• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆବର୍ଷରେ କନିଷ୍ଠ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି । ବର୍ଷ ପହିଲାରୁ ୮ ହଜାର ୧୦୨ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଚାକିରିକୁ ନିୟମିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୦ ହଜାର ୦୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି । ସହୃଦୟତାର ସହ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କର ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ସମୟ ସୀମାକୁ ମଧ୍ୟ କୋହଳ କରିଛନ୍ତି । ଏହା ସହ ଚଳିତ ବର୍ଷ ବୋର୍ଡ ପରୀକ୍ଷା ସଠିକ ସମୟରେ କରିବା ପାଇଁ ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଥିବା ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣାକୁ ଦେଖି ଲୋକେ ତାଜୁବ୍‌ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ରାଜ୍ୟବାସୀଙ୍କୁ ଥୋପ ପରେ ଥୋପ ଦେଇ ଚାଲିଛନ୍ତି ସରକାର । କୁହାଯାଉଛି ଏଭଳି ବିଭିନ୍ନ ବର୍ଗରେ ଥୋପ ପକାଇ ବିଜେଡି ସରକାର ଭୋଟରଙ୍କୁ ନିଜ ହାତ ମୁଠାରେ ରଖିବାକୁ ଚେଷ୍ଟା କରୁଛି ।

କାରଣ କ୍ୟାବିନେଟ୍ ପରେ କ୍ୟାବିନେଟ୍ । ଘୋଷଣା ପରେ ଘୋଷଣା । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ସ୍କିମ ପରେ ସ୍କିମ ଆଣୁଛନ୍ତି ରାଜ୍ୟ ସରକାର । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଗତକାଲି ୯ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା ରାଜ୍ୟ କ୍ୟାବିନେଟ୍ । ଫୋକସରେ ରହିଛି ଜାଗା ମିଶନ୍, ଶିକ୍ଷକ ଓ ଅଧ୍ୟାପକଙ୍କ ଲାଗି ସପ୍ତମ ବେତନ କମିଶନ୍ ଲାଗୁ ନିଷ୍ପତ୍ତି ।

୫ ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ଣପୁର, ରାଉରକେଲା ଓ ସମ୍ବଲପୁରରେ ଲାଗୁ ହେବାକୁ ଥିବା ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ କରାଯିବ । ଏହାଦ୍ୱାରା ବସ୍ତି ବାସିନ୍ଦା ନିଜସ୍ୱ ଘର ତିଆରି କରିପାରିବେ । ନିଜ ନାଁରେ ଜମି ନଥିବାରୁ ଏମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବି ବଞ୍ଚିତ ହେଉଥିଲେ । ଏହି ଯୋଜନା ଦ୍ୱାରା ୯୩୮ଟି ବସ୍ତିର ୮ଲକ୍ଷ ୫୮ ହାଜର ଲୋକ ଉପକୃତ ହେବେ । ପୂର୍ବରୁ ୧୦୯ ପୌରପାଳିକାରେ ଜାଗା ମିଶନ୍ ଲାଗୁ ହୋଇଥିଲା । ଏଥିରେ ୧ଲକ୍ଷ ୭୫ ପରିବାରକୁ ଜମିପଟ୍ଟା ମିଳିଥିଲା ।

ସେପଟେ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ଲାଗୁ ହେବ ସପ୍ତମ ବେତନ କମିଶନ୍ । ଫଳରେ ୨୬ ହଜାର ଶିକ୍ଷକ ଓ କର୍ମଚାରୀ ଓ ୧୫ ହଜାର ଅଧ୍ୟାପକ ଓ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ସରକାରଙ୍କ ଉପରେ ବାର୍ଷିକ ୧୬୬ କୋଟି ଟଙ୍କାର ଆର୍ଥିକ ବୋଝ ପଡିବ ।

ଗ୍ରାମଞ୍ଚଳରୁ ସହାରାଞ୍ଚଳ ପର୍ଯ୍ୟନ୍ତ ସବୁ ବର୍ଗର ଭୋଟରକୁ ଆଖିରେ ରଖି ରାଜ୍ୟ ସରକାର ସ୍କିମ ଘୋଷଣା କରୁଥିବା କୁହାଯାଉଛି । ଗତ କିଛି ଦିନ ଭିତରେ BSKY କାର୍ଡ ବଣ୍ଟନ, ସ୍ମାର୍ଟ ସ୍କୁଲ, SHG ଗୁଡିକୁ ଆର୍ଥିକ ସହାୟତା, ଘର ମରାମତି ବାବଦକୁ ଟଙ୍କା, ଖାଦ୍ୟ ସୁରକ୍ଷା ହିତାଧୀକାରୀ ଓ ଖବରକାଗଜ ବିତରକଙ୍କୁ ଆର୍ଥିକ ସହାୟତା, ଶିକ୍ଷକ ନିଯୁକ୍ତି, କେନ୍ଦ୍ରାପଡ଼ାରେ ବୃହତ ଷ୍ଟିଲ୍ ପ୍ଲାଣ୍ଟ ସହ ବାତ୍ୟା ଜଓ୍ୱାଦ କ୍ଷତିଗ୍ରସ୍ତଙ୍କ ଲାଗି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଜିଲ୍ଲାକୁ ଜିଲ୍ଲା ବୁଲି ନବୀନ ଭିତ୍ତିପ୍ରସ୍ତର ଓ ଉଦ୍‌ଘାଟନ କାର୍ଯ୍ୟକ୍ରମ ବି ଜାରି ରଖିଛନ୍ତି । ପଞ୍ଚାୟତ ଓ ପୌର ନିର୍ବାଚନରେ ଭୋଟ ହାତେଇବାକୁ ଏହା ସରକାରଙ୍କ ଭେଳିକି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।