• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଧାନସଭାରେ ଚାଲିଛି ମୌସୁମୀ ଅଧିବେଶନ । ଏହାରି ଭିତରେ ଅନେକ କ୍ଷେତ୍ର ପାଇଁ ବ୍ୟୟବରାଦ ସରିଛି । ତେବେ ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି ବ୍ୟୟବରାଦ କରାଯାଇଛି । ସେହିଭଳି ପିଲାଙ୍କ ବ୍ୟାଗ୍, ୟୁନିଫର୍ମ ପାଇଁ ୧୯୩ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ଧାର୍ମିକ ପୀଠର ବିକାଶ ପାଇଁ ୧୯୫୦ କୋଟି ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି । ସେପଟେ ରାସ୍ତାଘାଟ ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି ବିନିଯୋଗ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ପାଇଁ ୩ ଶହ କୋଟିର ବ୍ୟୟବରାଦ ପ୍ରସ୍ତାବ କରାଯାଇଛି ।

ଏହାସହ ବିଜୁ ସେତୁ ଯୋଜନାରେ ୨୮୧ ସେତୁ ନିର୍ମାଣ ହେବ । ଏଥିପାଇଁ ଖର୍ଚ୍ଚ ହେବ ୧୬୮୮ କୋଟି ଟଙ୍କା ବୋଲି ସ୍ଥିର ହୋଇଛି । ଦୁର୍ଗମ ବିଚ୍ଛିନ୍ନ ଗାଁ ଗୁଡ଼ିକୁ ରାସ୍ତା ସଂଯୋଗ ପାଇଁ ୧୫୦ କୋଟି ଖର୍ଚ୍ଚ କରାଯିବାକୁ ଯୋଜନା କରାଯାଇଥିବା ବେଳେ ୪ ଏୟାରପୋର୍ଟ ଜମି ଅଧିଗ୍ରହଣ ଓ ନବୀକରଣ ପାଇଁ ୩୨୫ କୋଟି ବ୍ୟୟବରାଦ କରାଯାଇଛି । ଏହି ୪ ଏୟାରପୋର୍ଟ ହେଲା ରାଉରକେଲା, ଜୟପୁର, ଉତକେଲା,ଝାରସୁଗୁଡ଼ା ।

ସେହିଭଳି ଇ-ଯାନ ପ୍ରୋତ୍ସାହନ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ବିଜୁ ପକ୍କା ଘର ଯୋଜନା ପାଇଁ ୫ ହଜାର ୯ଶହ ୬ କୋଟି ବ୍ୟୟବରାଦ କରାଯାଇଛି । ମିଶନ ଶକ୍ତି ପାଇଁ ୨ ହଜାର କୋଟି ଟଙ୍କାର ବ୍ୟୟବରାଦ, ମିଶନ ଶକ୍ତି ଯୋଜନାରେ SHGଙ୍କୁ ଅର୍ଥ ସହାୟତା ପାଇଁ ୭୭୩ କୋଟି ଦିଆଯିବ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ୧୭୬ କୋଟି ଦିଆଯିବାକୁ ସ୍ଥିର କରାଯାଇଥିବା ବେଳେ ମନରେଗା ପାଇଁ ୨୦୦୧ କୋଟି, ମନରେଗା କର୍ପସ ପାଣ୍ଠି ପାଇଁ ୧ ହଜାର କୋଟି ବ୍ୟୟବରାଦ କରାଯାଇଛି । ବୃଦ୍ଧ, ବିଧବା, ଭିନ୍ନକ୍ଷମଙ୍କୁ ଭତ୍ତା ପାଇଁ ୨୦୧୭ କୋଟି ବ୍ୟୟ ବରାଦ କରାଯାଇଛି ।

ମୌସୁମୀ ଅଧିବେଶନ ଆଜି ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି ଏହି ବଜେଟ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଏହି ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ କରାଯାଇଛି ।

ତେବେ କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟବରାଦ କରାଯାଇଛି । ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ କରାଯାଇଥିବା ବେଳେ କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୨୨ କୋଟି ।

ସେହିଭଳି ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଯୋଜନା ଆରମ୍ଭ କରାଯାଇଛି । ଏଥିରେ ୧୨ ହଜାର ୫୦୦ ନଳକୂପ ଖନନ ହେବ । ଏଥିପାଇଁ  ବ୍ୟୟବରାଦ ୪୦୦ କୋଟି କରାଯାଇଛି । ସେହିଭଳି ବନ୍ୟା ନିୟନ୍ତ୍ରଣ ପାଇଁ ୯୬୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ପାର୍ବତୀ ଗିରି ଯୋଜନା ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୧୦ ହଜାର ୭୫୯ କୋଟି । ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ କରାଯାଇଛି ।

ସେପଟେ ଜନସ୍ୱାସ୍ଥ୍ୟ ପାଇଁ ୧୨ ହଜାର ୬୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨୬୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିଭଳି ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୭ ହଜାର ୩୨୪ କୋଟି ବ୍ୟୟବରାଦ କରାଯାଇଛି । ମୋ ସ୍କୁଲ ପାଇଁ ୬୪୬ କୋଟି, ସ୍କୁଲ ରୂପାନ୍ତରୀକରଣ ପାଇଁ ୧୦୦ କୋଟି ।