• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଲେଖାଶ୍ରୀ ବଖାଣିଲେ କେନ୍ଦ୍ର ସରକାରଙ୍କ ସଫଳତା । ମୋଦି ସରକାରଙ୍କ ଲୋକାଭିମୁଖି ଯୋଜନାରେ ଲୋକେ କେତେ ଫାଇଦା ପାଇଛନ୍ତି ସେନେଇ ଏକ ତାଲିକା ଦେଇଛନ୍ତି ଲେଖାଶ୍ରୀ । ଦେଶର ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ ମୋଦି ସରକାର ନେଇଥିବା ବିଭିନ୍ନ ଯୋଜନା, ସଂସ୍କାର ଓ ଏହା ଦ୍ୱାରା ହୋଇଥିବା ଲାଭର ତାଲିକା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ସେ କହିଛନ୍ତି, ୨୦୧୪ ଆଗରୁ ଦେଶର ଅର୍ଥନୀତି ପୁରା ଦୁର୍ବଳ ଥିଲା । ୫୦ ଭାଗ ଲୋକ ବ୍ୟବସ୍ଥାରୁ ବାହାରେ ଥିଲେ । ମୋଦି ସରକାର ଆସିବା ପରେ ସେଥିରେ ଅନେକ ପରିବର୍ତ୍ତନ ଆସିଛି । ଲୋକଙ୍କ ପାଇଁ ଡିବିଟିଏଲ୍, ଜନ ଧନ, ମୁଦ୍ରା ଲୋନ୍ ଭଳି ଯୋଜନା କରାଯାଇଛି । ଯାହାର ଭରପୁର ଫାଇଦା ପାଇଛନ୍ତି ସାଧାରଣ ଲୋକ ।

ମୋଦି ସରକାରଙ୍କ ଏଭଳି ଯୋଜନା ଦ୍ୱାରା ମିଡିଲ ମ୍ୟାନ ଟଙ୍କା ଖାଇପାରୁ ନାହାନ୍ତି । ହିତାଧିକାରୀଙ୍କୁ ସିଧାସଳଖ ସବୁ ଯୋଜନାର ସୁଫଳ ମିଳୁଛି । ବିଭିନ୍ନ ସଂସ୍କାର ଯୋଗୁଁ ଜିଡିପି ୧୦ ପ୍ରତିଶତରୁ ଅଧିକ ରହିଛି । ଏମିତିକି ରପ୍ତାନି ପହଞ୍ଚିଛି ୪୦ ମିଲିୟନ ଡଲାରରେ । ଲୋକଙ୍କୁ ୩ଟି ଇନସ୍ୟୁରାନ୍ସ ଓ ପେନ୍‌ସନ୍‌ ମିଳିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଏହାସହ ରାଜ୍ୟରେ ଦିଆଯାଉଥିବା ଟଙ୍କିକିଆ ଚାଉଳ କଥା ମଧ୍ୟ ଉଠାଇଛନ୍ତି ଲେଖାଶ୍ରୀ । ଚାଉଳ ବଣ୍ଟନ କଥା କହି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଟଙ୍କିକିଆ ଚାଉଳ ବଣ୍ଟନରେ କେନ୍ଦ୍ର ସରକାର ୨୯ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ଦେଉଛନ୍ତି ୨ ଟଙ୍କା । ମୋଦି ସରକାର ଆସିବା ପରେ ଯେତେ ଯୋଜନା ହୋଇଛି, ତାହା କେବଳ ଗରିବ ଓ ସମାଜର ଶେଷ ବର୍ଗର ଲୋକଙ୍କ ପାଇଁ ବୋଲି କହିଛନ୍ତି ଲେଖାଶ୍ରୀ ।

ସେ କଟାକ୍ଷ କରି କହିଛନ୍ତି, ଡିବିଟିଏଲ୍ ଦ୍ୱାରା ବାଟମାରଣା କରି ହେଉନଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି । କେନ୍ଦ୍ରର ଆର୍ଥିକ ସଂସ୍କାରଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ତତ୍ପରତା ଦେଖାନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ । ତାଙ୍କର ଏହି ଅଭିଯୋଗକୁ ନେଇ ବିଜେଡି କି କଂଗ୍ରେସର ପ୍ରତିକ୍ରିୟା ମିଳି ପାରିନାହିଁ ।