Advertisment

Jagannath Pradhan Arrest: ବିରୋଧୀଙ୍କୁ ନିରସ୍ତ୍ର କଲେ ମୋହନ, ଗିରଫ ବଢ଼ାଇବ ସରକାରଙ୍କ ଭାବମୂର୍ତ୍ତି !

ପ୍ରମାଣ ଥାଇ ଯଦି ଦଳ ଜଣେ ନେତାଙ୍କୁ ଘଣ୍ଟ ଘୋଡାଇବ, ତେବେ ଏହା ଯେ କୌଣସି ଦଳକୁ ବେଶ୍ ରାଜନୈତିକ କ୍ଷତି ପହଞ୍ଚାଇବ । ବୋଧହୁଏ ଏହାକୁ ଆଧାର କରି ଭାରତୀୟ ଜନତା ପାର୍ଟି ଏବଂ ମୋହନ ସରକାର ଜଗନ୍ନାଥଙ୍କ ଆତ୍ମସମର୍ପଣ ଭଳି ଏକ ସମ୍ମାନଜନକ ରାସ୍ତା ବାହାର କରି ଦଳ ଓ ସରକାରଙ୍କର ଭାବମୂର୍ତ୍ତି ରକ୍ଷା କରିବା ପାଇଁ ସମର୍ଥ ହେଲେ ।

author-image
Akshaya Kumar Sahoo
ଅଦ୍ୟତନ ହୋଇଛି
Politics

Politics

ଭୁବନେଶ୍ୱର ମୁନିସିପାଲିଟି କର୍ପୋରେସନ୍ (ବିଏମ୍‌ସି) କାର୍ଯ୍ୟାଳୟର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଏବଂ ଏଥିରେ ବରିଷ୍ଠ ରାଜନେତା ଜଗନ୍ନାଥ ପ୍ରଧାନଙ୍କ ସମ୍ପୃକ୍ତି ଅଭିଯୋଗ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡୁଛି । ବିରୋଧୀ ବିଜୁ ଜନତା ଦଳ ଏହାକୁ ଏକ ବଡ଼ ରାଜନୈତିକ ଅସ୍ତ୍ର କରି ମୋହନ ମାଝୀ ସରକାରକୁ ଘେରିବା ପାଇଁ ଚେଷ୍ଟା କରିଥିଲା ଏବଂ ଏହି ଚାପ ଯୋଗୁଁ ଜଗନ୍ନାଥ ଗୁରୁବାର ଦିନ ସଂଧ୍ୟାରେ ଆତ୍ମସମର୍ପଣ କରିବା ପରେ ଗିରଫ ହୋଇଛନ୍ତି ।

Advertisment

ଜଗନ୍ନାଥ ପ୍ରଧାନ ଏବେ ଝାରପଡ଼ା ଜେଲ୍‌ରେ । ଏହା ସହିତ ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ୍ ଅଧିକାରୀ ସଂଘ ଯେଉଁ ‘କଲମ ଛାଡ଼’ ଆନ୍ଦୋଳନ ଡାକରା ଦେଇଥିଲା, ତାହା ପ୍ରତ୍ୟାହୃତ ହୋଇଛି ।

ରତ୍ନାକର ସାହୁ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀ । ଏଣୁ ତାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ନେଇ ଓଏଏସ ସଂଘ କ୍ଷୁବ୍‌ଧ ହେବା ସ୍ୱାଭାବିକ । ଏହି ଦୃଷ୍ଟିରୁ ସଂଘ ‘କଲମ ଛାଡ଼’ ଆନ୍ଦୋଳନ ଡାକରା ଦେଇ ପ୍ରଶାସନିକ ବ୍ୟବସ୍ଥାକୁ ଏକ ପ୍ରକାର ଅଚଳ କରିଦେଇଥିଲା । ସଚିବାଳୟ ଠାରୁ ଆରମ୍ଭ କରି ବ୍ଲକ୍ ସ୍ତର ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଥିଲା ।

