Odisha Assembly: ବିଧାନସଭାରେ ଯୋଡ଼ିହେଲା କଳଙ୍କିତ ଅଧ୍ୟାୟ, ହାତାହାତି ହେଲେ ସରକାରୀ ଓ ବିରୋଧୀ ବିଧାୟକ

ପ୍ରଥମେ ଉଚ୍ଚବାଚ୍ଚ, ତାପରେ ଧସ୍ତାଧସ୍ତି, ଶେଷରେ ହାତାହାତି । ବିଧାନସଭା ଦେଖିଲା ବିଶୃଙ୍ଖଳାର ଚରମ ଚିତ୍ର । ରାଜ୍ୟ ଦେଖିଲା ଗଣତନ୍ତ୍ରର ମନ୍ଦିରରେ ଆମ ବିଧାୟକଙ୍କ କାଣ୍ଡ କାରନାମା ।

ବିଧାନସଭାର ନୂଆ ଦୃଶ୍ୟ, ହାତାହାତି ବିଧାୟକ

ବିଧାନସଭାରେ ଯୋଡ଼ିହେଲା କଳଙ୍କିତ ଅଧ୍ୟାୟ । ପୂର୍ବରୁ ଯାହା ଦେଖା ଯାଇ ନଥିଲା ତାହା ଘଟିଲା । ଗଣତନ୍ତ୍ରର ମନ୍ଦିରରେ ହାତାହାତି ହେଲେ ସରକାରୀ ଓ ବିରୋଧୀ ବିଧାୟକ । ଲଗାତାର ତିନି ଦିନ ଧରି ବିରୋଧୀ ଗୃହରେ ହଟ୍ଟଗୋଳ କରୁଥିବା ବେଳେ ସରକାରୀ ଦଳ ଆଜି ଗୃହ ଚଳାଇବା ମୁଡ୍‌ରେ ଥିଲା । ଯେଉଁଥିପାଇଁ ଏଭଳି ଅଘଟଣ ଘଟିଲା ।

ପ୍ରଥମେ ଉଚ୍ଚବାଚ୍ଚ, ତାପରେ ଧସ୍ତାଧସ୍ତି, ଶେଷରେ ହାତାହାତି । ବିଧାନସଭା ଦେଖିଲା ବିଶୃଙ୍ଖଳାର ଚରମ ଚିତ୍ର । ରାଜ୍ୟ ଦେଖିଲା ଗଣତନ୍ତ୍ରର ମନ୍ଦିରରେ ଆମ ବିଧାୟକଙ୍କ କାଣ୍ଡ କାରନାମା । ଦିନ ତମାମ୍ ଚାଲିଲା ହାଇଡ୍ରାମା । ଦୃଶ୍ୟ ଯାହା ବୟାନ କରୁଥିଲା, ଲାଗୁଥିଲା ପ୍ରଶ୍ନକାଳ ଆରମ୍ଭ ଆଗରୁ ଶାସକ-ବିରୋଧୀ ଯେମିତି ପୂରା ତୟାର ଥିଲେ ଯେକୌଣସି ସ୍ଥିତି ପାଇଁ । ଯେମିତି ହେଉ ଗୃହ ଚଳାଇବାକୁ ଚାହୁଁଥିଲା ଶାସକ ଦଳ, ଯାହା ବି ହେଇଯାଉ ଗୃହ ବନ୍ଦ ପାଇଁ ଯେମିତି ପଣ କରିଥିଲେ ବିରୋଧୀ ।

