• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ତାକୁ ପାଇଲଟ ବନାଇବା ଲୋକ ମୁଁ । ଲାଇସେନସ କରେଇଦେବା ଲୋକ ମୁଁ । ମୋତେ କହିଥିଲା, ମୁଁ ରାଜନୀତି କରିବି । ମୋତେ ଏମ.ଏଲ.ଏରେ ଛିଡା କରାଅ । ମୁଁ କହିଥିଲି ..ନା ।

ପ୍ରଥମେ ଦଶ ବର୍ଷ ଲୋକଙ୍କ ପାଇଁ କାମ କର । ଏୟାରଫୋର୍ସରେ ଦଶବର୍ଷ କାମ କରି ଛାଡି ପଲେଇ ଆସିଲା । ମୋର ଇଛା ଥିଲା ତାକୁ ବଡ ପଦବୀରେ ଦେଖିବା । ସେ କଳାହାଣ୍ଡିର ଗର୍ବ ହୋଇଥାଆନ୍ତା । ତାକୁ ପ୍ରତିରକ୍ଷା ବିଭାଗ ରିଜେକ୍ଟ କରିଦେଇଥିଲା । ମୁଁ ତା ପାଇଁ ସ୍ପେସିଆଲ ଇଣ୍ଟରଭ୍ୟୁ ଆୟୋଜନ କରିଥିଲି । ମୁଁ ତା ପାଇଁ ଗର୍ବ କରୁଥିଲି । ସେ ମୋର ପ୍ରିୟ ଥିଲା । ତା ପାଇଁ ସ୍ୱପ୍ନ ଦେଖୁଥିଲି । ଆଉ ସେ ଆଜି ଅପରାଧୀ ହୋଇଗଲା ।ଏ ସବୁ କଥା କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ । କେନ୍ଦ୍ରମନ୍ତ୍ରୀ ଥିବାବେଳେ ସେ ହିଁ ଦିବ୍ୟଶଙ୍କରଙ୍କ କ୍ୟାରିଅର୍ ଗଢିଥିଲେ ବୋଲି ଦାବି କରିଛନ୍ତି । ମମିତା ମେହେର ଘଟଣା ପାଇଁ ସେ ଦୁଃଖ ପ୍ରକାଶ କରିବା ସହ ମନ୍ତ୍ରୀ ପଦରୁ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିଛନ୍ତି ।

 

ଦିନକୁ ଦିନ ମମିତା ମେହେର ହତ୍ୟା ମାମଲାରେ ନୂଆ ନୂଆ ଟ୍ବିଷ୍ଟ ଆସୁଛି । ସେ ଅନେକ କଥା ସାମନାକୁ ଆଣିଛନ୍ତି । ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଂକର ମିଶ୍ରଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ସେ ସିଧାସଳଖ କହୁଛନ୍ତି, ଗତ ୮ ତାରିଖରେ ଏକ ହୋଟେଲରେ ମମିତାଙ୍କୁ ନେଇ ଖୁଆଇଥିଲା ଅଭିଯୁକ୍ତ ଗୋବିନ୍ଦ । କାହା କାହା ଫୋନ ବ୍ୟବହାର କରି କଥା ହୁଅନ୍ତି କ୍ୟାପଟେନ ମିଶ୍ର । ଏମିତି ଅନେକ କଥା କହିଛନ୍ତି କଂଗ୍ରେସ ନେତା ଭକ୍ତ ଦାସ ।

ଭକ୍ତ ଦାସଙ୍କ ଯୁକ୍ତି ହେଉଛି, ପୋଲିସ ଚାହିଁଲେ ସବୁ ସତ ବାହାରିପାରିବ । ଗୋବିନ୍ଦଙ୍କ ସହ ମମିତା ମାଣିକେଶ୍ୱରୀ ମନ୍ଦିରର କେତେବେଳେ ଯାଇଥିଲେ ? କେଉଁ ଲୁଗା ଦୋକାନରୁ ଲୁଗା କିଣିଥିଲେ ? ଭାଗିରଥି ଇନ ହୋଟେଲରେ କେତେବେଳେ ଦୁଇଜଣ ଯାକ ଯାଇ ଖାଇଥିଲେ ? ମୋବାଇଲ ଟାୱାର ଓ ସାଟଲାଇଟ ସବୁ କହିଦେବ । ବିଜ୍ଞାନ ଯୁଗରେ ସବୁକିଛି ବାହାରିଯିବ କିନ୍ତୁ ପୋଲିସ ବାହାର କରୁନି ବୋଲି ସେ କହିଛନ୍ତି ।

ଭକ୍ତ ଦାସ କହିଛନ୍ତି ମନ୍ତ୍ରୀ ବାରମ୍ବାର ମହାଲିଙ୍ଗ କଲେଜକୁ ଯାଉଥିବାର ସ୍ଥାନୀୟ ଲୋକମାନେ କହୁଛନ୍ତି । ଗାଡି ଓ ସୁରକ୍ଷାକର୍ମୀଙ୍କୁ ମଦଭାଟି ପାଖରେ ରଖିଦେଉଥିଲେ । ମନ୍ତ୍ରୀ ଏକା ଗୋବିନ୍ଦ ସହ କଲେଜକୁ ଯାଉଥିଲେ । ଦିବ୍ୟଶଙ୍କର ବାରମ୍ବାର କଲେଜକୁ କାହଁକି ଯାଉଥିଲେ ? ଏ ସଂର୍ପକରେ ଅନେକ କଥା ସେ ଜାଣିଥିବାର କହିଛନ୍ତି ଭକ୍ତ ଦାସ । ହେଲେ ବର୍ବର ହତ୍ୟାକାଣ୍ଡ ପରେ ମୁହଁ ଖୋଲିବାକୁ ବାଧ୍ୟ ହୋଇଥିବା ସେ କହିଛନ୍ତି ।

ଭକ୍ତଙ୍କ ଅଭିଯୋଗ, ଗୃହମନ୍ତ୍ରୀ ଏତେ ବଡ କ୍ରିମିନାଲ ହୋଇଯାଇଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର କିଛି ବଡବଡିଆ ବି ସାମିଲ ଅଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ନିଜେ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି । କାହା କାହା ଫୋନରୁ କଥା ହୁଅନ୍ତି କ୍ୟାପଟେନ ତାହା ସେ ଜାଣନ୍ତି ବୋଲି କହିଛନ୍ତି ଭକ୍ତ ଦାସ । ମାତ୍ର ତିନିଜଣଙ୍କ କଲ ଡିଟେଲ ଆଣିଲେ, ଜଣା ପଡିଯିବ ଅପରାଧର ପୃଷ୍ଠଭୂମି । ଯଦି ମନ୍ତ୍ରୀ ଦୋଷୀ ନହେବେ, ସେ ସାଧାରଣରେ କ୍ଷମା ମାଗିବେ ବୋଲି କହିଛନ୍ତି ଭକ୍ତ ଦାସ ।