• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଝାରବନ୍ଧ, ପାଇକମାଳ ଓ ପଦ୍ମପୁର । ବରଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ତିନି ତିନିଟି ସରକାରୀ ସଭା । ସବୁଠି କିନ୍ତୁ ନିର୍ବାଚନୀ ସଭା ଭଳି ଭାଷଣବାଜି । ପୁଣି ପ୍ରତିଶ୍ରୁତିରେ ରହିଲା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି । ବରଗଡ଼ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ ବେଳେ ମୁଖ୍ୟମନ୍ତ୍ରୀ ସବୁଠି ନିର୍ବାଚନୀ ସଭା ଭଳି ସରକାରଙ୍କ ସଫଳତା ବଖାଣିଲେ । ତେବେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗକୁ ପୁଣି ଥରେ ଝୁଲାଇ ରଖିଲେ । ଆସନ୍ତା ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ହେବ ବୋଲି ପ୍ରତିଶ୍ରୁତି ସିନା ଦେଲେ କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ମାସ ସୁଦ୍ଧା ହେବ ସେ ନେଇ କିଛି କହିନଥିଲେ।

ଅନ୍ୟପକ୍ଷରେ କିନ୍ତୁ ପରୋକ୍ଷରେ ବିଜେପିକୁ କଟାକ୍ଷ କରିଥିଲେ ନବୀନ । ପଦ୍ମପୁର ବାଇ-ଇଲେକ୍ସନ ବେଳେ କେନ୍ଦ୍ରମନ୍ତ୍ରୀମାନେ ଦେଇଥିବା ପ୍ରତିଶ୍ରୁତି କଥା ମନେ ପକାଇ କହିଥିଲେ ‘ରେଲୱେ ପ୍ରକଳ୍ପ, ଧାନ ସଂଗ୍ରହ, ଫସଲ ବୀମା ଓ କେନ୍ଦୁପତ୍ର ସବସିଡି ନେଇ ସେମାନେ ଯାହା ଘୋଷଣା କରିଥିଲେ, ନୃସିଂହନାଥଙ୍କୁ ପ୍ରାର୍ଥନା ସେ ପ୍ରତିଶ୍ରୁତି ସବୁ ତାଙ୍କୁ ଟିକେ ମନେ ପକାଇ ଦିଅନ୍ତୁ ।

ସେପଟେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ ଓ ପଦ୍ମପୁର ଜିଲ୍ଲା ଘୋଷଣାରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରତିଶ୍ରୁତି ଏବେ ବି ଘୋଷଣାରେ ସୀମିତ । ଜିଲ୍ଲା ଘୋଷଣାର ନିର୍ଦ୍ଧାରିତ ତାରିଖ ନକହିବା ପଦ୍ମପୁରବାସୀଙ୍କ ପ୍ରତି ପ୍ରତାରଣା ସଦୃଶ ନୁହେଁ କି ? ତା ସହିତ ସୋହେଲାରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ୍ ରାଜ୍ୟ ସରକାର ଦେଇଛନ୍ତି କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।

ସେହିପରି ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି ନବୀନ ଆଗ ପଦ୍ମପୁରକୁ ଚିହ୍ନନ୍ତୁ ଓ ସମସ୍ୟା ବୁଝନ୍ତୁ । ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ପାଇଁ ଜମି ଏବେ ଯାଏଁ ରାଜ୍ୟ ସରକାର ଯୋଗାଇ ଦେଲେନି । ବିଜେପି ନେତା ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ଜିଲ୍ଲା ମାନ୍ୟତା ପ୍ରଦାନ ନେଇ ନବୀନ ପଦ୍ମପୁରବାସୀଙ୍କୁ ଧୋକା ଦେଇଛନ୍ତି । ଚାଷୀଙ୍କୁ ଦେଇଥିବା ୨ଶହ କୋଟିର ଇନପୁଟ୍ ସବସିଡି ଓ କେନ୍ଦୁପତ୍ର ତୋଳାଳିଙ୍କୁ ଶହେ ପର୍ସେଣ୍ଟ ବୋନସ୍ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ବି ପାଲଟା ପ୍ରଶ୍ନ କରିଛନ୍ତି ପ୍ରଦୀପ ।

ପଦ୍ମପୁର ଉପ-ନିର୍ବାଚନ ବେଳେ ଉଭୟ ବିଜୁ ଜନତା ଦଳ ଓ ରାଜ୍ୟ ସରକାରଙ୍କୁ ଅକଳରେ ପକାଇଥିବା ଏ ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ କୌଣସି ଠୋସ୍ ଘୋଷଣା କରିବା ଅନୁମାନ କରାଯାଉଥିଲା । ହେଲେ ଆହୁରି ବର୍ଷେ ଝୁଲିଲା ପଦ୍ମପୁରକୁ ନୂଆ ଜିଲ୍ଲା ମାନ୍ୟତା ଆଶା ।