Advertisment

ରତ୍ନାକର ସାହୁଙ୍କ ଉପରେ ଯେଉଁଭଳି ଅମାନବୀୟ ତଥା ବର୍ବରୋଚିତ ଭାବରେ ଆକ୍ରମଣ କରାଗଲା, ତାହାକୁ କେହି ସଭ୍ୟ ମଣିଷ କେବେ ପସନ୍ଦ କରିବ ନାହିଁ । ଏହା ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ । ଏଥିରେ ସମ୍ପୃକ୍ତ ପାଞ୍ଚଜଣ ଅଭିଯୁକ୍ତଙ୍କୁ ପ୍ରଥମେ ଗିରଫ କରାଯାଇଥିଲା । ଯେହେତୁ ଅଭିଯୁକ୍ତମାନେ ଆକ୍ରମଣ ସମୟରେ ଜଗନ୍ନାଥ ପ୍ରଧାନଙ୍କ ନାମ ଉଚ୍ଚାରଣ କରିଥିଲେ, ସେଥିପାଇଁ ଓଏଏସ୍ ସଂଘ ତାଙ୍କର ଗିରଫଦାରୀ ପାଇଁ ଅଡ଼ିବସିଥିଲା । ଅନ୍ୟପକ୍ଷରେ ରାଜସ୍ୱ ମନ୍ତ୍ରୀ ସୁରେଶ କୁମାର ପୂଜାରୀ କହିଥିଲେ ଯେ, ପାଞ୍ଚଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି । ଆକ୍ରମଣ ପଛରେ ଯଦି ଆଉ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାର ତଦନ୍ତ ବେଳେ ଜଣାପଡ଼ିବ, ତେବେ ସରକାର ଏ ନେଇ କଠୋର କାର୍ଯ୍ୟାନୁଷ୍ଠାନ ନେବାରେ ପଶ୍ଚାତ୍‌ପଦ ହେବେ ନାହିଁ । ଶେଷରେ ତାହାହିଁ ହୋଇଛି ।

ଗଣତନ୍ତ୍ରରେ ଆଇନର ଶାସନ ଚାଲେ । ଆଇନ୍‌କୁ ହାତ ନେବା ଅପରାଧ । ଏକ ଅପରାଧରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ୍ ସେତିକିବେଳେ ଗିରଫ କରିଥାଏ, ଯେତେବେଳେ ତାଙ୍କ ବିରୋଧରେ ‘ପ୍ରାଇମା ଫାସାଇ ଏଭିଡେନ୍ସ’ ବା ‘ପ୍ରାଥମିକ ପ୍ରମାଣ’ ମିଳିଥାଏ । ଏଠି ଜଗନ୍ନାଥଙ୍କ ବିରୋଧରେ ଏ ପର୍ଯ୍ୟନ୍ତ ପୋଲିସ୍ ପ୍ରାଥମିକ ପ୍ରମାଣ ପାଇଛି କି ନାହିଁ, ତାହା ସର୍ବସାଧାରଣଙ୍କୁ ଜଣାନଥିଲା । ଭୁବନେଶ୍ୱର ଡେପୁଟି କମିଶନର ଅଫ ପୋଲିସ୍ ବା ଡିସିପି ଜଗମୋହନ ମୀନାଙ୍କ କହିବା କଥା ଯେ, ପୋଲିସ୍ ଜଗନ୍ନାଥଙ୍କ ବିରୋଧରେ ଆପାତତଃ ପ୍ରମାଣ ପାଇବା ପରେ ଓ ସାକ୍ଷୀମାନଙ୍କ ବୟାନ ଅଧାରରେ ତାଙ୍କୁ ଗିରଫ କରିଛି । ପ୍ରଥମେ ପୋଲିସ୍ ପାଖରେ ଯଦି ଏମିତି କିଛି ଠୋସ୍ ପ୍ରମାଣ ଥାଆନ୍ତା, ତେବେ ଏ ନେଇ ପ୍ରଥମରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଥାନ୍ତେ । ସେହିପରି ଦଳ ଦେଖୁଥିଲା ଯେ, ବିରୋଧୀମାନଙ୍କ ଚାପ କେତେଦୂର ପ୍ରଭାବଶାଳୀ ଅଛି ଏବଂ ଏ ନେଇ ଜନସାଧାରଣଙ୍କ ଭାବାବେଗ କଣ ରହିଛି । ପ୍ରମାଣ ଥାଇ ଯଦି ଦଳ ଜଣେ ନେତାଙ୍କୁ ଘଣ୍ଟ ଘୋଡାଇବ, ତେବେ ଏହା ଯେ କୌଣସି ଦଳକୁ ବେଶ୍ ରାଜନୈତିକ କ୍ଷତି ପହଞ୍ଚାଇବ । ବୋଧହୁଏ ଏହାକୁ ଆଧାର କରି ଭାରତୀୟ ଜନତା ପାର୍ଟି ଏବଂ ମୋହନ ସରକାର ଜଗନ୍ନାଥଙ୍କ ଆତ୍ମସମର୍ପଣ ଭଳି ଏକ ସମ୍ମାନଜନକ ରାସ୍ତା ବାହାର କରି ଦଳ ଓ ସରକାରଙ୍କର ଭାବମୂର୍ତ୍ତି ରକ୍ଷା କରିବା ପାଇଁ ସମର୍ଥ ହେଲେ । ବିରୋଧୀ ଦଳ ସରକାରକୁ ଘେରିବା ପାଇଁ କରିଥିବା ଯୋଜନା ଫସର ଫାଟିଛି ।

