• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଂଗ୍ରେସ ସଭାପତି ପଦ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ ଓ ୧୯ ତାରିଖରେ ଫଳାଫଳ ଘୋଷଣା କରାଯିବ । ଆସନ୍ତା ୨୪ରୁ ୩୦ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀ ସେମାନଙ୍କ ନାମାଙ୍କ ପତ୍ର ଦାଖଲ କରିପାରିବେ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୮ । ଏହାପରେ ନୂଆ ସଭାପତି ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ନିଯୁକ୍ତ କରିବେ ।

ନୂଆ ସଭାପତିଙ୍କୁ ଏଥିପାଇଁ କ୍ଷମତା ପ୍ରଦାନ ଲାଗି ପିସିସି ସ୍ତରରେ ସର୍ବସମ୍ମତିରେ ପ୍ରସ୍ତାବ ପାରିତ ହେବ । ଏନେଇ ଖୁବ୍ ଶୀଘ୍ର ପ୍ରଦେଶ ରିଟର୍ଣ୍ଣି ଅଧିକାରୀମାନେ ବୈଠକ କରିବେ ବୋଲି ସୂଚନା ମିଳିଛି । ତେବେ ଏଥର ସଭାପତି ନିର୍ବାଚନ ଦୌଡ଼ରେ ଅଶୋକ ଗେହଲୋଟ ଓ ଶଶି ଥରୁର ଥିବା ଚର୍ଚ୍ଚା ହେଉଛି ।

ରାହୁଲ ସଭାପତି ପଦ ଲାଗି ଆଦୌ ଉଚ୍ଛୁକ ନଥିବା ତାଙ୍କ ନିକଟ ମହଲରୁ ସୂଚନା ମିଳିଛି । ଏହାସତ୍ତ୍ୱେ ବିହାର,ତାମିଲନାଡୁ, ରାଜସ୍ଥାନ, ଛତିଶଗଡ଼, ଗୁଜୁରାଟ, ହରିୟାଣା କଂଗ୍ରେସ କମିଟି ପକ୍ଷରୁ ପ୍ରସ୍ତାବ ପାରିତ କରାଯିବା ସହ ସଭାପତି ପଦଲାଗି ନାମାଙ୍କନ ଭରିବା ଲାଗି ରାହୁଲଙ୍କ ନିକଟରେ ଦାବି କରାଯାଇଛି । ସେହିପରି କେରଳ ଓ ମଧ୍ୟପ୍ରଦେଶର କଂଗ୍ରେସ ନେତା ସିଧାସଳଖ ରାହୁଲଙ୍କୁ ଭେଟି ସଭାପତି ହେବା ଲାଗି ଅନୁରୋଧ କରିଛନ୍ତି । ଏଭଳି ସ୍ଥଳେ କଣ ହେଉଛି କଂଗ୍ରେସ ରାଜନୀତି ଓ କିଏ ସଭାପତି ପଦ ନିର୍ବାଚନ ପାଇଁ ନାମାଙ୍କନ ଭରୁଛନ୍ତି ତା ଉପରେ ନଜର ।