ସୁର କହିଲେ ସାନ ପୁଅ କଂଗ୍ରେସରୁ ଲଢ଼ିବ, ହେଲେ ଦୁଇ ପୁଅ ରଖିଲେ ଭିନ୍ନ ମତ !

ଆଗକୁ ଶଙ୍ଖ ଫୁଙ୍କିବେ କି ସୁରଙ୍କ ପରିବାର? ନବୀନ ନିବାସରେ ସୁର-ସିଏମଙ୍କ ସାକ୍ଷାତକାର ।

Odisha Politics

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ଫାଇଭ୍ T ସଚିବଙ୍କ ସହ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ବଡ଼ ପୁଅ ସିଦ୍ଧାର୍ଥ । ଗତକାଲିଠୁ ସୋସିଆଲ ମିଡିଆ ରେ ଭାଇରାଲ ହେଇ ଚାଲିଥିବା ଏ ଫଟୋ ଦେଉଛି କେଉଁ ସନ୍ଦେଶ ? ସୁର ଏବଂ ତାଙ୍କ ଉତ୍ତରପୀଢ଼ିର ରାଜନୈତିକ ଭବିଷ୍ୟତର ଗତି କୁଆଡ଼େ ? ଆଗକୁ ହାତ ଛାଡ଼ି ଶଙ୍ଖ ଫୁଙ୍କିବେ କି ସୁର ପରିବାର ?

ଫଟୋ ସାମ୍ନାକୁ ଆସିବା ପରଠୁ ସାଧାରଣରେ ଏମିତି ଅନେକ ଚର୍ଚ୍ଚା ପରେ ଆଜି ସକାଳୁ ପ୍ରଥମେ ମୁହଁ ଖୋଲିଥିଲେ ସୁର । କହିଥିଲେ ମୁଁ ଆଉ ଲଢ଼ିବିନି । ସାନ ପୁଅ ମନ୍ମଥ ଜଟଣୀରୁ କଂଗ୍ରେସ ରୁ ନିର୍ବାଚନ ଲଢ଼ିବ । ତେବେ ବଡ଼ ପୁଅ ସିଦ୍ଧାର୍ଥ ଦୁଃସାହସିକ କ୍ରୀଡ଼ାରେ ପାହାଡ଼ ଚଢ଼ି ରେକର୍ଡ କରିଥିବାରୁ କାଲି ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ହୋଇଥିଲା, ଏଠି ରାଜନୈତିକ ଚର୍ଚ୍ଚା ହୋଇନଥିବା କହିଥିଲେ ସୁର।

ହେଲେ ସୁରଙ୍କ କହିବା ଭଳି ସତରେ ଏ ସାକ୍ଷାତ ବେଳେ କେବଳ ସିଦ୍ଧାର୍ଥଙ୍କ ଦୁଃସାହସିକ କ୍ରୀଡ଼ା କଥା ଉଠିଥିଲା, ନା ରାଜନୀତି ଖେଳ ବି ହୋଇଥିଲା? କାରଣ ବାପା ସୁରଙ୍କ ପରେ ପ୍ରତିକ୍ରିୟା ଦେଇ ପୁଅ ସିଦ୍ଧାର୍ଥ କିନ୍ତୁ ନିଜ ରାଜନୈତିକ ଉଚ୍ଚାକାଂକ୍ଷାକୁ ଚାପି ପାରି ନାହାନ୍ତି । କହିଛନ୍ତି ୨୦୨୪ ନିର୍ବାଚନରେ ମୁଁ ବି ବିଧାୟକ ପାଇଁ ଲଢ଼ିବି । ବାପାଙ୍କ ହିସାବରେ ନୁହେଁ, ନିଜେ ନିଷ୍ପତ୍ତି ନେଇ ଆଗକୁ ବଢ଼ିବି । ହେଲେ ଜଟଣୀରୁ ଠିଆ ହେବିନି, ଅନ୍ୟ କେଉଁଠୁ ଠିଆ ହେବି, କେଉଁ ଦଳରୁ ଠିଆ ହେବି ସମୟ କହିବ ।

ଏପଟେ ଜଟଣୀରୁ ସାନପୁଅ ମନ୍ମଥ ନିର୍ବାଚନ ଲଢ଼ିବା ନେଇ ସୁରଙ୍କ ଘୋଷଣାକୁ ମନ୍ମଥ ସ୍ୱାଗତ କରିଛନ୍ତି ସତ, ହେଲେ କେଉଁ ନିର୍ଦ୍ଦିଷ୍ଟ ଦଳରୁ ଲଢ଼ିବେ ତାହା କିନ୍ତୁ ସ୍ପଷ୍ଟ କରିନାହାନ୍ତି ।

ଏପଟେ ଜଟଣୀ ପାଇଁ ପୁଅ ମନ୍ମଥଙ୍କୁ ନେଇ ସୁରଙ୍କ ଯୋଜନାକୁ ଜଟଣୀ କଂଗ୍ରେସ ସ୍ୱାଗତ କରିଛି । ତେବେ କଂଗ୍ରେସ ଦଳରୁ ଅନ୍ୟ କାହାକୁ ପ୍ରାର୍ଥୀ ନକରି ସୁର ପରିବାରବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରିଛନ୍ତି ଉଭୟ ବିଜେପି ଓ ବିଜେଡି ।

ନବୀନ ନିବାସରେ ସୁର-ସିଏମଙ୍କ ଫଟୋ ପରେ ସୁରଙ୍କ ସଫେଇ ଏବଂ ଦୁଇ ପୁଅଙ୍କ ଭିନ୍ନମତ, କେବଳ ରାଜ୍ୟ ରାଜନୀତି ନୁହେଁ, ୨୪ ଲଢ଼େଇ ପାଇଁ ଅସ୍ତିତ୍ୱ ଖୋଜୁଥିବା କଂଗ୍ରେସର ରାଜନୀତି ବି ସରଗରମ ।