ଅତୀତର ଇତିହାସକୁ ଯଦି ଦେଖିବା, ତେବେ ଗୋଟିଏ ଚିତ୍ର ସାମ୍ନାକୁ ଆସିବ ଯେତେବେଳେ କୌଣସି ସରକାର ଅଭିଯୁକ୍ତ ଓ ଅପରାଧୀମାନଙ୍କୁ ପୃଷ୍ଠପୋଷକତା ଯୋଗାଇଦେଇଛନ୍ତି, ସେମାନଙ୍କୁ ଜନତା ନିର୍ବାଚନରେ ଶାସ୍ତି ଦେଇଛନ୍ତି । ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଓ ଅଞ୍ଜନା ମିଶ୍ରଙ୍କ ଉପରେ ପାଶବିକ ଅତ୍ୟାଚାର ଇତ୍ୟାଦି ଘଟଣା ପରେ ଜାନକୀ ବଲ୍ଲଭ ପଟ୍ଟନାୟକ ସରକାରଙ୍କ ପତନ ଘଟିଥିଲା । ସେହିପରି ଅନେକଗୁଡ଼ିଏ ନାରୀ ନିର୍ଯ୍ୟାତନା ଘଟଣାରେ ବିଜୁ ଜନତା ଦଳ ନେତାମାନଙ୍କର ସମ୍ପୃକ୍ତି ଯୋଗୁ ଉକ୍ତ ଦଳ ୨୪ ବର୍ଷ ପରେ କ୍ଷମତାରୁ ବିଦା ହେଲା । ଯଦି ଏବେକାର ଘଟଣାରେ ଭାରତୀୟ ଜନତା ପାର୍ଟି ଜଗନ୍ନାଥ ପ୍ରଧାନଙ୍କୁ ପୃଷ୍ଠପୋଷକତା ଯୋଗାଇ ଦେଉଛି, ତେବେ ଆଗାମୀ ଦିନରେ ଏହା ଦଳ ବିରୋଧରେ ଏକ ନକାରାତ୍ମକ ଧାରଣା ସୃଷ୍ଟି କରିବ ।

