• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଲୁଗାଁ, (ଶକ୍ତି ମହାପାତ୍ର): ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଏବେ ଭାଗ ଭାଗ ହୋଇଯାଇଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ବିଜେଡି କର୍ମୀମାନେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ବିଜେଡିରୁ ନିଲମ୍ୱିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦଳର ବ୍ୟାନରରେ ରାଲି କରି ଢୋଲ ଭିତରେ ମୂଷା ଥିବା କହିଛନ୍ତି । ଯୁଦ୍ଧ ଚାଲିବ ବୋଲି ଘୋଷଣା କରି ସେ ବିଜେଡି ନେତାଙ୍କୁ ଆହ୍ୱାନ ଦେଇଛନ୍ତି ।

ପୂର୍ବତନ ବିଧାୟକ ରଘୁନାଥ ସାହୁ ଆଗକୁ ଆସି ସେ ଚିଲିକାରେ ବିଜେଡି ଦାୟିତ୍ୱ ନେବେ ବୋଲି କହିଛନ୍ତି । ପ୍ରଶାନ୍ତ ଗତ ଅଢେଇ ବର୍ଷ ମଧ୍ୟରେ କିଛି କରିନାହାନ୍ତି ବୋଲି ରଘୁନାଥ କହିଛନ୍ତି । ସବୁଠୁ ବଡକଥା ହେଉଛି, ନେତାଙ୍କୁ ନେଇ ବିଜେଡି କର୍ମୀମାନେ ମଧ୍ୟ ଦୁଇଭାଗ ହୋଇଯାଇଛନ୍ତି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାବେଳେ ଅଧିକ କର୍ମୀଙ୍କୁ କିଏ ନିଜ ଆଡକୁ ଟାଣିପାରିବ, ସେ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି ।

ଗିରଫ ହୋଇ ଜେଲରୁ ବାହାରିବା ପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏକ ବଡ ଧରଣର ରାଲି କରିଥିଲେ । ବିଜେଡି ପତାକା ଧରି ବହୁସଂଖ୍ୟାରେ କର୍ମୀ ଏଥିରେ ଯୋଗ ଦେଇଥିଲେ । ପ୍ରଶାନ୍ତ ଗଡ ଜୟ କରି ଆସିଲା ଭଳି ହାତ ହଲାଇ କାରରେ ଯାଇଥିଲେ । ଫିଲ୍ମ ଷ୍ଟାଇଲରେ ଦେଇଥିଲେ ଉଦବୋଧନ । ବାରମ୍ୱାର କହୁଥିଲେ, ଢୋଲ ଭିତରେ ମୂଷା ଅଛନ୍ତି । ଚିଲିକା ବିଜେଡିରେ କନ୍ଦଳ ଥିବା ତାଙ୍କ କଥାରୁ ବାରି ହୋଇପଡୁଥିଲା ।

ଏହାର କିଛିଦିନ ପରେ ମଇଦାନରେ ଉଭା ହୋଇଛନ୍ତି ପୂର୍ବତନ ବିଧାୟକ ରଘୁନାଥ ସାହୁ । ଗତ ବିଧାନସଭା ନିର୍ବାଚନରେ ତାଙ୍କୁ ଦଳୀୟ ଟିକେଟ ମିଳିନଥିଲା । ସେ ଏବେ ସକ୍ରିୟ ହୋଇଛନ୍ତି । ବାଲୁଗାଁ ଏନଏସିରେ ବିଜେଡି କର୍ମୀଙ୍କୁ ନେଇ ରାଲି କରିଛନ୍ତି । ବର୍ତ୍ତମାନର ବିଧାୟକଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଏପରିକି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କିଛି କାମ କରିନଥିବା କହିଛନ୍ତି । ପଞ୍ଚାୟତ ନିର୍ବାଚନରେ ରଘୁନାଥ ଦଳର ନେତୃତ୍ୱ ନେଇ ବିଜେଡି ପ୍ରାର୍ଥୀଙ୍କୁ ଚିଲିକାରେ ଜିତାଇବେ ବୋଲି କହିଛନ୍ତି । ବିଜେଡିରେ ଢୋଲ ଭିତରେ ମୂଷା ନାହାନ୍ତି ବୋଲି ସେ ସଫେଇ ଦେଇଛନ୍ତି ।

ଚିଲିକାରେ ବିଜେଡି ଦାୟିତ୍ୱ କାହାକୁ ଦିଆଯିବ, ତାହା ଦଳ ପକ୍ଷରୁ ସ୍ପଷ୍ଟ ହୋଇନଥିବା ବେଳେ ରଘୁନାଥ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନର ବିଧାୟକ ମଧ୍ୟ ସବୁ ପଞ୍ଚାୟତରେ ପ୍ରାର୍ଥୀ ଦେବାକୁ ସ୍ଥିର କରିଛନ୍ତି । ତାଙ୍କ ସମର୍ଥିତ କର୍ମୀମାନେ ଏହା କହୁଛନ୍ତି । ଯଦି ପ୍ରଶାନ୍ତ ପ୍ରାର୍ଥୀ ନଦିଅନ୍ତି, ତେବେ ଚିଲିକା ରାଜନୀତିରେ ତାଙ୍କ ପତିଆରା ଆଉ ରହିବ ନାହିଁ । ସେ ସାଇଡ୍ ହୋଇଯିବେ । ଏପରିକି ତାଙ୍କୁ ସବୁ ଜାଗାରେ ବିରୋଧର ସମ୍ମୁଖୀନ ହେବାକୁ ପଡିବ । ପ୍ରାର୍ଥୀ ଦେଲେ, ସବୁ ପଞ୍ଚାୟତରେ ତାଙ୍କର ନିଜସ୍ୱ ସଂଗଠନ ରହିବ । ଏବେ ଚିଲିକାରେ କିଏ କାହାକୁ କାଟିବ, ପ୍ରଶାନ୍ତ ରଘୁନାଥଙ୍କୁ ନା ରଘୁନାଥ ପ୍ରଶାନ୍ତଙ୍କୁ ? କିନ୍ତୁ ଏକଥା ସତ, ଏଥର ଚିଲିକାରେ ବିଜେଡି କର୍ମୀ କର୍ମୀଙ୍କ ମଧ୍ୟରେ ହେବ ଲଢେଇ ।