• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କୃଷି ବିଲ୍‌କୁ ବିରୋଧ ।

  • ସଂସଦରେ ପ୍ଲାକାର୍ଡ ଧରି ଠିଆ ହେଲେ ବିରୋଧୀ ।

  • କୃଷି ବିଲ ପ୍ରତ୍ୟାହାର ନହେବା ଯାଏଁ ବିରୋଧ ଜାରି ରହିବ ।

ନୂଆଦିଲ୍ଲୀ: ପଞ୍ଜାବ ଶାସନରେ ଥିବା କଂଗ୍ରେସ ଠାରୁ ଆରମ୍ଭ କରି ପୂର୍ବରୁ ଏନଡିଏରେ ଥିବା ଶିରୋମଣି ଅକାଳୀ ଦଳ ପର୍ଯ୍ୟନ୍ତ, ସମସ୍ତଙ୍କ ତରଫରୁ ତିନି କୃଷି ଆଇନକୁ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ ଆଜି ସଂସଦ ପରିସରରେ ପଞ୍ଜାବ କଂଗ୍ରେସ ସାଂସଦମାନେ ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

ଖାଲି କଂଗ୍ରେସ ନୁହେଁ ବରଂ ପଞ୍ଜାବର ଶିରୋମଣି ଅକାଳୀ ଦଳର ସାଂସଦ ଓ ବହୁଜନ ସମାଜ ପାର୍ଟିର ସାଂସଦମାନେ ମଧ୍ୟ ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଏକାଠି ହୋଇଥିଏଲେ । ଏହାସହ ତିନି କୃଷି ଆଇନକୁ ବିରୋଧ କରିଥିଲେ । ଖାଲି ସେତିକି ନୁହେଁ କେନ୍ଦ୍ର ସରକାର ତୁରନ୍ତ ଏହି ତିନି କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଥିଲେ ।

ସେପଟେ ପୂର୍ବରୁ ଏନଡିଏ ସରକାରରେ ମନ୍ତ୍ରୀ ଥିବା ଅକାଳୀ ଦଳର ନେତ୍ରୀ ତଥା ସାଂସଦ ହରସିମରତ୍ କୌର୍ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି କୃଷି ଆଇନକୁ ବିରୋଧ ଜାରି ରହିବ ଏବଂ ଏହି ସଂକ୍ରାନ୍ତରେ ଆସନ୍ତାକାଲି ଆମେ ରାଷ୍ଟ୍ରପତିଙ୍କୁ ଭେଟି ନିଜର ଦାବି ଜଣାଇବୁ । ସେପଟେ କଂଗ୍ରେସ୍ ସାଂସଦ ଜେ.ଏସ୍. ଗିଲ୍ କହିଛନ୍ତି କି ଆମେ କୃଷକଙ୍କ ସମର୍ଥନରେ ରହିଛୁ ଓ ଆଗକୁ ମଧ୍ୟ କୃଷି ଆଇନ୍‌କୁ ବିରୋଧ ଜାରି ରହିବ । 

ପଞ୍ଜାବ ଭଳି ରାଜସ୍ଥାନରେ ବି ସତ୍ତାଧାରୀ କଂଗ୍ରେସ ମଧ୍ୟରେ ଥିବା ଅନ୍ତର୍କନ୍ଦଳ କଥା ଭିନ୍ନ ଭିନ୍ନ ସମୟରେ ସାମ୍ନାକୁ ଆସୁଛି । ଏହା ଭିତରେ ରାଜସ୍ଥାନ ଦାୟିତ୍ୱରେ ଥିବା ଏଆଇସିସି ସଦସ୍ୟ ଅଜୟ ମାକେନ୍ ପ୍ରତିକ୍ରିୟା ରଖିଛନ୍ତି । ମାକେନ୍ କହିଛନ୍ତି କି ବିଗତ ଦୁଇ ତିନି ଧରି ଦଳର ସବୁ ବିଧାୟକଙ୍କ ସହ ଲଗାତାର ଆଲୋଚନା ଚାଲିଛି ।

ଆଗକୁ ନିର୍ବାଚନ ଆସୁଛି । ଏଣୁ କେମିତି ଆଗାମୀ ନିର୍ବାଚନକୁ ଦଳ ସାମ୍ନା କରିବ ଓ ଏହାକୁ ଜିତି, ସତ୍ତାକୁ ପୁଣି ଫେରିବ । ତାକୁ ନେଇ ଦଳ ରଣନୀତି ପ୍ରସ୍ତୁତ କରୁଛି । ଦଳରେ କିଛି ପରିବର୍ତ୍ତନ ଆଭାସ ମିଳୁଥିବାବେଳେ ମାକେନ୍ କହିଛନ୍ତି କି ଖୁବଶୀଘ୍ର ତୃଣମୂଳସ୍ତରରେ ଦଳର ଦାୟିତ୍ୱ ବଣ୍ଟନ କରାଯିବ । ଏ ବାବଦରେ ଦଳରେ ବିଚାର ବିମର୍ଶ ଚାଲିଛି । ଯଥାଶୀଘ୍ର ଜିଲ୍ଲା ଓ ବ୍ଲକ୍‌ସ୍ତରର ମୁଖ୍ୟମାନଙ୍କୁ ନିଯୁକ୍ତ କରାଯିବ ବୋଲି ଅଜୟ ମାକେନ୍ କହିଛନ୍ତି ।

ସେପଟେ ରାଜସ୍ଥାନରେ ସତ୍ତାଧାରୀ ଦଳ କଂଗ୍ରେସର ଅବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ । ସେ କହିଛନ୍ତି, ରାଜସ୍ଥାନରେ ସରକାରୀ ଦଳ ଏବେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି । ଖାଲି ଦଳୀୟ ନେତା ଓ କର୍ମୀ ନୁହନ୍ତି ବରଂ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ଦଳିତ ଓ ମହିଳାମାନଙ୍କ ଉପରେ ଅତ୍ୟାଚାର ସୀମା ଲଙ୍ଘିଲାଣି । କଳୁଷିତ ଶାସନ କାହାକୁ କହନ୍ତି, ତାହାର ଏକ ଉଦାହରଣ ସାଜିଛି ରାଜସ୍ଥାନ ସରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ୍ ରାମ୍ ମେଘୱାଲ୍ ।