ଅଧିକ ପଢ଼ନ୍ତୁ: ତାରା ବାହିନୀପତି ୭ ଦିନ ସସପେଣ୍ଡ

ଆଉ ଇଏ ତାରି ପ୍ରତିଫଳନ । ବାଚସ୍ପତି ଆସନକୁ ନ ଆସୁଣୁ ଆରମ୍ଭ ହୋଇସାରିଥିଲା ହୋହଲ୍ଲା । ବାଚସ୍ପତି ଆସିବା କ୍ଷଣି ପୋଡ଼ିୟମ୍ ଚଢ଼ିଥିଲେ ବିରୋଧୀ । ଗୃହ ମଧ୍ୟଭାଗରେ ବିଜେଡିକଂଗ୍ରେସ ସଦସ୍ୟଙ୍କ ନାରାବାଜି ଭିତରେ ବି ଚାଲିଥିଲା ପ୍ରଶ୍ନକାଳ । ଉତ୍ତର ରଖୁଥିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର । ହଠାତ ଏହି ସମୟରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ଅନ୍ୟ ବିଧାୟକ ମନ୍ତ୍ରୀଙ୍କ ପାଖକୁ ଯାଇ ମାଇକ୍ ବନ୍ଦ ପାଇଁ ଉଦ୍ୟମ କରିଥିଲେ ଏବଂ ଉତ୍ତର ନ ରଖିବାକୁ ହାତ ଯୋଡି ନିବେଦନ କରିଥିଲେ । ଆଉ ଏହି ସମୟରେ ହଠାତ୍ ଶାସକ ଦଳର ବିଧାୟକ ଓ ମନ୍ତ୍ରୀ କାହିଁକି ମନ୍ତ୍ରୀଙ୍କୁ ଉତ୍ତର ଦେବାରେ ବାଧକ ସାଜୁଛ କହି ମାଡି ଆସିଥିଲେ । ଆଉ ତାହା ପରେ ଯାହା ଘଟିଲା ଓଡ଼ିଶା ବିଧାନସଭାରେ ସୃଷ୍ଟି କଲା କଳଙ୍କିତ ଅଧ୍ୟାୟ ।

କୋଶଳ-ଉତ୍କଳ ମନ୍ତବ୍ୟ ପାଇଁ ବିବାଦୀୟ ହୋଇପଡିଥିବା ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ତାରା ବାହିନୀପତି ହାତାହାତି ହୋଇଥିବା ବେଳେ କଂଗ୍ରେସ ବିଧାୟକ ରାଜନ ଏକ୍କା ଓ ବିଜେପି ବିଧାୟକ ଅଶୋକ ମହାନ୍ତି ମଧ୍ୟ ହାତାହାତି ହୋଇଥିଲା। ଏମିତିକି ଗୃହ ମଧ୍ୟରେ ବ୍ୟାନର ପୋଷ୍ଟର ଉଡ଼ିଥିଲା । ପରିସ୍ଥିତିକୁ ଦେଖିଲେ ଲାଗୁଥିଲା ଯେମିତି ଇଏ ଗଣତନ୍ତ୍ରର ମନ୍ଦିର ନୁହେଁ କେଉଁ ଏକ ରଣକ୍ଷେତ୍ର ।

ତାତି ଏତିକିରେ କମିନଥିଲା । ଗୃହରୁ ବାହାରି କଂଗ୍ରେସ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଥିବା ବେଳେ, ବିଜେଡି, ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ବନ୍ଦେ ଉତ୍କଳ ଜନନୀ ଗାନ କରି ପ୍ରତିବାଦ କରିଥିଲା । ସେପଟେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ସାମ୍ନାରେ ଲଣ୍ଠନ ଧରି ପ୍ରତିବାଦ କରିବା ସହ ସମସ୍ତ ମନ୍ତ୍ରୀଙ୍କ ଚାମ୍ବରରେ ମୁଖ୍ୟମନ୍ତ୍ରୀଙ୍କୁ ଲଣ୍ଠନ ଧରି ଖୋଜିଥିଲେ ବିଜେଡି ସଦସ୍ୟ।

ଶାସକ-ବିରୋଧୀ ଧସ୍ତା ଧସ୍ତି ଭିତରେ ଉଠୁଥିଲା ପଡୁଥିଲା ବିଧାନସଭା । ରାଜନେତାଙ୍କ କଥା କଟାକଟି, ବାକ୍ ବିତଣ୍ଡା ତ ଗୃହରେ ପ୍ରାୟ ସବୁ ବେଳେ ସାମ୍ନାକୁ ଆସେ । ଆଗରୁ ବାଚସ୍ପତିଙ୍କ ଉପରକୁ କେତେବେଳେ ଡାଲି କେତେବେଳେ ଜୋତା ଫିଙ୍ଗା ଯାଇଛି । ଗତକାଲି ବି କଂଗ୍ରେସ ବିଧାୟକମାନେ ପୋଷ୍ଟର ଫୋପାଡ଼ି ଥିଲେ । ହେଲେ ଆଜିର ଏସବୁ ବିଶୃଙ୍ଖଳାକୁ ବହୁ ପଛରେ ଛାଡ଼ି ଦେଇଛି ଆଜିର ଏ ସ୍ଥିତି ।

ଅଧିକ ପଢ଼ନ୍ତୁ: ମାନିଲେ ବିଜେଡି ବିଧାୟକ, ପାଣ୍ଡିଆନ ଏବେ ବି ବିଜେଡି ସହ ଅଛନ୍ତି