• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରଦୀପ, ପୋଲିସ ଆଉ ପଲିଟିକ୍ସ । ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ପୋଲିସ୍‌ର ନିଷ୍କ୍ରିୟତା । ଯାହାକୁ ନେଇ ତେଜିଛି ରାଜନୀତି । କଂଗ୍ରେସ୍ ଓ ବିଜେପି ଜନ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଏହାରି ଭିତରେ ପାଣ୍ଡିଆନଙ୍କ ସୁରକ୍ଷାରେ ମୁତୟନ ଗୋଲାପୀ ଓ ନୀଳ ଟି-ସାର୍ଟ ପିନ୍ଧା ପୋଲିସକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ ।

ବିଧାୟକଙ୍କ ଗାଡ଼ି ଉପରେ ତାଣ୍ଡବ । ପୋଲିସ୍ ଉପସ୍ଥିତିରେ ଆକ୍ରମଣ । ଅଣ୍ଡା, ପାଣି ବୋତଲ ସହ ଘନ ଘନ ଢେଲାମାଡ। ଗତକାଲି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ି ଓ ସମର୍ଥକଙ୍କ ଉପରକୁ କିଛି ଏଭଳି ଢଙ୍ଗରେ ଆକ୍ରମଣ କରିଥିଲେ ବିଜେଡି କର୍ମୀ । ଆଇନ୍ କାନୁନ୍‌କୁ ଦଳି ଚକଟି ଜଣେ ଜନପ୍ରତିନିଧିଙ୍କୁ ବିଚ୍ ରାସ୍ତାରେ ଯେଭଳି ଆକ୍ରମଣ ହେଲା ତାହା ରାଜ୍ୟର ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସର ଉପସ୍ଥିତିରେ ଘଟି ଚାଲିଥିଲା ସବୁ ଘଟଣା । ହେଲେ କାର୍ଯ୍ୟନୁଷ୍ଠାନ ଶୂନ । ଅଣ୍ଡା ଓ ଢେଲା ମାଡ଼ କରୁଥିବା ଯୁବକଙ୍କୁ ଦେଖୁଥିଲା ପୋଲିସ ହେଲେ ଆକ୍ସନ୍ ନେଲାନି ।

ଆଇନକୁ ହାତକୁ ନେଲେ ବି କାହିଁକି ଚୁପ୍ ବସିଛି ପୋଲିସ ? ଏପର୍ଯ୍ୟନ୍ତ ଏଫ୍ଆଇଆର୍ ଟିଏ ବି ହୋଇନି । ପୋଲିସ ଉପରେ କାହାର ଚାପ ଅଛି କି ? ବିଜେଡି ଦଳର କର୍ମୀ ହୋଇଥିବାରୁ ସାତଖୁନ୍ ମାଫ୍ କି ? ଏସବୁ ପ୍ରଶ୍ନ ଭିତରେ ପିସିସି ସଭାପତି ସାମ୍ୱାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।

୭ବର୍ଷ ତଳେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ ଯେତେବେଳେ ଅଣ୍ଡାମାଡ ହୋଇଥିଲେ ସେତେବେଳେ ପୋଲିସ୍ ୩୦୭ ଦଫା କଂଗ୍ରେସ କର୍ମୀଙ୍କ ଉପରେ ଲଗାଇଥିଲା । କିନ୍ତୁ ଗୋପାଳପୁର ବିଧାୟକଙ୍କୁ ଆକ୍ରମଣ ଘଟଣାରେ କାହିଁକି କାହାରିକୁ ଗିରଫ କରାଯାଇନି ସେନେଇ ପ୍ରଶ୍ନ କରିଛନ୍ତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଭିକେ ପାଣ୍ଡିଆନ୍ ଯେଉଁ ଆଡେ ଯିବେ ଅଣ୍ଡା ଓ କାଳି ମାଡ଼ ହେବ ।

ବିଜେପି ବି ସମାନ ଅଭିଯୋଗ ଆଣିଛି । ଭୁବନେଶ୍ୱରରେ ଯୁବ ମୋର୍ଚ୍ଚା ରାଲି ବେଳେ ପୋଲିସ କର୍ମୀଙ୍କ ଉପରେ ସଙ୍ଗୀନ ଦଫା ଲଗାଇ ଗିରଫ କରିଥିଲା । ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ପୋଲିସ୍ କାହିଁକି ଆକ୍ସନ ନେଉନାହିଁ ବୋଲି ପ୍ରଶ୍ନ କରିଛି ଦଳ । ବିଜେଡି କହିଛି ଗତକାଲି ଯାହା ଘଟିଲା ତାହା ଜନ ଅସନ୍ତୋଷର ପ୍ରତିଫଳନ । ପୋଲିସ୍ ଆଗକୁ କାର୍ଯ୍ୟାନୁଷ୍ଠାନ ନେଇପାରେ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଗସ୍ତ ସମୟରେ ଗତକାଲି ଗୋଲାପୀ ଓ ଆଜି ନୀଳ ରଙ୍ଗର ଟି-ସାର୍ଟଧାରୀ ପୋଲିସ ମୁତୟନକୁ ନେଇ ବି ପ୍ରଶ୍ନ ଉଠିଛି । ପୋଲିସ୍ ରଙ୍ଗୀନ ଟିସାର୍ଟ ପିନ୍ଧିବା ପଛର କାରଣ କଣ ହୋଇପାରେ ? ଏ ପ୍ରଶ୍ନ ଏଇଥିପାଇଁ ଉଠୁଛି କାରଣ ଆଗରୁ କେବେ ରାଜ୍ୟ ପୋଲିସ କର୍ମଚାରୀଙ୍କୁ ଗୋଲାପୀ କି ବ୍ଲୁ-ଟି ସାର୍ଟରେ କର୍ତ୍ତବ୍ୟ ସମ୍ପାଦନ କରୁଥିବାର ଦେଖାଯାଇନାହିଁ ।

ସାଧାରଣତଃ ବଡ ବଡ କାର୍ଯ୍ୟକ୍ରମ ଓ ଭିଭିଆଇପିଙ୍କ ସୁରକ୍ଷାରେ ସାଦା ପୋଷାକଧାରୀ ପୋଲିସ୍ ମୁତୟନ ହୋଇଥାନ୍ତି । କିନ୍ତୁ ପାଣ୍ଡିଆନ୍‌ଙ୍କ ପାଇଁ ପୋଲିସ୍ କାହିଁକି ଗୋଲାପୀ ଓ ନୀଳ ଟି-ସାର୍ଟ ପିନ୍ଧିଲା ତାହା ସ୍ପଷ୍ଟ ହେଉନାହିଁ । ତେବେ ଏନେଇ ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

  • Reported by:
  • HARIHARA CHAND , JAGDISH DAS , ARACHANA SATPATHY