ନାହିଁ । ସମ୍ବିତଙ୍କୁ ନିୟମିତ ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟ ପାଇଁ କ୍ଷମା କରିବେ ନାହିଁ । ତେଣୁ ସେ ରାଜନୀତି କରିବା ଛାଡ଼ନ୍ତୁ ବୋଲି ଟ୍ୱିଟ୍ କରି କହିଛନ୍ତି ସୁଲତା ଦେଓ ।

ସେହିପରି ରାତି ଅନ୍ଧକାରରେ ଚୋର ଓ ଡକାୟତମାନେ କାମ କରନ୍ତି । ଯିଏ କିଛି ଲୁଚେଇବାକୁ ଚାହାନ୍ତି ସିଏ ଏପରି ଘନ ଅନ୍ଧାରରେ କାମ କରନ୍ତି ବୋଲି କହି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଦିନ ବେଳେ ଲୋକଲୋଚନରେ କାମ କରିବାରେ ବାଧା କେଉଁଠି ? ତାସହ ଗୃହ କମିଟି କାହିଁକି ଦିନରେ ଯାଇ ଅନୁଧ୍ୟାନ କରି ପ୍ରମାଣ ସଂଗ୍ରହ କରୁନି ବୋଲି ପ୍ରଶ୍ନ ଉଠାଇଛନ୍ତି ନରସିଂହ ।

ସେପଟେ ରାତି ଅଧିଆ GPRSକୁ ନେଇ ରା୍ୟ ସରକାରଙ୍କ ଉପରେ ଆଜି ସକାଳେ ବର୍ଷିଥିଲେ ସମ୍ବିତ ପାତ୍ର । ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ମିଛ ଧରାପଡ଼ିଛି ବୋଲି କହିଥିଲେ ସମ୍ବିତ । ଆଜି ନୂଆଦିଲ୍ଲୀରେ ଏକ ପ୍ରେସମିଟ୍ କରି ସମ୍ବିତ କହିଥିଲେ ଯେ, ଗୋଟିଏ ମିଛ ଲୁଚାଇବାକୁ କିଭଳି ହଜାରେ ମିଛ କହିବାକୁ ପଡ଼େ, ତାର ପ୍ରମାଣ ମିଳିଛି । ରାତି ଅଧରେ ଲୁଚାଇ ଛପାଇ କାହିଁକି GPRS ହେଉଛି ବୋଲି ପ୍ରଶ୍ନ କରିଥିଲେ ସମ୍ବିତ । ଆଗେ ଖୋଳିବା ପରେ ପଛରେ GPRS କରିବା ସମ୍ପୂର୍ଣ୍ଣ ଅବୈଜ୍ଞାନିକ ବୋଲି କହିଛନ୍ତି ସମ୍ବିତ । ସେ ପୁରୀ ସାଂସଦଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ, ପିନାକୀ ବାବୁ ଖନନ ପୂର୍ବରୁ GPRS ହୋଇଛି ବୋଲି ଟ୍ୱିଟ୍ କରିଥିଲେ । ଯଦି GPRS ହୋଇଥିଲା ତାହେଲେ ଏବେ କଣ ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ତେଣେ ପୁରୀରେ GPRS ହେଉଛି ବୋଲି ASI ଜାଣିଛି କି ନାହିଁ ବୋଲି ପଚାରିଛନ୍ତି ସମ୍ବିତ । GPRS  ବେଳେ ASI ଅଧିକାରୀ ଅଛନ୍ତି କି ନାହିଁ ସ୍ପଷ୍ଟ କରିବା ସହ ପିନାକୀ ବାବୁ ଏନେଇ ଫଟୋ ସହ ପ୍ରମାଣ ଭିତ୍ତିକ ତଥ୍ୟ ଦେବାକୁ ସେ ଦାବି କରିଛନ୍ତି । ଯଦି ASI ଅନୁପସ୍ଥିତିରେ GPRS  ହେଉଥାଏ, ତେବେ ତାହା ବେଆଇନ । ରାଜ୍ୟ ସରକାର ଓ ପିନାକୀ ବାବୁ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । ତେଣୁ ବ୍ୟକ୍ତିଗତ ଭାବେ ଗାଳିଗୁଲଜ ନ କରି ଓଡ଼ିଶାବାସୀଙ୍କୁ ଏହାର ଉତ୍ତର ଦିଅନ୍ତୁ ବୋଲି କହିଛନ୍ତି ସମ୍ବିତ ।