• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତିନି ଦିନର ଗଣତି ପରେ ବି ଶେଷ ହୋଇ ନାହିଁ ପଞ୍ଚାୟତ ନିର୍ବାଚନ ଗଣତି । ତୃତୀୟ ଦିନରେ ବି ବିଜେଡିର ବାଜିମାତ । ମୋଟ ୮୫୧ ଆସନରୁ ୬୨୦ ଆସନର ଫଳାଫଳ ପ୍ରକାଶ ।

ପଞ୍ଚାୟତ ନିର୍ବାଚନରେ ୩ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜୁ ଜନତା ଦଳ । ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ହୋଇପଡ଼ିଛି ବିଜେପି ଓ କଂଗ୍ରେସ । ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତି ପରେ ବିଜେଡି, କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି । ପ୍ରାୟ ୩୦ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ଗଠନ କରିବା ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ଗଣତିରେ ମୋଟ ୮୫୧ ଆସନ ମଧ୍ୟରୁ ୬୨୦ ଆସନର ଫଳାପଳ ପ୍ରକାଶ ପାଇଛି । ସେଥିମଧ୍ୟରୁ ବିଜେଡି ୫୫୪ ଆସନରେ ବିଜୟ ହୋଇଛି । ବିଜେପିକୁ ୩୧ ଆସନ ମିଳିଥିବା ବେଳେ କଂଗ୍ରେସ ୩୦ଟି ଆସନରେ ବିଜୟ ହୋଇଛି । ଅନ୍ୟାନ୍ୟ ଦଳର ବା ସ୍ୱାଧିନ ପ୍ରାର୍ଥୀ ୭ଟି ଆସନରେ ବିଜୟୀ ହୋଇଛନ୍ତି । ସେପଟେ ରାଜ୍ୟରେ ୧୦ ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ଖାତା ଖୋଲି ପାରିନାହିଁ ବିଜେପି ।

ତେବେ ଏଥର ନିର୍ବାଚନରେ ଅନେକ ବିରଳ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ପଟେ ବିଜେଡି ଏକ ତରଫା ବିଜୟୀ ହୋଇଥିବା ବେଳେ ଅନ୍ୟପଟେ ଫୁଲ୍‌ଦମ୍‌ରେ ୨୦୧୭ରେ ଉଭା ହୋଇଥିବା ବିଜେପି ଫ୍ୟୁଜ୍‌ ହୋଇଯାଇଛି । ଆଉ କଂଗ୍ରେସ ବିଜେପିକୁ ଟକ୍କର ଦେଉଛି ।

ସେହିଭଳି ଏଥର ପଞ୍ଚାୟତ ନିର୍ବାଚନରେ ଅନେକ ଦିଗ୍ଗଜ ନେତାଙ୍କ ପତ୍ତା କଟିଯାଇଛି । ଯିଏ ଓଡ଼ିଶାରେ ଦିନେ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳୁଥିଲେ, ଏଥର ସେ ସମିତି ସଭ୍ୟ ନିର୍ବାଚନରେ ବି ପରାଜିତ ହୋଇଛନ୍ତି । ସେମିତି ଜଣେ ନେତ୍ରୀ ହେଉଛନ୍ତି ଅଞ୍ଜଳି ବେହେରା । ୨୦୦୦ ମସିହା ବିଧାନସଭା ନିର୍ବାଚନରେ ହିନ୍ଦୋଳ ଆସନରେ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିଲେ ଅଞ୍ଜଳି । ୨୦୦୦ ରୁ ୨୦୧୪ ପର୍ଯ୍ୟନ୍ତ ସେ ଏହି ଆସନରୁ ଲଗାତାର ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ହେଲେ ୨୦୧୪ ମସିହାରେ ବିଜେଡି ତାଙ୍କୁ ବିଧାୟକ ଟିକେଟ ଦେଇନଥିଲା । ସେ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରି ନିର୍ବାଚନ ଲଢିଥିଲେ । ଏହି କାରଣରୁ ତାଙ୍କୁ ବିଜେଡିରୁ ସସ୍ପେଣ୍ଡ କରାଯାଇଥିଲା । ତା ପରଠାରୁ ସେ ରାଜନୀତିରେ ସକ୍ରିୟ ନଥିଲେ । ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୨୧ ଅକ୍ଟୋବର ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ ।

ପଞ୍ଚାୟତ ନିର୍ବାଚନରେ ସେ ହିନ୍ଦୋଳ ଗିରିଧର ପ୍ରସାଦ ପଞ୍ଚାୟତରେ ହଠାତ୍ ସମିତି ସଭ୍ୟା ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରି ଚର୍ଚ୍ଚାକୁ ଆସିଥିଲେ । ତୃଣମୂଳ ସ୍ତରରେ ଲୋକଙ୍କ ସେବା କରିବା ପାଇଁ ସେ ପଞ୍ଚାୟତ ନିର୍ବାଚନ ଲଢୁଛନ୍ତି ବୋଲି କହିଥିଲେ । ଏହି ସଂରକ୍ଷିତ ଆସନରେ ସେ ତାଙ୍କ ଭାଗ୍ୟ ପରୀକ୍ଷା କରିଥିଲେ । ଏତେ ଲମ୍ୱା ରାଜନୈତିକ କ୍ୟାରିଅର ଥିଲେ ବି ତାଙ୍କୁ ପଞ୍ଚାୟତରେ ପରାଜିତ ହେବାକୁ ପଡିଛି । ଇଏ ରାଜନୀତି । ସାପଶିଡିର ଖେଳ । କୁହାଯାଏ ଆଜି ଯେ ରାଜନ୍ଦ୍ରାସନେ କାଲି ସେ ଫକୀର ।