• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୦୨୪ରେ ବଦଳିବ କି ରାଜ୍ୟ ରାଜନୈତିକ ସମୀକରଣ ? ଓଡ଼ିଶାରେ ନିଜ କରିସ୍ମା ଦେଖାଇ ପାରିବ କି ବିଆରଏସ୍ ? ବିଦ୍ରୋହୀଙ୍କ ବସା ପାଲଟିବ କି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଭାରତ ରାଷ୍ଟ୍ର ସମିତି ? ରାଜ୍ୟର ଅନେକ ପୁରୁଖା ରାଜନେତା ଦଳରେ ସାମିଲ ହେବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା । ଖାସ୍ କରି ଶାସକ ଓ ବିରୋଧୀ ଦଳର କିଛି ପ୍ରମୁଖ ଅସନ୍ତୁଷ୍ଟ ନେତା ବିଆରଏସ୍ ଶିବିରକୁ ଯିବା ପରେ ରାଜ୍ୟ ରାଜନୀତିରେ ଏହାର କଣ ପ୍ରଭାବ ରହିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୁଅ ଶିଶିର ଓ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ବିଜେପିକୁ ବାଏ ବାଏ କହିଥିବା ବେଳେ ପୂର୍ବତନ ବିଜେଡି ବିଧାୟକ ନବୀନ ନନ୍ଦ ଏବଂ ପୂର୍ବତନ ସାଂସଦ ରାମଚନ୍ଦ୍ର ହାସଁଦା କେସିଆରଙ୍କ ହାତ ଧରିଛନ୍ତି । ଆହୁରି ଅନେକ ହାଇପ୍ରୋଫାଇଲ୍ ନେତା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଯୋଗାଯୋଗରେ ଥିବା କୁହାଯାଉଛି । ବିଜେଡିର ପୂର୍ବତନ ବିଧାୟକ ଦେବାଶିଷ ନାୟକ ୨୦୧୯ରେ ଟିକଟ ନପାଇବା ପରେ ଦଳଠୁ ଦୂରେଇ ଦୁରେଇ ରହିଛନ୍ତି । ସେ ମଧ୍ୟ BRS କ୍ୟାମ୍ପକୁ ଯିବା ଲାଗି ହାଇଦ୍ରାବାଦରେ ଥିବା ସୂଚନା ମିଳିଛି ।

BRSର ଏଣ୍ଟ୍ରି ରାଜ୍ୟ ରାଜନୀତିକୁ ଆଦୌ ପ୍ରଭାବିତ କରିବ ନାହିଁ ବୋଲି ପ୍ରମୁଖ ରାଜନୈତିକ ଦଳ ଦମ୍ଭୋକ୍ତି କରୁଛନ୍ତି । ତେବେ ବିଦ୍ରୋହୀ ଓ ଅସନ୍ତୁଷ୍ଟ ନେତାଙ୍କୁ ନିଜ ପକ୍ଷଙ୍କୁ ନେବା ଲାଗି BRSର ଷ୍ଟ୍ରାଟେଜି ରାଜନୈତିକ ଦଳଙ୍କ ପାଇଁ ଟେନ୍‌ସନ୍‌କୁ ବଢାଇଛି । ଶାସକ ବିଜେଡିରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ଉଗ୍ର ହେଉଥିବାରୁ ଅସନ୍ତୁଷ୍ଟ ଯଦି BRSରେ ଯୋଗ ଦିଅନ୍ତି ତେବେ ସେମାନଙ୍କୁୁ ମ୍ୟାନେଜ କରିବା ସମ୍ଭବ ହେବ ନାହିଁ ବୋଲି ଦଳର ଡର ରହିଛି । ବିଜେପିକୁ ମଧ୍ୟ ସମାନ ସ୍ଥିତିର ସାମ୍ନା କରିବାକୁ ପଡିପାରେ ।

ଅନ୍ୟପକ୍ଷରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅନେକ ଅଞ୍ଚଳରେ ଏବେବି କଂଗ୍ରେସର ଭୋଟବ୍ୟାଙ୍କ ରହିଛି । ମାତ୍ର ବହୁସଂଖ୍ୟାରେ ଆଦିବାସୀ ଓ ଚାଷୀ ନେତା BRS ମୁହାଁ ହୋଇଥିବାରୁ ଅବକ୍ଷୟମୁଖୀ କଂଗ୍ରେସ ପାଇଁ ଏହା ଘାତକ ହୋଇପାରେ ।

କ୍ରମାଗତ ୫ ପାଳି ଧରି ବିଜେଡି ଶାସନ କ୍ଷମତାରେ ଅଛି । ସରକାରୀ ବିରୋଧୀ ହାଓ୍ୱା ସାଙ୍ଗକୁ ଦଳୀୟ କନ୍ଦଳ ଓ ବିଜେଡିକୁ କ୍ଷମତାଚ୍ୟୁତ କରିବାରେ ବିଜେପି ଓ କଂଗ୍ରେସର ବିଫଳତା ବିକଳ୍ପ ଦଳ ପାଇଁ ରାଜ୍ୟ ରାଜନୀତିରେ ବିରାଟ ସମ୍ଭାବନା ସୃଷ୍ଟି କରିଛି । ଯଦି ଅସନ୍ତୁଷ୍ଟ ଓ ବିଦ୍ରୋହୀଙ୍କୁ କ୍ୟାପଚର ଷ୍ଟ୍ରାଟେଜି ସଫଳ ହୁଏ, ତେବେ ଆଗାମୀ ଦିନରେ BRS ଏକ ପ୍ରମୁଖ ଶକ୍ତି ଭାବେ ଉଭା ହେବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

ଗତକାଲି BRSରେ ଯୋଗ ଦେଇଥିବା ଓଡିଆ ନେତାଙ୍କ ସହ ଆଜି ଆଲୋଚନା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଆଗାମୀ ଦିନରେ ଓଡ଼ିଶାରେ ଦଳର ରଣନୀତି କଣ ହେବ ସେନେଇ ବିଚାରବିମର୍ଶ କରାଯାଇଥିବା ସୂଚନା ମିଳିଛି ।