• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଧାନସଭାରେ 5T ସଚିବ ଝଡ଼ । ବିରୋଧୀ ବିଜେପି ସଦସ୍ୟଙ୍କ ହୋହଲ୍ଲା, ସରକାରଙ୍କ ବିରୋଧରେ ପ୍ରବଳ ନାରାବାଜି। ସେପଟେ ଜାତୀୟ ରାଜପଥ ପ୍ରକଳ୍ପରେ ଅବହେଳା କଥା ଉଠାଇ ବିଜେଡିର ପାଲଟା ପ୍ରତିବାଦ । ପ୍ରଶ୍ନକାଳରେ ପ୍ରବଳ ହଟ୍ଟଗୋଳ ଭିତରେ ୧୧ ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି । ତେବେ ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ନିଜ ଆଡୁ CMO ଦ୍ୱାରା ଅଭିଯୋଗ ଶୁଣାଣି ନେଇ ରଖିଥିଲେ ବିବୃତି । 5T ସଚିବଙ୍କ ଗସ୍ତକୁ ଯଥାର୍ଥ ଦର୍ଶାଇ ବିରୋଧୀ ଉଠାଇ ଆସିଥିବା ଗୋଟି ଗୋଟି ପ୍ରଶ୍ନର ଉତ୍ତର ରଖିଥିଲେ ନବୀନ।

ଗତ କିଛି ମାସ ହେଲା ବିରୋଧୀ ଯେଉଁ ଯେଉଁ ପ୍ରଶ୍ନ ଉଠାଇଥିଲେ, ତାହାର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କ ଏକ ବଡ଼ ପ୍ରଶ୍ନ ଥିଲା, କାହା ନିର୍ଦ୍ଦେଶରେ 5T ସଚିବ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି, ଅଭିଯୋଗ ଶୁଣାଣି ପାଇଁ ଅନେକ ବ୍ୟବସ୍ଥା ଥିବା ସତ୍ତ୍ୱେ କାହିଁକି ସଚିବଙ୍କ ଅଭିଯୋଗ ଶୁଣାଣି ପାଇଁ ଆଡ଼ମ୍ବରପୂର୍ଣ୍ଣ ଆୟୋଜନ କରାଯାଉଛି ? ମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କ ନିର୍ଦ୍ଦେଶରେ ହିଁ ଅଭିଯୋଗ ଶୁଣାଣି ପାଇଁ ଡୋର୍ ଷ୍ଟେପ୍‌କୁ ଯାଇଛି ସିଏମ୍ଓ । କୋଭିଡ୍ ପରେ ଅଭିଯୋଗ ଆସିବା କମିଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା ।

ବିରୋଧୀଙ୍କ ଆଉ ଏକ ପ୍ରଶ୍ନ ଥିଲା- ସବୁ ସ୍ଥାନକୁ ଯାଇ ରାଜନେତାଙ୍କ ଭଳି ସଭା କରୁଛନ୍ତି ସଚିବ, ଅଭିଯୋଗର ସମାଧାନ କେତେଦୂର ହେଉଛି ? ନବୀନ କହିଛନ୍ତି, ୬ ମାସରେ ୧୯୦ଟି ସ୍ଥାନରେ ଅଭିଯୋଗ ଶୁଣାଣି ହୋଇଛି । ୫୭ ହଜାର ୪୪୨ ଅଭିଯୋଗ ସଂଗ୍ରହ କରାଯାଇଛି । ତା ମଧ୍ୟରୁ ୪୩ ହଜାର ୫୩୬ଟିର ସମାଧାନ କରାଯାଇଛି। ଏହାକୁ ବିଶ୍ୱର ସବୁଠୁ ବଡ଼ ଅଭିଯୋେଗ ଶୁଣାଣୀ ବୋଲି ଉଲ୍ଲେଖ କରିଛନ୍ତି ନବୀନ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଥିଲା- ମନ୍ତ୍ରୀ ବଡ଼ ନା ସଚିବ ବଡ଼ ? ମନ୍ତ୍ରୀ, ବିଧାୟକମାନଙ୍କୁ ଗୌଣ କରାଯାଇ ସଚିବଙ୍କୁ ସର୍ବେସର୍ବା କରାଯିବା କେତେଦୂର ଠିକ୍ ? ବିବୃତ୍ତିରେ ନବୀନ କହିଛନ୍ତି, ମୁଖ୍ୟମନ୍ତ୍ରଙ୍କ ଅଭିଯୋଗ ସେଲ୍ ସବୁବେଳେ ସିଏମ୍ଓ ଦ୍ୱାରା ପରିଚାଳିତ ହୁଏ । ଅଭିଯୋଗ ପାଇବା ପରେ ବିଭାଗକୁ ପଠାଯାଏ । ତା ଉପରେ ମନ୍ତ୍ରୀମାନେ ପଦକ୍ଷେପ ନିଅନ୍ତି । ଏହା ଏକ ଟିମ୍  ୱାର୍କ ।

