• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡି ନେତା ଅରୁପ ପଟ୍ଟନାୟକଙ୍କ ବୟାନ ପରେ ଆଜି ବିଜେପି ବିଧାୟକଙ୍କ ହଲ୍ଲାବୋଲ । ଜୟନାରାୟଣଙ୍କ ସପକ୍ଷରେ ସ୍ୱରକୁ ଶାଣିତ କଲେ ବିଜେପି ବିଧାୟକ । ଆଉ ସରକାରଙ୍କୁ ବିଧାନସଭା ଅଧିବେସନ ପୂର୍ବରୁ ଚେତାବନୀ ବି ଦେଲେ । ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ରାଜ୍ୟର ବିଗୁଡୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅବଗତ କଲେ । ପୁଣି ରାଜଭବନରୁ ଚାଲି ଚାଲି କ୍ୟାପିଟାଲ୍ ଥାନାକୁ ଯାଇ ଅରୁପଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଲାଗି ଏତଲା ଦେଲେ ।

ଅରୁପଙ୍କ ବୟାନରୁ ବିରୋଧୀ ଦଳ ନେତାଙ୍କ ଜୀବନ ପ୍ରତି ବିପଦ ଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ଦଳ । ଏହାସହ ଷଡ଼ଯନ୍ତ୍ର କରି ବିରୋଧୀ ଦଳ ନେତାଙ୍କୁ ଯେଉଁଭଳି ଆକ୍ରମଣ କରାଗଲା ତାକୁ ବି ତୀବ୍ର ଭାଷାରେ ନିନ୍ଦା କରିଛନ୍ତି । ଦଳର ଯୁକ୍ତି ବିଧାନସଭାରେ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗକୁ ଏଡାଇବା ଲାଗି ଶାସକ ଦଳ ଏଭଳି ଚାଲ୍ ଖେଳୁଛି । ଆଉ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବାରମ୍ବାର ନବ ଦାସ ହତ୍ୟାକାଣ୍ଡରେ ସରକାରଙ୍କୁ ଅକଳରେ ପକାଉଥିବାରୁ ଅସହିଷ୍ଣୁ ହୋଇ ଶାସକ ଦଳ ଜୟନାରାୟଣଙ୍କୁ ଟାର୍ଗେଟ କରିଛି ।

ବିଧାନସଭାର ବଜେଟ ଅଧିବେଶନ ଆସନ୍ତା ୨୧ରୁ ଆରମ୍ଭ ହେଉଛି । ପ୍ରମୁଖ ବିରୋଧୀ ଦଳ ଭାବେ ବିଜେପି, ନବ ଦାସ ହତ୍ୟାକାଣ୍ଡ ଓ ଆଇନ୍ ଶୃଙ୍ଖଳାକୁ ମୁଖ୍ୟ ପ୍ରସଙ୍ଗ ଓ ଶାସକ ଦଳ କେନ୍ଦ୍ରର ଚାଉଳ କାଟ୍‌କୁ ପ୍ରସଙ୍ଗ କରିପାରେ । କିନ୍ତୁ ନବ ଦାସ ହତ୍ୟାକାଣ୍ଡରେ ସରକାର ବ୍ୟାକ୍ ଫୁଟ୍‌ରେ ଥିବାରୁ ଶାସକ ଦଳ ବିରୋଧୀ ଦଳ ନେତାଙ୍କୁ ଅଡୁଆରେ ଛନ୍ଦି ମାଇଲେଜ ନେବାକୁ ପ୍ରୟାସ କରୁଛି ବୋଲି ବିଜେପି କହିଛି ।

ସେପଟେ ଆଜି ପୁଣି ନିଜ ଅନ୍ଦାଜରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୟନାରାୟଣ କହିଛନ୍ତି ଯେ, ଅରୁପ କୁହନ୍ତୁ ମୁଁ କେଉଁଠିକୁ ଯିବି, ସେ ମତେ ଦେଖିନେବେ । ମୁଁ କୌଣସି ଭୁଲ୍ କରିନାହିଁ ତେଣୁ କ୍ଷମା ପ୍ରାର୍ଥନା କରିବି ନାହିଁ । ଜବାବରେ ବିଜେଡି କହିଛି ଜୟନାରାୟଣଙ୍କୁ କ୍ଷମା ମାଗିବାକୁ ହିଁ ପଡିବ ନଚେତ ଆନ୍ଦୋଳନ ତୀବ୍ରତର ହେବ ।

ବିଧାନସଭା ବଜେଟ ଅଧିବେସନକୁ ମଝିରେ ତିନି ଦିନ ବାକି । ତାପୂର୍ବରୁ ହାଇଡ୍ରାମା । ବିଜେପି ଓ ବିଜେଡି କେହି କାହାରିକୁ ଛାଡିବାକୁ ପ୍ରସ୍ତୁତ ନୁହେଁ । ଏଭଳି ସ୍ଥଳେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଦୋଷାରୋପ ରାଜନୀତି ବିଧାନସଭାରେ କି ପ୍ରଭାବ ପକାଉଛି ତାଉପରେ ନଜର ।