Advertisment

ମନ୍ତ୍ରୀଙ୍କୁ କ୍ଳିନଚିଟ୍ ଦେଇ ବିରୋଧୀଙ୍କ ନିଶାନାରେ ଉତ୍ତରାଞ୍ଚଳ ଡିଆଇଜି

ମାସେରୁ ଅଧିକ ସମୟ ଧରି ମମିତା ପ୍ରସଙ୍ଗକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ତେବେ ନା ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି, ନା ମମିତା ହତ୍ୟାର ତଦନ୍ତ ଆଗକୁ ବଢୁଛି।

author-image
Chandan Shishu
Opposition targets DIG

Opposition targets DIG

ଭୁବନେଶ୍ୱର: ତୀବ୍ର ହେଉଛି ମମିତା ହତ୍ୟାକାଣ୍ଡ ବିବାଦ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ବଢୁଛି ଚାପ। ଆଉ ଏବେ ଟାର୍ଗେଟ୍‌ରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର। ଶନିବାର ବରିଷ୍ଠ ବିଜେପି ନେତା ବିଜୟ ମହପାତ୍ର ଓ ଦୀପକ କୁମାର ମୁହାଁମୁହିଁ ହେବାପରେ ଗତକାଲି ବିଜେପି, କଂଗ୍ରେସ ସହ  ପୂର୍ବତନ ପୋଲିସ ଡିଜି ଓ ବରିଷ୍ଠ ଆଇନଜୀବୀଙ୍କ ଟାର୍ଗେଟ୍‌ରେ ଥିଲେ ଦୀପକ କୁମାର। ଆଜି ପୁଣି ଡିଆଇଜିଙ୍କୁ ସିଧା ନିଶାନା କରିଛନ୍ତି ପୂର୍ବତନ ପୋଲିସ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର। ସେ କହିଛନ୍ତି ଏହି ହତ୍ୟାକାଣ୍ଡର ଲିଙ୍କ୍ ଦୁଇଟି ଜିଲ୍ଲା କଳାହାଣ୍ଡି ଓ ବଲାଙ୍ଗିରରେ ଥିବାରୁ ଏହାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦେବାର ଥିଲା।

Advertisment

ତେବେ କେସ୍‌କୁ ଦୁର୍ବଳ କରିବାକୁ ପୋଲିସ୍‌କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ତଦନ୍ତ ପ୍ରକ୍ରିୟାକୁ ନେଇ ଦୀପକ କୁମାର ଯେଉଁ ବିବୃତି ଦେଉଛନ୍ତି ସେଥିପାଇଁ ସେ ଉପଯୁକ୍ତ ନୁହଁନ୍ତି। କାରଣ ହତ୍ୟାକାଣ୍ଡ ଘଟିଥିବା କଳାହାଣ୍ଡି ଜିଲ୍ଲା ଉତ୍ତରାଂଚଳ ରେଞ୍ଜ୍ ଅଧୀନରେ ଆସୁ ନାହିଁ। ବରଂ ଏହା ଦକ୍ଷିଣ-ପଶ୍ଚିମାଚଂଳ ଡିଆଇଜିଙ୍କ ଅଧୀନରେ ଆସୁଛି। ଏହାବ୍ୟତୀତ ମହାଲିଙ୍ଗ କଲେଜରେ ଚାଲିଥିବା କେଳେଙ୍କାରୀର ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ସେପଟେ ବିଜେଡି କହିଛି- ଯଦି ପୋଲିସ୍ ତଦନ୍ତ ନେଇ ପ୍ରକାଶ ମିଶ୍ରଙ୍କ କିଛି ସନ୍ଦେହ ଅଛି, ସେ ଉପଯୁକ୍ତ ଫୋରମ୍‌ରେ ଏହି ପ୍ରସଙ୍ଗ ଉଠାନ୍ତୁ। 

ସେପଟେ ମମିତା ମାମଲାରେ ମନ୍ତ୍ରୀମାନଙ୍କୁ ବିରୋଧ ଜାରି ରହିଛି। ଆଜି ଝାରସୁଗୁଡ଼ାରେ ମନ୍ତ୍ରୀ ନବ ଦାସ ଓ ସୁଶାନ୍ତ ସିଂଙ୍କୁ ଏବଂ ପୁରୀ ଜିଲ୍ଲା ଗୋପ୍‌ରେ ସମୀର ଦାଶଙ୍କୁ କଳାପତାକା ଦେଖାଇଛି ବିଜେପି। ସେପଟେ ମମିତା ତାତି ଆଗାମୀ ବିଧାନସଭା ଅଧିବେଶନରେ ବି ଅନୁଭୂତ ହେବ ବୋଲି ଏବେ ଠାରୁ ଆଭାସ ମିଳିଲାଣି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଜୋରାଦାର ବିରୋଧ କରାଯିବ, ଏପରିକି ତାଙ୍କୁ ବିଧାନସଭାରେ ପୂରେଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି।

Advertisment

ହତ୍ୟାକାଣ୍ଡ, ଶିକ୍ଷାନୁଷ୍ଠାନରେ ଯୌନ କେଳେଙ୍କାରୀ ଅଭିଯୋଗ ଭଳି ସଂଗୀନ୍ ମାମଲାରେ ମନ୍ତ୍ରୀଙ୍କ ନାଁ ଉଠୁଥିବାରୁ ବିଧାନସଭା ଭଳି ପବିତ୍ର ଗୃହକୁ ସେ ଆସିଲେ ଗୃହର ମର୍ଯ୍ୟାଦା ହାନୀ ହେବ ବୋଲି ବିରୋଧୀ ଦଳ କହିଛନ୍ତି। ଏହାର ଜବାବ ରଖିଛି ବିଜେଡି। ମାସେରୁ ଅଧିକ ସମୟ ଧରି ମମିତା ପ୍ରସଙ୍ଗକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ତେବେ ନା ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି, ନା ମମିତା ହତ୍ୟାର ତଦନ୍ତ ଆଗକୁ ବଢୁଛି।

ରିପୋର୍ଟ: ହରିହର ଚାନ୍ଦ

Odisha Police Mamita Murder Case
Advertisment
Advertisment