ବିରୋଧୀ ଅଭିଯୋଗ କରିଥିଲେ, ସଚିବଙ୍କ ହେଲିକେପ୍ଟର ଗସ୍ତ ଖର୍ଚ୍ଚ ୩୦୦ କୋଟିରୁ ଅଧିକ। ଜନଶୁଣାଣି ନାଁରେ ଏକ ପ୍ରକାର ନିର୍ବାଚନୀ ପ୍ରଚାର କରାଯାଉଛି । ଉତ୍ତର ଆସିଛି- ଗତ ସାଢ଼େ ତିନି ବର୍ଷରେ ଚପର୍ ବାବଦରେ ୪୦ କୋଟି ଖର୍ଚ୍ଚ ହୋଇଛି । ସେ ହିସାବରେ ଦେଖିବାକୁ ଗଲେ ପ୍ରତି ମାସରେ କୋଟିଏରୁ ଦେଢ କୋଟି ଖର୍ଚ୍ଚ ହୋଇଛି । ଅଧିକ ଖର୍ଚ୍ଚ ନେଇ ବିରୋଧୀଙ୍କ ଅଭିଯୋଗ ମିଥ୍ୟା ଓ ବିଭ୍ରାନ୍ତିକର । ଅଭିଯୋଗ ଶୁଣାଣିକୁ ସମାଲୋଚନା କରିବା ଜନ ବିରୋଧୀ, ଲୋକମାନେ ତାର ଜବାବ ଦେବେ। ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତି ଆସିବା ପରେ ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ ।

ପ୍ରଶ୍ନ ଉଠୁଛି ହଠାତ୍ କାହିଁକି CMOର ଅଧିକାରୀଙ୍କ ଗସ୍ତ ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ରଖିଲେ? ଗତ କିଛି ମାସ ହେଲା ବିରୋଧୀଙ୍କ ନିଶାନା ପରେ ଚାପରେ ମୁହଁ ଖୋଲିଲେ କି ନବୀନ ? ସଚିବଙ୍କ ଗସ୍ତକୁ ନେଇ ସରକାର ବିରୋଧରେ ନକରାତ୍ମକ ମାହୋଲ୍ ସୃଷ୍ଟି ହେଉଥିବାରୁ ବିବୃତି ରଖିବାକୁ ବାଧ୍ୟ ହେଲେ କି ମୁଖ୍ୟମନ୍ତ୍ରୀ ?

ଗୋଟିଏ ପଟେ ସଚିବଙ୍କ ଗସ୍ତ ନେଇ ବିଜେପି ବିଧାୟକମାନେ ପଚାରିଥିବା ପ୍ରଶ୍ନକୁ ଖାରଜ କରିଦେଇଥିଲେ ସରକାର। ଅନ୍ୟପକ୍ଷରେ ମନ୍ତ୍ରୀ ବଡ଼ ନା ସଚିବ ବଡ଼ ସଂପର୍କିତ ମୁଲତବୀ ନୋଟିସକୁ ଗ୍ରହଣ କରିନଥିଲେ ବାଚସ୍ପତି। ଯାହାକୁ ନେଇ ଆଜି ଗୃହରେ ହଙ୍ଗାମା ହୋଇଥିଲା ।

 

  • Reported by:
  • HARIHARA CHAND , JAGDISH DAS