ଏଣିକି ମୋଦି ବ୍ରାଣ୍ଡରେ ମିଳିବ ମାଗଣା ଚାଉଳ...

ପୁଣି ତେଜିଲା ବିଜେପି-ବିଜେଡି ଚାଉଳ କଳି । ଚାଉଳ ହିସାବ ଦୋହରାଇ ରାଜ୍ୟକୁ ଅପରାଜିତାଙ୍କ ଟାର୍ଗେଟ୍ ।

Narendra Modi

ମାଗଣା ଚାଉଳରେ ମୋଦି ବ୍ରାଣ୍ଡ । ମୋଦି ବନାମ ନବୀନ ଚାଉଳକୁ ନେଇ ପୁଣି ତେଜିଲା କଳି । ମୁହାଁମୁହିଁ ବିଜେପି-ବିଜେଡି । କେନ୍ଦ୍ରର ମାଗଣା ଚାଉଳ ଚର୍ଚ୍ଚା ଭିତରେ ବଦଳିଲା ସ୍କିମ୍‌ର ନାଁ । ଥିଲା ସମନ୍ୱିତ ଖାଦ୍ୟ ସୁରକ୍ଷା ଯୋଜନା, ହେଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା । କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ମୁତାବକ ଖୁବ୍ ଶୀଘ୍ର ଏଇ ନୂଆ ନାଁରେ ରାଜ୍ୟରେ ମାଗଣା ଚାଉଳ ବାଣ୍ଟିବେ ମୋଦି ସରକାର ।

ସାରା ଭାରତ ବର୍ଷ ପାଇଁ ଏଥିଲାଗି କେନ୍ଦ୍ରକୁ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ଼ଡ଼ିବ । ଚାଉଳ ପାଇବା ପରେ ପ୍ରତି ହିତାଧିକାରୀଙ୍କୁୁ ସ୍ୱତନ୍ତ୍ର ରସିଦ୍ ଦିଆଯିବ । କେନ୍ଦ୍ରୀୟ ଯୋଜନା ପାଇଁ କେନ୍ଦ୍ରର ରସିଦ୍ ମିଳିବ । ନିଜସ୍ୱ ଯୋଜନାରେ ରାଜ୍ୟ ପାଇଁ ଅଲଗା ରସିଦ୍ । କେବଳ ସେତିକି ନୁହେଁ ବାୟୋମେଟ୍ରିକ୍ସ ବି ଭିନ୍ନ ରହିବ । ତେବେ ଏହି ସ୍କିମ ଲାଗୁ ପାଇଁ ଖୁବ୍ ଶୀଘ୍ର ରାଜ୍ୟମାନଙ୍କ ଲାଗି ବିସ୍ତୃତ ଗାଇଡ୍‌ଲାଇନ୍ସ ଆସିବ । ଏସବୁ ଭିତରେ ପୁଣି ତେଜିଲା ମାଇଲେଜ୍ ପଲିଟିକ୍ସ ।

ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଗଣା ଚାଉଳର କଡ଼ାଗଣ୍ଡା ହିସାବ ରଖିବା ପରେ ଆଜି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ହିସାବ ଦୋହରାଇଛନ୍ତି । କହିଛନ୍ତି କେନ୍ଦ୍ର, ଚାଉଳର ସିଂହଭାଗ ଦେଉଥିଲେ ବି ରାଜ୍ୟ ସରକାର କହୁଥିଲେ ଆମେ ଦେଉଛୁ । ଯାହା ଏହା ଏକ ଷଡ଼ଯନ୍ତ୍ର କହିଲେ ଭୂୁଲ ହେବନି । ରାଜ୍ୟବାସୀଙ୍କୁ ଜାଣି ଶୁଣି ଭ୍ରମିତ କରାଯାଉଥିବାରୁ ତାକୁ ଦୂର କରିବା ପାଇଁ କେନ୍ଦ୍ର ଗରିବ କଲ୍ୟାଣ ଅନ୍ନ ଯୋଜନା ଆଣିଛି ବୋଲି କହିଛନ୍ତି ଅପରାଜିତା । ଏପରିକି ଏଭଳି ସ୍ଥିତିରେ ବିଜେପି ସରକାର କାହିଁକି ବ୍ରାଣ୍ଡିଂ କରିବନି ବୋଲି ବି ସେ ପ୍ରଶ୍ନ କରିଛନ୍ତି ।

ଅଧିକ ପଢ଼ନ୍ତୁ: କେନ୍ଦ୍ର ଦେବ ମାଗଣା ଚାଉଳ, ଆଗରୁ ଦେଉଥିଲା ସିଂହ ଭାଗ ! ମିଛ ବାହାବାହା ନେଉଥିଲା ରାଜ୍ୟ

ସେପଟେ ଟଙ୍କିକିଆ ଚାଉଳ ଚେର କଟିବା ପରେ ଅକଳରେ ବିଜେଡି ସରକାର । ମୋଦି ସରକାର ସବୁ କ୍ରେଡିଟ୍ ନେଇଯିବା ଡରରେ ଦଳ ନୂଆ ଚାଲ୍ ଖେଳି କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଛି । ବିଜେଡି କହିଛି, NFSAରେ ଅତିରିକ୍ତ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ବି କେନ୍ଦ୍ର କର୍ଣ୍ଣପାତ୍ କରୁନି । ସେହିପରି ୧୦ କିଲୋ ବଦଳରେ ୫କିଲୋ ଚାଉଳ କମ୍ ଦେବା ନେଇ ବି ପ୍ରଶ୍ନ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ମୋଦିଙ୍କ ବ୍ରାଣ୍ଡିଂରେ କେନ୍ଦ୍ର ଚାଉଳ ବାଣ୍ଟିବାର ଯୋଜନା ପରେ ଏବେ ନୂଆ ମୋଡ଼ରେ ଚାଉଳ ଭୋଟ୍ ପଲିଟିକ୍ସ । ତେବେ ୟାକୁ କାଉଣ୍ଟର ପାଇଁ ବିଜେଡି ସରକାର କି ପଦକ୍ଷେପ ନେଉଛନ୍ତି, ତା ଉପରେ ନଜର ।