ବର୍ତ୍ତମାନ ଜଗନ୍ନାଥ ପ୍ରଧାନଙ୍କ ଗିରଫ ପରେ ବିରୋଧୀମାନଙ୍କ ହାତରୁ ଆକ୍ରମଣର ଅସ୍ତ୍ର ଏକ ପ୍ରକାର ଖସିଯାଇଛି । ବିଜେପି ବର୍ତ୍ତମାନ ଆଇନର ଶାସନରେ ବିଶ୍ୱାସ କରେ ବୋଲି ଡିଣ୍ଡିମ ପିଟିବ । ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଯେଉଁଭଳି କିଛି ବିଜେଡ଼ି ନେତାଙ୍କୁ ଗିରଫ କରି ନବୀନ ତାଙ୍କର ଭାବମୂର୍ତ୍ତି ତିଆରି କରିଥିଲେ, ଜଗନ୍ନାଥଙ୍କ ଗିରଫ ପରେ ବର୍ତ୍ତମାନ ସେହିଭଳି ରାଜନୈତିକ ଲାଭ ବିଜେପି ଓ ମୋହନ ମାଝୀ ସରକାର ସାଉଁଟିବେ ।

ଏବେ ଓଏଏସ୍ ସଂଘର ଦାବି ସମ୍ପର୍କରେ ଆଲୋଚନା କରିବା । ଅତୀତରେ ଏହି ସଂଘ ଅନେକ ସଦସ୍ୟଙ୍କ ଉପରେ ହୋଇଥିବା ଆକ୍ରମଣରେ ଏଭଳି କେବେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିନଥିଲା । ଏବେ ଯେଉଁଭଳି ଭାବେ ଏହି ଅଧିକାରୀମାନେ ଆନ୍ଦୋଳନ କଲେ, ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି । ଗ୍ରାମାଞ୍ଚଳ ଓ ଅନ୍ୟାନ୍ୟ ଛୋଟ ସହରରୁ ଯାହା ଖବର ଆସୁଛି ଯେ ବ୍ଲକ୍‌, ତହସିଲ୍ କାର୍ଯ୍ୟାଳୟ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦଗୁଡିକରେ ସାଧାରଣ ପ୍ରଶାସନିକ ସେବା ଗୁରୁବାର ଦିନ ସଂଧ୍ୟା ପର୍ଯ୍ୟନ୍ତ ଏକ ପ୍ରକାର ଅଚଳ ହୋଇପଡିଥିଲା । ଦୂରଦୂରାନ୍ତରୁ ଲୋକମାନେ ଆସି ସାଧାରଣ ସେବା ନପାଇ ଫେରିଯାଉଥିବା ଚିତ୍ର ସାଧାରଣ ଜନତାର ମନକୁ ବେଶ୍ ଆନ୍ଦୋଳିତ କରୁଥିଲା । ଆନ୍ଦୋଳନକୁ ଦୀର୍ଘ କରି ଓଏଏସ ସଂଘ ସମଗ୍ର ରାଜ୍ୟ ପ୍ରଶାସନକୁ ବନ୍ଧକ କରିବା ଅପପ୍ରୟାସ କରିଥିଲା ବୋଲି ଆଲୋଚନା ହେଉଛି ।

ସତ ସବୁବେଳେ ସାମ୍ନାକୁ ଆସେ । ଓଏଏସ୍ ସଂଘ ଆନ୍ଦୋଳନ ପଛରେ ରାଜନୈତିକ ପୃଷ୍ଠପୋଷକତା ରହିଥିଲା କି ନାହିଁ ତାହା ଖୁବ୍ ଶୀଘ୍ର ସ୍ପଷ୍ଟ ହୋଇଯିବ ।

ଅଧିକ ପଢ଼ନ୍ତୁ: ବିଜେପିର ବଡ଼ ଘୋଷଣା, କାଲି ହେବନି ରାଜ୍ୟ ସଭାପତି ନିର୍ବାଚନ

BJP BMC Police Attack Politics
Advertisment
Advertisment