/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658240203.jpg)
Mohammed Moquim
ଚର୍ଚ୍ଚାରେ ମୋକିମଙ୍କ କ୍ରସ ଭୋଟିଂ । ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ହଲଚଲ । କାହିଁକି ମୋକିମ ଦଳୀୟ ନିଷ୍ପତ୍ତିକୁ ମାନିଲେନି ? କାହିଁକି ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ ? ଏହା ପଛରେ ରହସ୍ୟ କଣ ? ନବୀନଙ୍କ ନିବେଦନ ପରେ ଏହି କ୍ରସ ଭୋଟିଂ କି ? ଯଦି ଏହା ସତ ତେବେ ମୋକିମ କଣ ବିଜେଡି ମୁହାଁ ?
ରାଜ୍ୟ ରାଜନୀତିରେ ଏବେ ଏମିତି ଅନେକ ଚର୍ଚ୍ଚା । ମୋକିମ ଏବେ କଟକ ବାରବାଟୀରୁ କଂଗ୍ରେସ ବିଧାୟକ ଅଛନ୍ତି । ଦେବାଶିଷ ସାମନ୍ତରାୟଙ୍କୁ ହରାଇ ମୋକିମ୍ ଏହି ଆସନରୁ ବିଜୟୀ ହୋଇଛନ୍ତି । ତେବେ ଦେବାଶିଷ ସାମନ୍ତରାୟ ପାରାଦୀପ ଆସନରୁ ଲଢେଇ କରିବା ପାଇଁ ମନ ବଳାଇଥିବା ଚର୍ଚ୍ଚା ହେଉଛି । ଯଦି ଏମିତି ହୁଏ ତେବେ ବିଜେଡି, ମୋକିମଙ୍କୁ ଦଳରେ ସାମିଲ କରି ଏହି ଆସନ ପାଇଁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ମୋକିମ୍ ଦଳରେ ଯୋଗଦେଇ ପାରନ୍ତି କି ବୋଲି ପ୍ରଶ୍ନର ଉତ୍ତର ଦେଇ କଟକ ମେୟର ସୁବାସ ସିଂ କହିଛନ୍ତି ପାର୍ଟି ଯାହା ନିଷ୍ପତ୍ତି ନେବ । ସେପଟେ ମୋକିମ୍ କିନ୍ତୁ କହିଛନ୍ତି ସେ କଂଗ୍ରେସରେ ଅଛନ୍ତିି ଆଉ ରହିବେ ।
ଅନ୍ୟ ପଟେ ମୋକିମଙ୍କ କ୍ରସ ଭୋଟିଂକୁ ସହଜରେ ଗ୍ରହଣ କରିପାରୁନି କଂଗ୍ରେସ । ବିଧାୟକ ତାରା ବାହିନୀପତି ଏବଂ ସୁରେଶ ରାଉତରାୟ ମୋକିମଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସୁର । କ୍ରସ ଭୋଟିଂ ନେଇ ହାଇକମାଣ୍ଡଙ୍କୁ ଜଣାଯାଇଛି, ଭୋଟିଂ ନେଇ ତଥ୍ୟ ମଗାଯାଇଛି, ରିପୋର୍ଟ ଆସିଲା ପରେ ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି ପିସିସି ସଭାପତି । ତେବେ ମୋକିମ ବିଜେଡିରେ ଯୋଗ ଦେଇପାରନ୍ତି ପ୍ରଶ୍ନରେ ଶରତ ପଟ୍ଟନାୟକ କହିଛନ୍ତି ଆମ ଭିତରେ କିଛି ମତଭେଦ ନାହିଁ, ମୁଁ ଚାହେଁ ସେ କଂଗ୍ରେସରେ ରୁହନ୍ତୁ ।
ଏବେ ଦେଖିବା କଥା ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ କରି ଦଳୀୟ ଶୃଙ୍ଖଳା ଭଙ୍ଗକରିଥିବା ମହମ୍ମଦ ମୋକିମଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଉଛି କଂଗ୍ରେସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)