• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଂଗ୍ରେସ ପରେ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି । ରୋଷ ଘର ଚୁଲି ଭଙ୍ଗା ଘଟଣାରେ ବିଜେପି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ବିଜେପି ଅଭିଯୋଗ କରିଛି ଯେ, ଚୁଲି ଭଙ୍ଗା ଘଟଣାରେ ମନ୍ଦିର ପ୍ରଶାସନ ଓ ସରକାରଙ୍କ ଭୂମିକା ସନ୍ଦେହଜନକ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର । ରୋଷଘର ଚୁଲି ଭାଙ୍ଗିଦିଆଯିବା ଘଟଣା କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ ବ୍ୟଥିତ କରିଛି । ଚୁଲିକୁ ଭାଙ୍ଗିଦେଇ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ, ଅତ୍ୟନ୍ତ ଦୁଃଖଦାୟକ । ଭବିଷ୍ୟତରେ ଯେମତି ଏହାର ପୁନରାବୃତ୍ତି ନହେବ ସରକାର ସେଥିପ୍ରତି ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ ।

ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଶ୍ରୀମନ୍ଦିରର ୧୦୦ ମିଟର ପରିଧିରେ ନିର୍ମାଣକୁ ବିରୋଧ କରୁଥିବା କହିଲା ବିଜେପି । ଶାସନ, ଅହଂକାରରେ ନୁହେଁ ବରଂ ଜନତାଙ୍କ ଆଶୀର୍ବାଦରେ ଚାଲେ ବୋଲି କହିଛି ବିଜେପି । ଶୌଚାଳୟ ନାଁରେ ଗଭୀର ଖନନ କରାଯାଇ କଣ ଚାଲିଛି ତାହା ଏବେ ସନ୍ଦେହ ଘେରରେ । ବିକାଶରେ ବାଧା ଦେଉ ନାହୁଁ କି ବିକାଶକୁ ବିଜେପି ବିରୋଧ କରୁନାହିଁ କିନ୍ତୁ ଟଏଲଟ୍ ନାଁରେ ସେଠାରେ ଆଉ କିଛି ବେଆଇନ୍‌ ନିର୍ମାଣକୁ ବିରୋଧ କରାଯାଉଛି । ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ASI ଅନୁମତିରେ ନିର୍ମାଣ ପାଇଁ ବିଜେପି ଦାବି କରୁଛି । ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳା ନଯାଉ କହିଲେ ଲେଖାଶ୍ରୀ ସାମନ୍ତସିଂହାର ।

ସେହିଭଳି ପୂର୍ବରୁ କଂଗ୍ରେସ ମଧ୍ୟ ଏହାକୁ ବିରୋଧ କରିଛି । ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣା ସରକାରୀ ପ୍ରାୟୋଜିତ ବୋଲି ଅଭିଯୋଗ କରିଛି କଂଗ୍ରେସ । ପରିକ୍ରମା ପ୍ରକଳ୍ପ ବିବାଦରୁ ନଜର ହଟାଇବାକୁ ଏଭଳି ପ୍ରୟାସ କରାଯାଉଛି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଖନନକୁ ନେଇ ଶାସକ ଦଳ ଲୋକସଭାଠାରୁ ଆରମ୍ଭ କରି ବିଧାନସଭା ଯାଏଁ ଅଡୁଆରେ ପଡ଼ିଛିି । ଏହି ବିବାଦକୁ ଏଡାଇବା ପାଇଁ ଚୁଲି ଭଙ୍ଗାଯାଇଛି । ଏବେ ମୁଖ୍ୟ ଶାସନ ସଚିବ ଓ ଡିଜିପି ଯେଉଁ ଭଳି ତତ୍ପରତା ଦେଖାଇଲେ ପୂର୍ବରୁ ସୁରକ୍ଷା ନେଇ କାହିଁକି ତତ୍ପରତା ଦେଖାଇଲେ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ସେହିପରି ମହାପ୍ରଭୁଙ୍କ ଚୁଲି ଭଙ୍ଗା ଘଟଣାକୁ ମଧ୍ୟ ସିପିଆଇ କଡ଼ା ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏହାସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ ଦଳ କହିଛି ଏହାକୁ ନେଇ ପୁରୀରୁ ପାର୍ଲାମେଣ୍ଟ ଯାଏଁ ଖାଲି ରାଜନୀତି ଚାଲିଛି । ନିର୍ମାଣ ପାଇଁ ଅନୁମତି ଅଛି କି ନାହିଁ ASI କାହିଁକି ହସ୍ତକ୍ଷେପ କରୁନି କି କାର୍ଯ୍ୟାନୁଷ୍ଠାନ ନେଉନି ? ASI, ରାଜ୍ୟ ଓ କେନ୍ଦ୍ର ସରକାର ସ୍ପଷ୍ଟ କରନ୍ତୁ । ରାଜ୍ୟ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ଦଳ ଦାବି କରିଛି ।

ସେପଟେ ବିଜେଡି କହିଛି ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଚୁଲି ଭଙ୍ଗା ଘଟଣାର ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଏକ ନିନ୍ଦନୀୟ ଘଟଣା । ଏହାର ତଦନ୍ତ ଚାଲିଛି । ଯିଏ କେହି ବି ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।