• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚାଉଳ ରାଜନୀତିରୁ କଟିଲା ରାଜ୍ୟ ସରକାରଙ୍କ ଚେର ! ମାଗଣାରେ ଚାଉଳ ଦେବାକୁ ମୋଦି ସରକାରଙ୍କ ଘୋଷଣା ପରେ ନବୀନ ସରକାରର ଅକଲ ଗୁଡୁମ୍ । ରାଜ୍ୟକୁ ଆଉ ମିଳିବନି ମାଇଲେଜ୍, ବିଜେପି ଉଠାଇପାରେ ଫାଇଦା ! ଚାଉଳ ପଇସାରେ ରାଜ୍ୟ ଆଣିପାରେ ନୂଆ ସ୍କିମ୍ !

କେନ୍ଦ୍ର ସରକାର ବର୍ଷେ ଯାଏଁ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ବାଣ୍ଟିବେ ବୋଲି ଘୋଷଣା କରିବା ପରେ ନବୀନ ସରକାରଙ୍କୁ ଲାଗିଛି ଶକ୍ତ ଧକ୍କା । କିଲୋ ପିଛା ମାତ୍ର ଦୁଇ ଟଙ୍କା ଖର୍ଚ୍ଚ କରି ଯୋଜନାରୁ ପୁରା ଫାଇଦା ଉଠାଇବା ପ୍ରକ୍ରିୟାରେ ପଡ଼ିଛି ପୂର୍ଣ୍ଣଛେଦ । ମୋଦି ସରକାରଙ୍କ ନୂଆ ସ୍କିମ୍ ଅନୁସାରେ ରାଜ୍ୟର ୩ କୋଟି ୨୬ ଲକ୍ଷ ହିତାଧିକାରୀ ଏଣିକି ମାଗଣାରେ ଚାଉଳ ପାଇବେ । କେନ୍ଦ୍ର ସରକାର ୫ କିଲିଆ ପ୍ୟାକେଟ୍ କରି ହିତାଧିକାରୀଙ୍କୁ ବାଣ୍ଟିବେ ବୋଲି ଜଣାପଡ଼ିଛି ।

ଏହାକୁ ରାଜ୍ୟ ସରକାର କେବଳ ଫେୟାର ପ୍ରାଇସ୍ ସପ୍‌ରେ ବାଣ୍ଟିବେ । ଏନେଇ ଏଫ୍‌ସିଆଇ ଅଧିକାରୀ ପ୍ରଥମ ସପ୍ତାହରେ ଅନୁଧ୍ୟାନ କରିବେ । ଫଳରେ ଚାଉଳ ସ୍କିମ୍‌ରୁ ରାଜ୍ୟ ସରକାର ଯେଉଁ ଫାଇଦା ନେଉଥିଲେ, ତାହା ଆଉ ହେବନି । ଚାଉଳ କିଲୋ ପିଛା ୩୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ, କେନ୍ଦ୍ର ସରକାର ସେଥିରୁ ପ୍ରାୟ ୨୭ ଟଙ୍କା ଦେଉଥିଲେ । ବଳକା ୩ ଟଙ୍କାରୁ ରାଜ୍ୟ ସରକାର ୨ ଟଙ୍କା ଓ ହିତାଧିକାରୀ ଟଙ୍କାଏ ବହନ କରୁଥିଲେ । କିନ୍ତୁ ୨ ଟଙ୍କା ଖର୍ଚ୍ଚ କରି ବିଜେଡି ସରକାର ପୁରା ଶ୍ରେୟ ନେଉଥିଲା । ଯେଉଁଥିରେ ଏବେ ବ୍ରେକ୍ ଲାଗିଛି । ୧୦୦ ଭାଗ ଅର୍ଥ କେନ୍ଦ୍ର ବହନ କରିବାକୁ ଥିବାରୁ ମାଇଲେଜ୍ ବି ୧୦୦ ପ୍ରତିଶତ ପାଇବ ବୋଲି ଆଶା କରାଯାଉଛି । ତେଣେ ମାଗଣା ଚାଉଳ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି ।

ଦୁଇ ଟଙ୍କିଆ ଚାଉଳ ସ୍କିମ୍ ଲାଗୁ କରି ୨୦୦୯ ନିର୍ବାଚନରେ ବେଶ୍ ସଫଳତା ପାଇଥିଲା ବିଜେଡି । ଏହାପରେ ଟଙ୍କିକିଆ ଚାଉଳ ଦେଇ ୨୦୧୪ ନିର୍ବାଚନରେ ସଫଳତା ଦୋହରାଇଥିଲା । ଏବେ ୨୪ ନିର୍ବାଚନର ଠିକ୍ ବର୍ଷେ ପୂର୍ବରୁ ଚାଉଳ ସ୍କିମ୍‌କୁ କେନ୍ଦ୍ର ହାଇଜାକ୍ କରିଥିବାରୁ ରାଜ୍ୟ ସରକାର କରିବେ କଣ ? ପିଡିଏସ୍ ବ୍ୟବସ୍ଥାରେ କିଛି ନୂଆ କରିବାକୁ ଚିନ୍ତା କରୁଛନ୍ତି କି ? କେନ୍ଦ୍ର ମାଗଣାରେ ଚାଉଳ ଦେବା ଦ୍ୱାରା ରାଜ୍ୟ ସରକାରଙ୍କର ବର୍ଷକୁ ପ୍ରାୟ ୧୨ଶହ କୋଟି ଟଙ୍କା ବଂଚିଯିବ । ସେହି ଟଙ୍କାରେ କିଛି ବଡ଼ ସ୍କିମ୍ ଆଣିପାରନ୍ତି । ଅନ୍ୟ ରାଜ୍ୟ ସରକାରଙ୍କ ଭଳି ନବୀନ ସରକାର ନିଜ ଖର୍ଚ୍ଚରେ ଡାଲି, ତେଲ, ଲୁଣ ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବାଣ୍ଟି ପାରନ୍ତି ।

କେନ୍ଦ୍ର ମାଗଣା ଚାଉଳ ଦେବା ପରେ ରାଜ୍ୟ ସରକାର ବି ନିଜସ୍ୱ ସ୍କିମ୍‌ରେ ପ୍ରାୟ ୯ ଲକ୍ଷ ହିତାଧିକାରୀଙ୍କୁ ମୁଣ୍ଡପିଛା ୫ କିଲୋ ହିସାବରେ ଚାଉଳ ଦେବେ ବୋଲି ଘୋଷଣା କରିଛନ୍ତି । ଏବେବି ଅନେକ ଲୋକ ଏହି ଯୋଜନାରେ ଚାଉଳ ପାଇଁ ଆବେଦନ କରିଥିବାରୁ ପ୍ରାୟ ୨୫ ଲକ୍ଷ ହିତାଧିକାରୀଙ୍କୁ ରାଜ୍ୟ ସରକାର ଯୋଜନାରେ ସାମିଲ କରିପାରନ୍ତି । ତେଣୁ ଆଗକୁ ଚାଉଳ ରାଜନୀତି ଜୋର୍ ଧରିବ ବୋଲି ଚର୍ଚ୍ଚା ହେଉଛି ।