/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632815507.jpg)
Sambit Patra
ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଯଦି ପୋଲିସ ସୁରକ୍ଷିତ ନୁହେଁ, ତେବେ ଲୋକେ କେମିତି ସୁରକ୍ଷିତ ରହିପାରିବେ। ନିର୍ବାଚନ ସମୟରେ ଏପରି ହେବା ଯୋଗୁଁ ଗଣତନ୍ତ୍ରର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି। ପିପିଲି ଉପନିର୍ବାଚନକୁ ପ୍ରଭାବିତ କରିବାକୁ ବିଜେଡି ଚେଷ୍ଟା କରୁଥିବା ସେ ଅଭିଯୋଗ କହିଛନ୍ତି। ଏ ନେଇ ବିଜେପି ନିର୍ବାଚନ କମିଶନଙ୍କ ନିକଟକୁ ଯିବ ବୋଲି କହିଛନ୍ତି ସମ୍ବିତ।
ସେ ଆହୁରି ପ୍ରଶ୍ନ କରିଛନ୍ତି, ଯଦି ସେଠାରେ ବାଣ ଥିଲା, କାହିଁକି ଏତେ ଦିନ ଧରି ରଖାଯାଇଥିଲା। କାହିଁକି ନିଷ୍କ୍ରିୟ କରାଯାଇନଥିଲା? ବାଣ ଥାନା ଭିତରେ କେତେ ଦିନ ରହିବା ଉଚିତ? ଏସବୁ ପ୍ରଶ୍ନର ଉତ୍ତର ପାଇଁ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ସମ୍ବିତ ପାତ୍ର। ଆଗରୁ ସାତଶଙ୍ଖ ବିଜେପି ଅଫିସରେ ମଧ୍ୟ ବୋମା ପକାଯାଇଥିବା ସେ ଅଭିଯୋଗ କରିଛନ୍ତି।
ସେପଟେ ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଏହି ଘଟଣା ସହିତ ନିର୍ବାଚନର କୌଣସି ସଂପର୍କ ନାହିଁ। ନିର୍ବାଚନର ପ୍ରସ୍ତୁତି ପୁରା ସରିଯାଇଛି। ବିସ୍ଫୋରଣ ପାଇଁ ମତଦାନ ହାର ମଧ୍ୟ କମିବାର ନାହିଁ। ଗୋଦାମରେ ୨୦୧୮ରୁ ଜବତ ହୋଇଥିବା କିଛି ବାଣ ଥିଲା ଓ ସୋଲାର ବ୍ୟାଟେରି ମଧ୍ୟ ଥିଲା। ବ୍ୟାଟେରି ଯୋଗୁଁ ବାଣ ବିସ୍ଫୋରଣ ହୋଇଥିବାର ସେ କହିଛନ୍ତି।
ସମ୍ବିତ ପାତ୍ରଙ୍କ ଅଭିଯୋଗର ଜବାବ ଦେଇ ବିଜେଡିର ଦେବୀପ୍ରସାଦ ମିଶ୍ର କହିଛନ୍ତି, ଯଦି ସମ୍ବିତ ପାତ୍ରଙ୍କ ନିକଟରେ ଠୋସ୍ ପ୍ରମାଣ ଅଛି, ତେବେ ସେ ଉପସ୍ଥାପନ କରନ୍ତୁ। ନ ହେଲେ ଏପରି ଅବାନ୍ତର, ଅପ୍ରାସଙ୍ଗିକ କଥା କୁହନ୍ତୁ ନାହିଁ। ପିପିଲିରେ ନିଶ୍ଚିତ ପରାଜୟ ଆଶଙ୍କାରେ ବିଜେପି ଏପରି କହୁଥିବା ଦେବୀ ମିଶ୍ର କହିଛନ୍ତି।
ସେପଟେ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। କିପରି ଏହି ବିସ୍ଫୋରଣ ହେଲା ? ବିସ୍ଫୋରକ କେତେ ପରିମାଣର ଥିଲା ସେ ସମ୍ପର୍କରେ ତଦନ୍ତ ହେଉଛି। ପୁରୀ ଅତିରିକ୍ତ ଏସ୍ପି ପି. ପ୍ରଧାନ ଘଟଣାର ତଦନ୍ତ କରି ରିପୋର୍ଟ ଆଜି ସଂଧ୍ୟା ସୁଦ୍ଧା ଦେବେ। ଫରେନ୍ସିକ ଟିମ୍ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ତଦନ୍ତ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)