• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡିରେ ମିଶିଲେ ସୁକାନ୍ତ ନାୟକ ଓ ଚିରଞ୍ଜୀବ ବିଶ୍ୱାଳ। ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ବିଜେଡିରେ ମିଶିଛନ୍ତି। ସୁକାନ୍ତ ପୂର୍ବରୁ ବିଜେଡିରେ ଥିଲେ ଗତ ୨୦୧୯ ନିର୍ବାଚନରେ ବିଜେପି ଟିକେଟରେ ନିର୍ବାଚନ ଜିତିଥିଲେ। କିନ୍ତୁ ଏବେ ଠିକ୍ ନିର୍ବାଚନ ପୂର୍ବରୁ ପୁଣି ଦଳ ବଦଳାଇଛନ୍ତି। ଆଉ ବିଜେଡିକୁ ଫେରି ଆସିଛନ୍ତି ।

ସେହିପରି ୨୦୧୪ରେ ଚିରଞ୍ଜୀବ କଂଗ୍ରେସ ଟିକେଟରେ ଜଗତସିଂହପୁରରୁ ବିଧାୟକ ହୋଇଥିଲେ। ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ଚିରଞ୍ଜୀବ ବିଶ୍ୱାଳ । ଦୀର୍ଘ ଦିନ ଧରି ଦଳର ନେତୃତ୍ୱକୁ ନେଇ ସେ ଅସନ୍ତୁଷ୍ଟ ଥିଲେ । ପୂର୍ବରୁ ମଧ୍ୟ ସେ ଦଳର ନେତୃତ୍ୱଙ୍କ ବିରୋଧରେ ସମ୍ୟକ ବିଦ୍ରୋହ କରିଥିବା ଦେଖାଯାଇଥିଲା । ଚିରଞ୍ଜୀବ ଦୁଇ ଥର କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ ସେ ତିର୍ତ୍ତୋଲ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୪ରେ ସେ ଜଗତସିଂହପୁର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ।

ବିଜେଡିରେ ମିଶିବା ପରେ ଚିରଞ୍ଜୀବ ବିଶ୍ୱାଳ କହିଥିଲେ, ନବୀନଙ୍କ ନେତୃତ୍ୱ ଓ ୨୫ ବର୍ଷର ଜନାଭିମୁଖୀ କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇ ବିଜେଡିକୁ ଆସିଛି। ଏଥର ୧୨୦ରୁ ଅଧିକ ବିଧାୟକ ଓ ୧୫ରୁ ଅଧିକ ସାଂସଦଙ୍କୁ ଜିତେଇବାରେ ସହଯୋଗ କରିବି। ସାଂସଦ ସସ୍ମିତ ପାତ୍ର ଓ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଚିରଞ୍ଜୀବ ତାଙ୍କ ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି ।

ସେହିଭଳି ବିଧାୟକ ସୁକାନ୍ତ କୁମାର ନାୟକ କହିଛନ୍ତି, ତାଙ୍କର ଘର ବାହୁଡ଼ା ହୋଇଛି । ସେ ବିଜେଡିରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ। ବିଜୁବାବୁଙ୍କ ଆଦର୍ଶରେ ସେ ପ୍ରଥମରୁ ଅନୁପ୍ରାଣିତ। ୨୦୧୪ରେ ସେ ବିଜେଡି ଟିକେଟରେ ନୀଳଗିରିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ କୌଣସି କାରଣରୁ ଅଭିମାନ କରି ୨୦୧୯ରେ ବିଜେଡି ଛାଡ଼ିଥିଲେ ଓ ବିଜେପିରେ ମିଶି ପୁଣି ନୀଳଗିରିରୁ ଲଢ଼ିଥିଲେ।