• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଜେଡି ଶାସନରେ ବିପର୍ଯ୍ୟସ୍ତ ପଞ୍ଚାୟତିରାଜ ବ୍ୟବସ୍ଥାର ଅଭିଯୋଗ ଆଣି ବିଭିନ୍ନ କ୍ଷେତ୍ରରେ ଏମିତି ଦୁର୍ନୀତିର ସଂଖ୍ୟା ଗଣାଇ ଆଜିର ଦିନକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳିଛି ବିଜେପି । ଭୁବନେଶ୍ୱରଠୁ ନେଇ ବାଲେଶ୍ୱର, ସାଲେପୁରରୁ ନେଇ ତେଲକୋଇ । ରାଜ୍ୟର ବ୍ଲକ୍ ଗୁଡ଼ିକୁ ଭ୍ରଷ୍ଟାଚାରର ଗନ୍ତାଘର କରାଯାଇଥିବା ଏବଂ ପ୍ରତି ବର୍ଷ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫ ହଜାର କୋଟିର ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ୩୧୪ ବ୍ଲକ ଆଗରେ ବେକରେ କଳାପଟି ପିନ୍ଧି ଏମିତି ଗର୍ଜିଛନ୍ତି ବିଜେପିର ନେତା, କର୍ମୀ ।

ସାଲେପୁର ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ସମୀର ମହାନ୍ତି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିଶାନା ସାଧିଛନ୍ତି । କହିଛନ୍ତି ଲୋକେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ, ହେଲେ ଶାସନ କିଏ କରୁଛନ୍ତି ରାଜ୍ୟବାସୀ ଜାଣିଗଲେଣି । ଏଥିସହ ନିଜ ଅପାରଗତା ଲୁଚାଇବାକୁ ପାଇଁ ମୁଖ୍ୟମନ୍ତ୍ରୀ ଡରି ଯାଇ ବିଜେପିକୁ ଦୋଷ ଦେଉଛନ୍ତି ବୋଲି କହିଛନ୍ତି ସମୀର ।

୨୪ ନିର୍ବାଚନକୁ ଦେଖି ବିଜେଡି ସରକାର ବିରୋଧରେ ଜୋରଦାର ହମଲା ଆରମ୍ଭ କରିଦେଇଛି ବିଜେପି । ମୁଖ୍ୟ ଅସ୍ତ୍ର ସାଜିଛି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନବ ହତ୍ୟା, ଶାସନର ବିଭିନ୍ନ କ୍ଷେତ୍ରରେ ପୁଳା ପୁଳା ଦୁର୍ନୀତି ଓ ଚାଷ ଏବଂ ଚାଷୀ ସମସ୍ୟା ।

ଏପରିକି କିଛି ବି ସୁଯୋଗକୁ ହାତଛଡ଼ା କରୁନି ଦଳ । ସେହିପରି ବିଜେଡି ବି ଆବାସ ଯୋଜନାରେ ଘର ନ ମିଳିବା, ଗ୍ୟାସ ଦର ବୃଦ୍ଧି, ଚାଉଳ କାଟ୍ ଭଳି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ଅସ୍ତ୍ର କରି ରାସ୍ତାକୁ ଓହ୍ଲାଇ ସାରିଛି । ତେଣୁ ପରସ୍ପର ଭିତରେ ବାଦ ବାଦରେ ଚାଲିଛି ଲଢ଼େଇ।

ତେବେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିବା ବେଳେ ନିରାଧାର ପ୍ରସଙ୍ଗକୁ ଥୋଇ ବିଜେପି ହୀନ ରାଜନୀତି କରୁଥିବା କହିଛି ବିଜେଡି । ବ୍ଲକରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ପଞ୍ଚାୟତିରାଜ ଦିବସ ପାଳନ ବେଳେ ପଞ୍ଚାୟତିରାଜ ବ୍ୟବସ୍ଥାରେ ଦୁର୍ନୀତିକୁ ନେଇ ବ୍ଲକ୍ ବାହାରେ ବିଜେପିର ହଲ୍ଲାବୋଲ୍ ଚର୍ଚ୍ଚା ସୃଷ୍ଟି କରିଛି ।