• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜଭବନ ଛକରୁ ଏଜି ଛକ, ବିଧାନସଭା ସମ୍ମୁଖ ରାସ୍ତା, କ୍ୟାପିଟାଲ ହସ୍ପିଟାଲରୁ ଏୟାରପୋର୍ଟ ରାସ୍ତା, ଶିଶୁଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ ଛକ । ରାଜଧାନୀର କେବଳ ଏଇ ୪ ପ୍ରମୁଖ ସ୍ଥାନ ନୁହେଁ ବରଂ ଯୁଆଡ଼କୁ ଦେଖିବ ସେଠି ଥିଲା ଅସମ୍ଭାଳ ସ୍ଥିତି । ଭିଡ଼ ଭିତରେ ଫସି ରହିଥିଲା ଗଣ୍ଡା ଗଣ୍ଡା ଆମ୍ବୁଲାନ୍ସ ।

କିଏ ଭେଣ୍ଟିଲେଟର ସପୋର୍ଟରେ ରୋଗୀ ଆଣିବାକୁ ଯାଉଥିଲା ତ ଆଉ କିଏ ଅକ୍ସିଜେନ୍ ବ୍ୟବସ୍ଥା ସହ ପେସେଣ୍ଟ ରିସିଭ୍ କରିବାର ଥିଲା । କିନ୍ତୁ କ୍ୟାପିଟାଲ ସିଟି ଭିତରେ ହଠାତ ଏତେ ସଂଖ୍ୟାରେ ବିଜେଡି ପତାକା ଲାଗି ଗାଡ଼ିର ଉପସ୍ଥିତି ପରେ ବିଗିଡ଼ି ଯାଇଥିଲା ଟ୍ରାଫିକ୍ ବ୍ୟବସ୍ଥା । ଅଣାୟତ୍ତ ହୋଇପଡ଼ିଥିଲା ଅବସ୍ଥା । ନାଚାର ହୋଇପଡ଼ିଥିଲେ ଟ୍ରାଫିକ୍ ପୋଲିସ । ଫଳରେ ରୋଗୀ ଧରି ହସ୍ପିଟାଲ ଅଭିମୁଖେ ଯାଉଥିବା ଆମ୍ବୁଲାନ୍ସ ନା ଆଗକୁ ଯାଇପାରୁଥିଲା, ନା ପଛକୁ ଫେରି ଅନ୍ୟ ରାସ୍ତା ଧରିବାର ଚାରା ଥିଲା ।

କାକୁତି ମିନତି କି ବିକଳ ଅନୁନୟ ବିନୟ କରିବାର ଅବସର ବି ନଥିଲା । କାରଣ ବିମାନବନ୍ଦରକୁ ସଂଯୋଗ କରୁଥିବା ସହରର ସବୁ ଓସାରିଆ ରାସ୍ତାକୁ କବଜା କରି ନେଇଥିଲେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର ସଂଖ୍ୟାରେ ବିଜେଡି ନେତା-କର୍ମୀଙ୍କ ଯାନବାହନ ।

ନବୀନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ବିଭିନ୍ନ ଜିଲ୍ଲାରୁ ଛୁଟି ଆସିଥିବା ନେତା, କର୍ମୀ ଓ ସମର୍ଥକଙ୍କ ଭିତରେ ଉତ୍ସାହ ଯେତିକି ଥିଲା, ସେମାନଙ୍କ ଏ ଅଘୋଷିତ ଉପସ୍ଥିତିରୁ ସୃଷ୍ଟି ହୋଇଥିବା ଗୁରୁତର ଟ୍ରାଫିକ ଜାମରେ ସେତିକି ନାକେଦମ ହୋଇଥିଲେ ସାଧାରଣ ଜନତା । ଜଣେ ବ୍ୟକ୍ତି ମାଆ ଓ ଭଉଣୀଙ୍କୁ ଧରି ଶିଶୁଭବନ ଛକରୁ ରେଲ୍‌ୱେ ଷ୍ଟେସନ ଯିବାର ଥିଲା । କିନ୍ତୁ ସହରରେ ଭିଡ଼ ରାସ୍ତା କାଟି ସେମାନଙ୍କ ନିକଟରେ ପହଞ୍ଚି ପାରୁନଥିଲା କ୍ୟାବ୍ କି ଟାକ୍ସି । ତେଣୁ ଚାଲି ଚାଲି ଯିବାର ହିଁ ଏକମାତ୍ର ମାଧ୍ୟମ ଥିଲା ।

ସେହିଭଳି ଆଉ ଜଣେ ବ୍ୟକ୍ତି ସକାଳୁ ନିଜ ବାପାଙ୍କୁ ଅଟୋରେ ଧରି କ୍ୟାପିଟାଲ ହସ୍ପିଟାଲ ଆସିଥିଲେ ଆଖି ଅପରେସନ କରିବାକୁ । କିନ୍ତୁ ଫେରିଲା ବେଳକୁ ରାସ୍ତାରେ ନା ଥିଲା ଅଟୋ ନା ଟାଉନ୍ ବସ୍ । କେବଳ ପେଁ ପାଁ ଶବ୍ଦ ଭିତରେ ଅପେକ୍ଷା କରିବା ହିଁ ସାର ଥିଲା । ସେହିଭଳି ବିମାନ ବନ୍ଦର କି ଅନ୍ୟ କିଛି ଜରୁରୀ କାମରେ ଘରୁ ବାହାରିଥିବା ଲୋକେ ବି ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହିଥିଲେ ।

ବିମାନବନ୍ଦରକୁ ସଂଯୋଗ କରୁଥିବା ରାଜଧାନୀର ସମସ୍ତ ମୁଖ୍ୟ ରାସ୍ତାରେ ସକାଳ ପ୍ରାୟ ୭ଟାରୁ ଆରମ୍ଭ ହୋଇଥିବା ଏଭଳି ଭିଡ଼ ଅପରାହ୍ନ ପ୍ରାୟ ୨ଟା ଯାଏଁ ଲାଗି ରହିଥିଲା ।

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରାୟ ୭ ଘଂଟା ଧରି ଟ୍ରାଫିକ୍ ଜାମରେ ନାକେଦମ୍ ହେଲେ ଶହ ଶହ ଲୋକ। ହେଲେ ଭୁବନେଶ୍ୱର ମେୟର କହିଛନ୍ତି, ଲୋକେ ଆନନ୍ଦିତ । ସ୍ୱତପ୍ରବୃତ୍ତ ଭାବେ ଜନସମୁଦ୍ର ହୋଇଥିଲା କାହାର କିଛି ବି ଅସୁବିଧା ହୋଇନାହିଁ । ଯଦି ବି ହୋଇଛି, ଲୋକେ ଏହି ଅସୁବିଧାକୁ ହଜମ କରି ନେଇଛନ୍ତି ।