• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରାଜ୍ୟ କଂଗ୍ରେସରେ ଅନ୍ତଃକନ୍ଦଳ ଥମିବାର ନାଁ ଧରୁନି ।

  • ନିରଞ୍ଜନଙ୍କୁ ଟାର୍ଗେଟ କରିଛନ୍ତି ତାରା ।

  • ନିରଞ୍ଜନଙ୍କ ବିରୋଧରେ ଲଢ଼େଇ ଜାରି ରହିବ ।

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଅନ୍ତଃକନ୍ଦଳ ଥମିବାର ନାଁ ଧରୁନି । ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି ଯେ, ଦଳରେ ରହିବି କିନ୍ତୁ ନିରଞ୍ଜନଙ୍କ ବିରୋଧରେ ଲଢ଼େଇ ଜାରି ରହିବ । ନିରଞ୍ଜନଙ୍କ ବୟସ ହୋଇଗଲାଣି, ପିସିସି ସଭାପତି ପଦ ଛାଡିଦେବା କଥା ।

ପିସିସି ସଭାପତି, ବିବାଦର ସମାଧାନ କରିବା ବଦଳରେ ବିବାଦ ବଢ଼ାଉଛନ୍ତି ବୋଲି କହିଛନ୍ତି ତାରା । ସେ ଆହୁରି ମଧ୍ୟ କହିଛନ୍ତି ବିଜେଡି MLA ନବୀନଙ୍କ ନାଁରେ, ବିଜେପି MLA ମୋଦିଙ୍କ ନାଁରେ ଜିତନ୍ତି ହେଲେ କଂଗ୍ରେସ MLA ନିରଞ୍ଜନଙ୍କ ନାଁରେ ଜିତନ୍ତିନି ବୋଲି କହି ତାରା ଟାର୍ଗେଟ କରିଛନ୍ତି । ସେପଟେ ତାରାଙ୍କ ଅଭିଯୋଗ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି, ହାଇକମାଣ୍ଡଙ୍କୁ ନଜଣାଇ ଏମିତି ସର୍ବସାଧାରଣରେ କହିବା ଠିକ୍ ନୁହେଁ । ତାରାଙ୍କ ଏଭଳି ବୟାନ ଦେବା ଉଚିତ୍‌ ନୁହେଁ ।

ସୂଚନାଯୋଗ୍ୟ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରିଥିବା ପ୍ରେସମିଟକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିଲା । ତେଣୁ ପିସିସି ସଭାପତିଙ୍କ ଉପରେ ଗର୍ଜିଥିଲେ ତାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମିନାକ୍ଷୀ ବାହିନିପତି । ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ସେ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ ।

ମୀନାକ୍ଷୀ କହିଥିଲେ, ଉକ୍ତ ପ୍ରେଟସମିଟ୍‌ରେ ଜିଲ୍ଲାର ସମସ୍ତ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ହେଲେ ତାଙ୍କ ସ୍ୱାମୀ ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିଲା । ଏନେଇ ତାରାଙ୍କ ପାଖରେ କିଛି ଖବର ନଥିଲା । ଏମିତି ହେଲେ କୋରାପୁଟ ଜିଲ୍ଲାରେ କଂଗ୍ରେସ କ୍ଷତିଗ୍ରସ୍ତ ହେବ । ସାଂସଦ ଯେଉଁ କାମ କରୁଛନ୍ତି, ତାହା ଦଳ ପାଇଁ ଶୁଭଙ୍କର ନୁହେଁ । କଂଗ୍ରେସ କେବେ ମରିନି । କଂଗ୍ରେସ ଅଛି ଓ ରହିବ । କିନ୍ତୁ ଦଳ ଭିତରେ ଯେଉଁ ବିଭେଦ ସୃଷ୍ଟି କରାଯାଉଛି, ତାହା କୋରାପୁଟ ଜିଲ୍ଲା କଂଗ୍ରେସ ପାଇଁ ଉଚିତ୍‌ ନୁହେଁ ।