• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଂଗ୍ରେସରୁ ନିଲମ୍ବନ ପରେ ମୁହଁ ଖୋଲିଲେ କଂଗ୍ରେସରୁ ନିଲମ୍ବିତ ଚିରଞ୍ଜୀବ ବିଶ୍ୱାଳ । ଚିରଞ୍ଜୀବ ଆଜି ପ୍ରେସମିଟ୍‌ କରି ନିଲମ୍ବନକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ‘ମୁଁ କଂଗ୍ରେସ ପରିବାରରୁ ଆସିଛି । ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଗଲା । ମୋ ରକ୍ତରେ ବେଇମାନି ନାହିଁ । କଂଗ୍ରେସ ଦଳ ପଛରେ ଛୁରାମାଡ଼ କରିବା । କଂଗ୍ରେସ ପାଇଁ ଆଣ୍ଟି ପାର୍ଟି କରିବା ଏହା ମୁଁ କେବେ ଚିନ୍ତା କରିନାହିଁ । କି ଏଭଳି କଥା ମୁଁ କେବେ ସ୍ୱପ୍ନରେ ଭାବିନାହିଁ ।’

ହେଲେ ମତେ ସସ୍‌ପେଣ୍ଡ ନୋଟିସ୍‌ କାହିଁକି ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଁ ଓ ମୋ ଭାଇ ସର୍ବଦା କଂଗ୍ରେସକୁ ସୁଦୃଢ଼ ପାଇଁ କାମ କରିଛୁ । କଂଗ୍ରେସ ବିରୋଧରେ କୌଣସି କାମ କରିନି ।’ କଂଗ୍ରେସକୁ ସୁଦୃଢ଼ କରିବାକୁ ଭୁବନେଶ୍ୱରରେ ଏକ ମିଟିଂ କରାଇଥିଲୁ ବୋଲି କହିଛନ୍ତି ଚିରଞ୍ଜୀବ ।

ଖାଲି ସେତିକି ନୁହେଁ, ଚିରଞ୍ଜୀବ ଜାନକୀ ସରକାରଙ୍କ କଥା ମଧ୍ୟ ଉଠାଇଛନ୍ତି । ସେ କହିଛନ୍ତି ଜାନକୀ ଓ ବସନ୍ତଙ୍କ ଯୋଡ଼ି କଂଗ୍ରେସକୁ ସରକାର ଗଠନ କରିବାରେ ସାହାଯ୍ୟ କାରିଥିଲା । ପୂର୍ବରୁ କଂଗ୍ରେସକୁ କିଭଳି ସୁଦୃଢ଼ କରାଯାଇ ପାରିବ, ଆଲୋଚନା ହୋଇଥିଲା । କୁହାଗଲା, ମୋ ପାଇଁ ଝାରସୁଗୁଡ଼ାରେ କଂଗ୍ରେସ ଖରାପ ପ୍ରଦର୍ଶନ କଲା । ହେଲେ ଧାମନଗର ଓ ପଦ୍ମପୁର ନିର୍ବାଚନରେ କାହାପାଇଁ ଖରାପ ପ୍ରଦର୍ଶନ ହେଲା ବୋଲି ପ୍ରଶ୍ନ କରିଛନ୍ତି ଚିରଞ୍ଜୀବ ।

ଏଥିସହିତ ଚିରଞ୍ଜୀବ ଆହୁରି କହିଛନ୍ତି କି, ନିଜ ସ୍ୱାର୍ଥ ପାଇଁ କାର୍ଯ୍ୟ କଲେ କଂଗ୍ରେସ ସୁଦୃଢ଼ ହୋଇପାରିବନି । ମୁଁ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ । କଂଗ୍ରେସରୁ ନିଲମ୍ବନ କରିବା ମୋତେ ଆଘାତ ଦେଇଛି । ଗୋଟିଏ କୁଚକ୍ରୀ ଗୋଷ୍ଠୀ ମୋତେ ଦଳରୁ ଦୂରେଇବାକୁ ଚେଷ୍ଟିତ ଅଛି । ଯେଉଁମାନେ ମୋ ବିରୋଧରେ ଚକ୍ରାନ୍ତ କରୁଛନ୍ତି, ୨୫ ବର୍ଷ ହେଲା ଜିତିନାହାନ୍ତି । ଚକ୍ରାନ୍ତ କାହା ପରାମର୍ଶରେ ହେଉଛି, ସେକଥା ମୁଁ ଜାଣିନି । ହେଲେ କଂଗ୍ରେସ କର୍ମୀମାନେ ଆଗେଇ ଆସନ୍ତୁ, ଏ ଚକ୍ରାନ୍ତ ପଣ୍ଡ କରନ୍ତୁ ବୋଲି ସେ କହିଛନ୍ତି ।

ତାହାସହ ଯେଉଁଠି କଂଗ୍ରେସ ସ୍ଥିତି ଭଲ, ସେଇଠି କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି । ଭଲ ପ୍ରଦର୍ଶନ କରୁଥିବା ଜିଲ୍ଲାରେ କଂଗ୍ରେସକୁ ଭାଗ ଭାଗ କରିବାକୁ ଚେଷ୍ଟା କରାଯାଉଛି । ଯଦି ମୋତେ ଛାଡ଼ି ୯ରୁ ୯୦ ମିଶନ ସଫଳ କରିବେ, ସେଥିପାଇଁ ସାଧୁବାଦ ଜଣାଉଛି । ମୁଁ ଜଣେ ସ୍ୱାଭିମାନୀ ଲୋକ, ଆକ୍ସନକୁ ଡରୁନାହିଁ । ଦୁର୍ବଳ ଲୋକ ଅଭିଯୋଗ କରେ, ମୁଁ କେଉଁଠି ଅଭିଯୋଗ କରିବିନି ବୋଲି ଚିରଞ୍ଜୀବ କହିଛନ୍ତି ।

  • Reported by:
  • JAGDISH DAS