• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବନି କଂଗ୍ରେସ । ସମର୍ଥନ ନଦେବା ନେଇ ସ୍ପଷ୍ଟ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ‘ଦ୍ରୌପଦୀ ମୁର୍ମୁ ଜଣେ ଭଲ ମଣିଷ, ଭଲ ବିଧାୟିକା । ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣେ, ଆମର ସମ୍ପର୍କ ମଧ୍ୟ ଭଲ । କିନ୍ତୁ ସେ ବିଜେପି ନୀତି ଆଦର୍ଶରେ ବିଶ୍ୱାସ କରୁଥିବାରୁ ତାଙ୍କୁ ସମର୍ଥନ ଦେବନି କଂଗ୍ରେସ । ତାଙ୍କୁ ପ୍ରାର୍ଥୀ ଘୋଷଣା ପୂର୍ବରୁ ବିରୋଧୀଦଳ ପ୍ରାର୍ଥୀ ଘୋଷଣା କରିସାରିଛି । ଜଣକୁ ଛିଡ଼ା କରି ଅନ୍ୟ ଜଣକୁ ସମର୍ଥନ କରିବା ଠିକ୍ କଥା ନୁହେଁ ।’ ଏଭଳି ବୟାନ ଦେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ନରସିଂହ ମିଶ୍ର ।

ଅନ୍ୟପଟେ ସମର୍ଥନ ପାଇଁ ସବୁ ବିଧାୟକଙ୍କୁ ବିଜେଡିର ଆମନ୍ତ୍ରଣକୁ ନରସିଂହ କଟାକ୍ଷ କରିଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଆ ପ୍ରୀତି ଅଛି ବୋଲି କହୁଛନ୍ତି, ତାହେଲେ ଜଣେ ଅଣଓଡ଼ିଆଙ୍କୁ ରାଜ୍ୟସଭା ପଠାଇଲେ କାହିଁକି । ରାଜ୍ୟରେ କଣ ଓଡ଼ିଆ ପ୍ରାର୍ଥୀ ନଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ।

ସେପଟେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ତାଙ୍କୁ ଭେଟିଚନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ଭବନରେ ପହଞ୍ଚି ଦ୍ରୌପଦୀଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଦ୍ରୌପଦୀ ଭେଟିିଛନ୍ତି । ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ।

ଆଜି ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନବନ୍ଦରରେ ବିଜେପିର ଅନେକ ବରିଷ୍ଠନେତା ତାଙ୍କୁ ସ୍ୱାଗତ କରିଛନ୍ତି । ଏଥିସହ ଅନେକ ଶୁଭେଚ୍ଛୁ ଓ ପ୍ରଶଂସକ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ଓଡିଶା ଭବନରେ କେନ୍ଦ୍ରମନ୍ତ୍ରୀ ଜି. କିଷାନ ରେଡ୍ଡି, ବିଜେପି ସାଂସଦ ଜୁଏଲ ଓରାମଙ୍କ ସହ ମନ୍ତ୍ରୀ ଟୁକୁନି ସାହୁ, ଜଗନ୍ନାଥ ସାରକା ଓ ବିଜେଡି ସାଂସଦ ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।