• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୭ ବର୍ଷ ପରେ ବି ସରିପାରିଲାନି ଜଟଣୀ ଫ୍ଲାଏଓଭର ବ୍ରିଜ କାମ । ହେଲେ ଏହି ଅସମ୍ପୂର୍ଣ୍ଣ ବ୍ରିଜକୁ ଆଜି ଦୀପ ଧୂପ ଦେଇ ନଡିଆ ବାଡେଇ ଉଦଘାଟନ କରିଦେଇଛନ୍ତି ସ୍ଥାନୀୟ ବିଧାୟକ ସୁର ରାଉତରାୟ । ବିଧାୟକଙ୍କ ଏଭଳି ପଦକ୍ଷେପକୁ ବିଜେଡି କଡା ଭାଷାରେ ନିନ୍ଦା କରିଥିବା ବେଳେ ଜଟଣୀ ପୌରାଧ୍ୟକ୍ଷ କହିଛନ୍ତି, ଫ୍ଲାଏଓଭର ଦେଇ ଜନସାଧାରଣ ଯାତାୟାତ କଲେ ବିପଦ ରହିଛି । ସେପଟେ ରାଜନୀତି ନକରି ଜନସାଧାରଣଙ୍କ ବ୍ୟବହାର ପାଇଁ ତୁରନ୍ତ ବ୍ରିଜ କାମ ସାରିବାକୁ ସାଧାରଣରେ ଦାବି ହୋଇଛି ।

ଦୀପ-ଧୂପ ଜଳିଲା, ନଡିଆ ବି ବାଡା ହେଲା । ଉଦଘାଟିତ ହୋଇଗଲା ଜଟଣୀର ବହୁ ପ୍ରତୀକ୍ଷିତ ବ୍ରିଜ୍ । ସ୍ଥାନୀୟ ବିଧାୟକ ସୁର ରାଉତରାୟ ଦମ୍ଭରେ ଘୋଷଣା କରିଦେଲେ, ୭ ବର୍ଷର ଅପେକ୍ଷା ସରିଲା । ଏଣିକି ବର୍ଷା ହେଲେ ରେଲୱେର ଅଣ୍ଡରପାସ୍ ନୁହେଁ ବରଂ ଏହି ବ୍ରିଜ ଦେଇ ଲୋକେ ଯାତାୟାତ କରିବେ । କେବଳ ସେତିକି ନୁହେଁ, ବ୍ରିଜ ଉପରେ କିଛି ସମର୍ଥକଙ୍କ ସହ ଚାଲି ଚାଲି ଫଟୋ ପୋଜ୍ ଦେଲେ । ପୋଲ କାମ ଏବେବି ଜାରି ରହିଛି । ମଝିରେ ସମ୍ପୂର୍ଣ୍ଣ ଢଳେଇ ପଡିନି । ସାଇଡ୍ ୱାଲ ନିର୍ମାଣ ବି ସରିନି । ଗଦା ଗଦା ହୋଇ ପଡି ରହିଛି କଂକ୍ରିଟ ଓ ଲୁହା ଛଡ,। ଅର୍ଦ୍ଧନିର୍ମିତ ବ୍ରିଜ୍ ର ଏଭଳି ତରବରିଆ ଉଦଘାଟନ ନେଇ ବିଧାୟକଙ୍କ ଉପରେ ବର୍ଷିଛି ବିଜେଡି ।

୨୦୧୬ରେ ଆରମ୍ଭ ହୋଇଥିଲା ବ୍ରିଜ୍ ନିର୍ମାଣ । ପ୍ରଥମେ ୭୦୦ ମିଟର ଏବଂ ପରେ ୯୬୫ ମିଟରକୁ ସମ୍ପ୍ରସାରିତ ହୋଇଥିଲା। ୧୧ ମିଟର ଓସାରର ଏହି ବ୍ରିଜ୍ ପାଇଁ ଖର୍ଚ୍ଚ ହୋଇଛି ୧୦୪ କୋଟି ଟଙ୍କା । ତେବେ ବ୍ରିଜ୍ କାମ ସରିନଥିବା ବେଳେ ବିଧାୟକଙ୍କ ଏଭଳି ତରବରିଆ ଏବଂ ଦାୟିତ୍ୱହୀନ ଭାବେ ଉଦଘାଟନକୁ ନାପସନ୍ଦ କରିଛନ୍ତି ଜଟଣୀ ପୌରାଧ୍ୟକ୍ଷ । କହିଛନ୍ତି, ବର୍ତ୍ତମାନ ବ୍ରିଜ ଉପରେ ଯାତାୟାତ ବିପଜ୍ଜନକ । ବିଧିବଦ୍ଧ ଘୋଷଣା ନହେବା ପର୍ଯ୍ୟନ୍ତ ବ୍ରିଜ ଉପରେ କେହି ନଯିବାକୁ ସେ ଅନୁରୋଧ କରିଛନ୍ତି ।

ଖୋର୍ଦ୍ଧା ସହ ପୁରୀକୁ ସଂଯୋଗ କରୁଛି ଜଟଣୀର ଏହି ବ୍ରିଜ୍ । ଏଠାରେ ଥିବା ଅଣ୍ଡରପାସ ଦେଇ ପ୍ରତିଦିନ ହଜାର ହଜାର ଲୋକଙ୍କ ଯାତାୟାତ ହେଉଛି । ତେବେ ବର୍ଷା ହେଲେ ଏଠାରେ ୧୫ ଫୁଟ ଉଚ୍ଚର ପାଣି ଚାଲେ । ଦି'ଭାଗ ହୋଇଯାଏ ଜଟଣୀ । ରେଲୱେ ପମ୍ପ ଲଗାଇ ପାଣି ଖାଲି କରେ । ପୂର୍ବରୁ ଅଣ୍ଡରପାସରେ ଜମା ହୋଇଥିବା ପାଣିରେ ମୋ ବସ୍ ଫସିଛି । ପାଣିରେ ବୁଡି ଅନେକ ଲୋକଙ୍କ ଜୀବନ ବି ଯାଇଛି । ତେଣୁ ଏଠାରେ ଏକ ବ୍ରିଜ୍ କରିବାକୁ ଦୀର୍ଘ ଦିନ ଧରି ଦାବି ହେଉଥିଲା । ଏବେ ବ୍ରିଜ ନିର୍ମାଣକୁ ୭ ବର୍ଷ ବିତିବାକୁ ବସିଲାଣି, ତଥାପି କାମ ଅସଂପୂର୍ଣ୍ଣ ରହିଛି । ଲୋକେ କହୁଛନ୍ତି ରାଜ୍ୟ ସାରା ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କୁ ଜଟଣୀବାସୀଙ୍କ ଏ ଦୁଃଖ ଦେଖାଯାଉନି ।