• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର, (ରିପୋର୍ଟ-ସୌମ୍ୟରଞ୍ଜନ, ହରିହର ଚାନ୍ଦ ): ଲଗାତାର ପଞ୍ଚମ ଦିନ ପାଇଁ ବିଧାନସଭା ଅଚଳ । ମମିତା ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ବିଜେପି ଓ କଂଗ୍ରେସ୍ ଅଡ଼ି ରହିଥିବା ବେଳେ ବିଜେଡି ଆଜି "ପାଇକ" କାର୍ଡ ଖେଳି କାଉଣ୍ଟର କରିଛି । ସେପଟେ ବିଜେପି ଚିଠି ଶୋଭାଯାତ୍ରା କରି ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ ବୋଲି ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପୋଷ୍ଟ କରିଛି ।

ମମିତା ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗମା ଜାରି ରହିଛି । ବିରୋଧୀ ମମିତା ପ୍ରସଙ୍ଗରୁ ପଛକୁ ହଟୁନଥିବା ବେଳେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି କରିଛି ବିଜେଡି । ଉଭୟ ପକ୍ଷ ମୁହାଁମୁହିଁ ମଧ୍ୟରେ ପଞ୍ଚମ ଦିନ ପାଇଁ ଅଚଳ ରହିଛି ଗୃହ । ଆଜି ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢି ପୋଷ୍ଟର ବ୍ୟାନର ଦେଖାଇଥିଲେ । ବିଜେପି ସଦସ୍ୟ, ଗୃହ ମଧ୍ୟଭାଗରେ ପ୍ରବଳ ହୋହଲ୍ଲା କରୁଥିବା ବେଳେ ବିଜେଡି ସଦସ୍ୟ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ନିଜ ନିଜ ସ୍ଥାନରେ ପ୍ରତିବାଦ କରିଥିଲେ ।

 

ଏହା ପରେ ପରେ ବିଜେପି ଆରମ୍ଭ କରିଥିଲା ଚିଠି ଶୋଭାଯାତ୍ରା । ପୋଷ୍ଟର, ବ୍ୟାନର୍ ଧରି ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ମୁଖ୍ୟ ଡାକଘରକୁ ଯାଇଥିଲେ ଦଳୀୟ ସଦସ୍ୟ । ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସନ୍ତୁ ବୋଲି ଦାବି କରି ଲେଖାଯାଇଥିବା ଚିଠିକୁ ମୁଖ୍ୟମନ୍ତ୍ରୀ ନିକଟକୁ ପୋଷ୍ଟ କରିଥିଲେ । ଅଭିଯୋଗ କରିଥିଲେ ଯେ, ମୁଖ୍ୟମନ୍ତ୍ରୀ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି । ଅଞ୍ଜନା ଗଣଦୁଷ୍କର୍ମ ବେଳେ ନବୀନଙ୍କ ଆଭିମୁଖ୍ୟ ଓ ଏବେକାର କଥା ଉଠାଇ ସମାଲୋଚନା କରିଛନ୍ତି ।

ସେପଟେ ମମିତା ପ୍ରସଙ୍ଗକୁ ନେଇ କଂଗ୍ରେସ୍ ବି ଜୋରଦାର ପ୍ରତିବାଦ କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ ଦୋହରାଇଛି । ବିଜେଡି କହିଛି ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ, କେବଳ ମିଡିଆରେ ଚର୍ଚ୍ଚାରେ ରହିବାକୁ ଏଭଳି କରୁଛନ୍ତି । 

ସେହିଭଳି ଦରଦାମ ବୃଦ୍ଧି ପରେ ଆଜି ପାଇକ କାର୍ଡ ଖେଳି ବିଜେପିକୁ କାଉଣ୍ଟର କରିଛି ବିଜେଡି । ପ୍ରଶ୍ନ କାଳରେ ବିରୋଧୀ ମମିତା ପ୍ରସଙ୍ଗରେ ହଙ୍ଗାମା କରୁଥିବା ବେଳେ ବିଜେଡି ବିଧାୟକମାନେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ନିଜ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବିରେ ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଥିଲେ ବିଜେଡି ସଦସ୍ୟ । ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଦେଇଥିବା ଉତ୍ତରକୁ ନେଇ କେନ୍ଦ୍ର ଉପରେ ବର୍ଷିଛି ଦଳ ।

ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡ୍ଡୀ କହିଥିଲେ ଯେ, ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ହିଷ୍ଟୋରିକାଲ୍ ରିସର୍ଚ୍ଚ- ICHRର ମତ ଅନୁଯାୟୀ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କୁହାଯାଇପାରିବ ନାହିଁ । ଏହା ଓଡ଼ିଆ ସ୍ୱାଭିମାନ, ଅସ୍ମିତା, ପରମ୍ପରା ଓ ଐତିହ୍ୟ ପ୍ରତି ଏକ କୁଠାର ଘାତ ବୋଲି ବିଜେଡି କହିଛି । ଏହି ପ୍ରସଙ୍ଗରେ ଏକ ଏକ୍ସପର୍ଟ କମିଟି ଗଠନ କରାଯାଉ ବୋଲି ଦାବି କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ଦିନେ କି ଦୁଇ ଦିନ ନୁହଁ, ଲଗାତାର ପଞ୍ଚମ ଦିନ ଧରି ଗୃହରେ ଏଭଳି ହୋହଲ୍ଲା ଓ ଅଚଳାବସ୍ଥା ଲାଗି ରହିଥିବା ସତ୍ତ୍ୱେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁ ନଥିବାରୁ ବିରୋଧୀ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଅପରାହ୍ନରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହ କିପରି ସୁରୁଖୁରରେ ଚାଲିବ ସେ ସଂପର୍କରେ ଆଲୋଚନା କରିଥିଲେ ।