Advertisment

ବିଜେଡ଼ି ସରକାର ବିରୋଧରେ ବିଜେପିର ଦୁର୍ବାର ଲଢେଇ: ମେଣ୍ଟ ନୁହେଁ, ଏକାକୀ ଲଢିବୁ କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା

ସଂସଦରେ କେନ୍ଦ୍ର ସରକାରଙ୍କୁ ବିଜେଡିର ସମର୍ଥନ, ପରେ ନବୀନ-ଶାହ ଭେଟଘାଟକୁ ନେଇ ଦୁଇ ଦଳର କର୍ମୀ ଓ ନେତା ଏବେ ଦ୍ୱନ୍ଦ୍ୱରେ।

author-image
Chandan Shishu
ଅଦ୍ୟତନ ହୋଇଛି
Odisha Politics

Odisha Politics

ରାଜ୍ୟ ସରକାର ବିରୋଧରେ ଦୁର୍ବାର ଲଢେଇ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ନିର୍ଦ୍ଦେଶକୁ କେମିତି ପଞ୍ଚାୟତ ସ୍ତରରୁ କାର୍ଯ୍ୟକାରୀ କରାଯିବ? ସେ ନେଇ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନେଇ ବିଜେପିର ଏକ କର୍ମଶାଳା କୋଣାର୍କରେ ଆୟୋଜିତ ହୋଇଛି। କେଉଁ ପ୍ରସଙ୍ଗକୁ ବାଛିବେ, କେନ୍ଦ୍ରର କେଉଁ ଯୋଜନାକୁ ଗୁରୁତ୍ବ ଦେଇ ଲୋକଙ୍କ ପାଖରେ ପହଞ୍ଚାଇବେ, ଏଥି ପାଇଁ କର୍ମୀଙ୍କୁ ପାଠ ପଢାଇଛନ୍ତି ୪ ଜଣ କେନ୍ଦ୍ରମନ୍ତ୍ରୀ। ତା ସହିତ ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା।

Advertisment

୨୪ରେ ଏକା ଲଢି ଓଡ଼ିଶାରେ ସରକାର ଗଠନ ପାଇଁ ଶୀର୍ଷ ନେତୃତ୍ବଙ୍କ ଦମ୍ଭୋକ୍ତି ପରେ ଆକ୍ସନ ମୋଡରେ ରାଜ୍ୟ ବିଜେପି। ଶାହଙ୍କ ଷ୍ଟ୍ରାଟେଜି କାର୍ଯ୍ୟକାରୀ ପାଇଁ କୋଣାର୍କରେ ଆୟୋଜିତ ଦୁଇଦିନିଆ କର୍ମଶାଳାରେ କର୍ମୀଙ୍କ କ୍ଳାସ୍ ନେଇଛନ୍ତି ଚାରି ଚାରିଜଣ କେନ୍ଦ୍ରମନ୍ତ୍ରୀ। ଏଠାରେ ତାଲିମ ନେଇଛନ୍ତି ବିଜେପିର ପଞ୍ଚାୟତ ଓ ଜିଲ୍ଲା ପରିଷଦର ନିର୍ବାଚିତ ପ୍ରତିନିଧି। ୨୪ରେ ଓଡ଼ିଶା ଦଖଲ ପାଇଁ ରାଜ୍ୟ ବିଜେପିକୁ କେନ୍ଦ୍ର ଗୃହମନ୍ତ୍ରୀ ଶାହ ଦେଇଥିବା ଟାସ୍କ ପୂରା କରିବାକୁ ଏଠାରେ ହୋଇଛି କସରତ। ୪ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା, ବିଶ୍ବେଶ୍ବର ଟୁଡୁ, ଅଶ୍ବିନୀ ଚୌବେ ଏଥିରେ ଯୋଗ ଦେଇ ବ୍ଲୁ ପ୍ରିଣ୍ଟକୁ କିଭଳି କାର୍ଯ୍ୟକାରୀ କରାଯିବ ତାର ଟେକନିକ୍ ଶିଖାଇଛନ୍ତି।

କେନ୍ଦ୍ରର କେଉଁ କେଉଁ ଯୋଜନାକୁ ନେଇ ପ୍ରତି ଘରକୁ ଟଚ୍ କରିବେ, ତାସହ ରାଜ୍ୟ ସରକାର ହଡପ କରୁଥିବା କେନ୍ଦ୍ରୀୟ ଯୋଜନାର ହିସାବ ଲୋକଙ୍କ ପାଖରେ ରଖିବେ ସେ ସଂପର୍କରେ ବୁଝାଯାଇଛି। ବଡ଼ କଥା ହେଲା କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ଓ ବାଟମାରଣା ପ୍ରସଙ୍ଗରେ ପଞ୍ଚାୟତ ସ୍ତରରୁ ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ତାଛଡ଼ା ନିର୍ବାଚିତ ଜନ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରସଙ୍ଗରେ ଲଢ଼େଇ ଓ ସ୍ଥାନୀୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ବାଛି ସରକାରଙ୍କୁ ଘେରିବାକୁ କୁହାଯାଇଛି। 

Advertisment

ସଂସଦରେ କେନ୍ଦ୍ର ସରକାରଙ୍କୁ ବିଜେଡିର ସମର୍ଥନ, ପରେ ନବୀନ-ଶାହ ଭେଟଘାଟକୁ ନେଇ ଦୁଇ ଦଳର କର୍ମୀ ଓ ନେତା ଏବେ ଦ୍ବନ୍ଦ୍ବରେ। ତେବେ ମନରେ କିଛି ଦ୍ବନ୍ଦ୍ୱ ନରଖି ଦିଆଯାଇଥିବା ଟାସ୍କକୁ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ଶାହ। ଏକାଧିକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଓଡିଶାରେ ବିଜେପି ଏକା ଲଢି ସରକାର କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତରେ କର୍ମୀଙ୍କ ମନରେ ଦ୍ୱନ୍ଦ୍ୱ ଦୂର କରିବାକୁ ବିଜେପି ଏହି ଷ୍ଟ୍ରାଟେଜି ଆପଣାଇଛି।  ଲମ୍ବା ସମୟ ଧରି ଶାସନରେ ଥିବାରୁ ସରକାରଙ୍କ ବିରୋଧରେ ଥିବା ଜନ ଅସନ୍ତୋଷକୁ ବିଜେପି ସପକ୍ଷରେ ଭୋଟରେ ପରିଣତ କରିବାରେ ଏହି ଷ୍ଟ୍ରାଟେଜି ପ୍ରଭାବୀ ହେବ ବୋଲି ସମୀକ୍ଷକ ଆକଳନ କରିଛନ୍ତି।

ରିପୋର୍ଟ: ସଞ୍ଜୟ ପତି

BJD BJP
Advertisment
Advertisment