ଖୁବଶୀଘ୍ର କ୍ୟାବିନେଟ୍ ସଂପ୍ରସାରଣ !
ବର୍ଷ ପୂର୍ତ୍ତି ଅବସରରେ ଓଟିଭିକୁ Exclusive ଇଣ୍ଟରଭ୍ୟୁ ଦେଇ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମୀକ୍ଷା ପାଇଁ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ମାଗିଛି । ଖୁବ୍ଶୀଘ୍ର ଖାଲି ଥିବା ୬ ମନ୍ତ୍ରୀ ପଦ ପୂରଣ ପାଇଁ ନିଷ୍ପତ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ପରେ ପାୱାର କରିଡରରେ ଚର୍ଚ୍ଚା । ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ରିସଫଲରେ କିଏ ପାସ୍ ଆଉ କିଏ ଫେଲ ହେବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ତେବେ କେଉଁ କେଉଁ ନୂଆ ଚେହେରା ସାମିଲ ହୋଇପାରନ୍ତି ତାକୁ ନେଇ ବି ଅନେକ ଚର୍ଚ୍ଚା ।
ଅଧିକ ପଢ଼ନ୍ତୁ: ପ୍ରଥମ ବର୍ଷର ଲମ୍ବା ସଫଳତା ଗଣାଇଲେ ମୁଖ୍ୟମନ୍ତ୍ରୀ; କହିଲେ, ଆଗକୁ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିବି
ବର୍ଷ ପୂର୍ତ୍ତି ପରେ ରାଜ୍ୟ ମନ୍ତ୍ରିମଣ୍ଡଳର ହେବ କି ସଂପ୍ରାସରଣ? ପ୍ରଥମ ଥର ପାଇଁ ନିଜ କ୍ୟାବିନେଟ୍ ରିସଫଲ୍ କରିପାରନ୍ତି ମୋହନ । କିଏ ହେବେ ସାମିଲ? ହେବ କି ବିଭାଗ ଅଦଳବଦଳ? ବର୍ଷ ପୂର୍ତ୍ତି ଅବସରରେ ଓଟିଭିକୁ ସାକ୍ଷାତକାର ଦେଇ ଏମିତି କିଛି ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ମୋହନ ସରକାରକୁ ବର୍ଷେ ପୂରିଥିବା ବେଳେ ନିଜ ନିଜ ବିଭାଗର ରିପୋର୍ଟ କାର୍ଡ ଦାଖଲ କରିଛନ୍ତି ମନ୍ତ୍ରୀମାନେ । ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ସେସବୁର ତର୍ଜମା କରିବେ। କିଏ ପାସ୍ କିଏ ଫେଲ୍, ତାକୁ ଦେଖି କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ବର୍ଷେ ହେଲା ସୁରୁଖୁରରେ ସରକାର ଚାଲିଛି। ମନ୍ତ୍ରୀମାନେ ବେଶ୍ ଦକ୍ଷ ଭାବେ ନିଜ ନିଜର ଦାୟିତ୍ୱ ନିଭାଇଛନ୍ତି। ବିଭିନ୍ନ ଯୋଜନାକୁ ତ୍ୱରାନ୍ବିତ କରିବାକୁ ବିଭାଗୀୟ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏହା ସହ କହିଛନ୍ତି ମନ୍ତ୍ରିମଣ୍ଡଳରେ ଖାଲି ଥିବା ୬ ପଦବି ପୂରଣ ପାଇଁ ମଧ୍ୟ କୌଣସି ପ୍ରତିବନ୍ଧକ ନାହିଁ, ଖୁବ ଶୀଘ୍ର ସେ ଦିଗରେ ନିଷ୍ପତ୍ତି ନିଆଯିବ।
ମୋହନଙ୍କ କ୍ୟାବିନେଟରେ ୬ଟି ପଦବି ଖାଲି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଛନ୍ତି ୬ ବିଭାଗ। ସାଧାରଣ ପ୍ରଶାସନ ବିଭାଗ ନିଜ ପାଖରେ ରଖିଥିବା ବେଳେ ଅର୍ଥ, ଗୃହ, ଜଳ ସଂପଦ, ଯୋଜନା ସଂଯୋଜନ ଏବଂ ସୂଚନା ଲୋକସଂପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ବି ସମ୍ଭାଳୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। କୁହାଯାଉଛି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ କିଛି ମନ୍ତ୍ରୀଙ୍କ ବିଭାଗ ଅଦଳ ବଦଳ ହୋଇପାରେ। ଏହା ସହ ୬ ଖାଲି ସ୍ଥାନରେ କିଛି ନୂଆ ମୁହଁ ବି ସାମିଲ ହୋଇପାରନ୍ତି। ଯେଉଁ ଯେଉଁ ଲୋକସଭା କ୍ଷେତ୍ରକୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ମିଳିନାହିଁ, ସେଠି ଫୋକସ୍ କରାଯାଇପାରେ । ଭୁବନେଶ୍ୱରରୁ ବିଧାୟକ ବାବୁ ସିଂଙ୍କ ନାଁ ଚର୍ଚ୍ଚା ରହିଥିବା ବେଳେ, ବାଲେଶ୍ବର ଲୋକସେବା କ୍ଷେତ୍ରରୁ ସଦର ବିଧାୟକ ମାନସ ଦତ୍ତ ଏବଂ ସନାତନ ବିଜୁଳିଙ୍କ ନାଁ ଚର୍ଚ୍ଚାରେ ରହିଛି। ସେହିଭଳି ସୁନ୍ଦରଗଡ ଜିଲ୍ଲାକୁ ବି ମନ୍ତ୍ରି ମଣ୍ଡଳରେ ମିଳିପାରେ ପ୍ରତିନିଧିତ୍ୱ।
ପଶ୍ଚିମ ଓଡ଼ିଶାକୁ ଫୋକସ କରି ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ଏବଂ ଇରାଶିଷ ଆଚାର୍ଯ୍ୟଙ୍କ ନାଁ ଚର୍ଚ୍ଚାରେ ରହିଛି । ସେହିପରି ଯାଜପୁରର ଅମର ନାୟକଙ୍କ ନାଁ ମଧ୍ୟ ତାଲିକାରେ ଥିବା ଚର୍ଚ୍ଚା ହେଉଛି। ପୁରୀ ଲୋକସେବା କ୍ଷେତ୍ରରୁ ଯଦିଓ ପୃଥ୍ବୀରାଜ ହରିଚନ୍ଦନଙ୍କୁ ମନ୍ତ୍ରୀ ପଦ ମିଳିଛି ତାପରେ ଆଶ୍ରିତ ପଟ୍ଟନାୟକଙ୍କ ନାଁ କୁହାଯାଉଛି । ଆସନ୍ତା ୨୦ରେ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସୁଛନ୍ତି ପିଏମ ମୋଦି। ହୁଏତ ତାପରେ ମନ୍ତ୍ରିମଣ୍ଡଳ ସଂପ୍ରାସରଣ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749745662.jpg)