• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମେଣ୍ଟ ହେଉନି, ବିଜେଡି ହିଁ ମେଣ୍ଟ ଚର୍ଚ୍ଚାକୁ ଆଗକୁ ବଢାଉଛି । ଏମିତି ପ୍ରତିକ୍ରିୟା ରଖିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ଗତକାଲି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ । ଆଉ ଆଜି ଖୋଦ ନିର୍ବାଚନ ପ୍ରଭାରୀଙ୍କ ଏହି ମନ୍ତବ୍ୟ ପରେ ଚର୍ଚ୍ଚାରେ ଲାଗିଛି ଫୁଲ୍ ଷ୍ଟପ ।

ଦିଲ୍ଲୀ ପରିଚାଳନା ବୈଠକରେ ହୋଇଥିବା ନିଷ୍ପତ୍ତିକୁ ନେଇ ୨୪ ପାଇଁ ପ୍ରସ୍ତୁତି ଜୋରଦାର କରିଛି ଦଳ । ପ୍ରଚାର ଆଉ ପ୍ରାର୍ଥୀ ଏହି ଦୁଇଟିକୁ ଗୁରୁତ୍ୱ ଦେବାକୁ ଦିଲ୍ଲୀରେ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନେତୃତ୍ୱ । ମେଣ୍ଟ ଚର୍ଚ୍ଚାରେ ଯବନିକା । ଓଡ଼ିଶା ଦଖଲ ପାଇଁ ପୂରା ଉତ୍ସାହର ସହ ଲଢି଼ବ ପଦ୍ମ ।

ଗତକାଲି ରାଜ୍ୟ ସଭାପତିଙ୍କ ପରେ ମେଣ୍ଟ ସମ୍ଭାବନାକୁ ଆଜି ନିର୍ବାଚନ ପ୍ରଭାରୀ ଖଣ୍ଡନ କରିଛନ୍ତି । ହେବନି ମେଣ୍ଟ, ଏକା ଲଢିବ ବିଜେପି ବୋଲି କହିଛନ୍ତି । ଏହାସହ ବିଧାନସଭାରେ ୮୦ ଆଉ ଲୋକସଭାରେ ୧୬ ଆସନ ଜିତିବା ଦମ୍ଭୋକ୍ତିକୁ ବି ଦୋହରାଇଛନ୍ତି ବିଜୟ ପାଲ ସିଂ ତୋମାର ।

ମେଣ୍ଟ ଚର୍ଚ୍ଚାରେ ସ୍ପଷ୍ଟୀକରଣ ରଖି ନିର୍ବାଚନ ପ୍ରଭାରୀ କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଏକାଧିକ କେନ୍ଦ୍ରୀୟ ନେତାଙ୍କ ସହ କଥାବାର୍ତ୍ତାରୁ, ମୋ ଜାଣିବାରେ ମେଣ୍ଟ ହେଉନି । ତେବେ ମେଣ୍ଟ ଚର୍ଚ୍ଚାକୁ ବିଜେଡି ଆଗକୁ ବଢାଉଥିବା ଅଭିଯୋଗ କରିଛନ୍ତି ବିଜୟ ପାଲ୍ ସିଂ ତୋମାର ।

ଅନ୍ୟପଟେ ବିଜେଡି କହିଛି ଅଭିଯୋଗ ଭିତ୍ତିହୀନ । ମେଣ୍ଟ କରିବାକୁ କେବେ ବିଜେଡି ଚାହିଁନି । ଏପଟେ ଏକାକୀ ଓଡ଼ିଶା ମିଶନ ପାଇଁ ମଇଦାନ ପ୍ରସ୍ତୁତ କରିସାରିଛି ଦଳ । ଦୁଇଟି କଥାକୁ ଗୁରୁତ୍ୱ- ଗୋଟିଏ ପ୍ରଚାର, ଅନ୍ୟଟି ପ୍ରାର୍ଥୀ । ଦିଲ୍ଲୀ ପରିଚାଳନା ବୈଠକରେ ଏନେଇ ବ୍ୟାପକ ଆଲୋଚନା ହୋଇଛି ।

୨୧ଟି ଯାକ ଲୋକସଭା କ୍ଷେତ୍ରରେ ସଭା ଓ କାର୍ଯ୍ୟକ୍ରମ କରିବେ ୪ ବଡ଼ ନେତା । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ରାଜ୍ୟରେ ୧୦୦ଟି ସଭା କରିବେ କେନ୍ଦ୍ର ସ୍ତରର ନେତା । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଭଳି ଚେହେରାଙ୍କୁ ବି ଓଡିଶାରେ ପ୍ରଚାର ପାଇଁ ଆଣିବ ଦଳ ।

ଏହାସହ ସିଇସି ନିଷ୍ପତ୍ତି ଆଧାରରେ ପ୍ରାର୍ଥୀ ବଛା ପ୍ରକ୍ରିୟାକୁ କଡ଼ା କରାଯାଇଛି । ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ- ବିଭିନ୍ନ ସର୍ଭେ, ନମୋ ଆପ୍ ଫିଡବ୍ୟାକ୍, କେନ୍ଦ୍ରୀୟ ନେତାଙ୍କ ପ୍ରବାସ ଗସ୍ତ ସମୀକ୍ଷାକୁ ଆଧାର କରି ପ୍ରାର୍ଥୀ ସ୍ଥିର ହେବ । ଜିତିବା ଯୋଗ୍ୟ ନେତାଙ୍କୁ ହିଁ ଟିକେଟ୍ ମିଳିବ । ଏମିତି କି ଅନ୍ୟଦଳର ଯୋଗ୍ୟ ନେତାଙ୍କୁ ବି ସାମିଲ କରି ଟିକେଟ ଦେବାକୁ କମିଟି ଗଠନ କରି ସାରିଛି ଦଳ ।

ଏହି କ୍ରମରେ ରାଜ୍ୟ କାର୍ଯ୍ୟାଳୟରେ ନିଇତି ଚାଲିଛି ମିଶ୍ରଣ ପର୍ବ । ବହୁ ହେଭିୱେଟ ପଦ୍ମ ଶିବିରରେ ସାମିଲ ହେଉଛନ୍ତି । ୫୦ ପ୍ରତିଶତ ଭୋଟ ଷ୍ଟ୍ରାଟେଜିକୁ ନେଇ ଆଗକୁ ବଢୁଛି ଦଳ । ଏପଟେ ୩ ତାରିଖ ସୁଦ୍ଧା ବିଧାନସଭା ପାଇଁ ସାମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ଦେବାକୁ ମଧ୍ୟ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପୁଣି ୫ ତାରିଖରେ ପ୍ରାଧାନମନ୍ତ୍ରୀ ଚଣ୍ଡିଖୋଲ ଆସୁଥିବାରୁ ଲଢେଇ ପାଇଁ ରାଜ୍ୟ ନେତୃତ୍ୱ ଓ କର୍ମୀଙ୍କୁ ମୋଦି କି ମନ୍ତ୍ର ଦେଉଛନ୍ତି ତା ଉପରେ ବି ନଜର ରହିଛି ।