• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡିର ଚାଉଳ ବନାମ୍ ବିଜେପିର ଆଇନ ଶୃଙ୍ଖଳା । ପଂଚାୟତ ସ୍ତରରେ ବିଜେଡି, ଜିଲ୍ଲା ସ୍ତରରେ ବିଜେପିର ଆନ୍ଦୋଳନ । ତିନି ଦିନ ଦେଖିବାକୁ ମିଳିବ ହାଇଭୋଲେଟେଜ୍ ପଲିଟିକାଲ୍ ସୋ' । ସାଧାରଣ ନିର୍ବାଚନକୁ ଆଉ ମାତ୍ର ବର୍ଷେ ଥିବାରୁ ଏବେ ସବୁ ଦଳ ନିଜ ନିଜର ପ୍ରସଙ୍ଗ ଧରି ରାଜରାସ୍ତାକୁ ଓହ୍ଲାଇବାକୁ ତୟାର । ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେପି ପ୍ଲାନ୍ କରିଥିବା ବେଳେ କେନ୍ଦ୍ର ସରକାର ବିରୋଧରେ ଗର୍ଜନ କରିବ ବିଜେଡି ।

ନବ ଦାସ ହତ୍ୟାକାଣ୍ଡ, ବାଲି ମାଫିଆଙ୍କ ଦୌରାତ୍ମ୍ୟ, ତିର୍ତ୍ତୋଲ ବିଜେଡି ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପ୍ରସଙ୍ଗକୁ ନେଇ ଜନ ଜାଗରଣ କରିବ ବିଜେପି । ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ପ୍ରତିବାଦରେ ଆସନ୍ତା ୧୪ ତାରିଖରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ହରତାଳ କରିବ ଦଳ । ୧୫ରେ ସମସ୍ତ ଜିଲ୍ଲାପାଳ ଅଫିସ୍ ଓ ୧୬ରେ ରାଜଭବନ ଆଗରେ ବିକ୍ଷୋଭ କରିବ ଦଳ ।

ସେପଟେ ବିଜେପିର ଏହି ଆନ୍ଦୋଳନକୁ କାଉଣ୍ଟର କରିବାକୁ ବିଜେଡି ଆସନ୍ତା ୧୫ ତାରିଖରେ ପ୍ରତି ପଂଚାୟତ ଅଫିସ୍ ଆଗରେ ଆନ୍ଦୋଳନ ଓ ୧୬ରେ 
ବ୍ଲକ ଅଫିସ୍‌ଗୁଡ଼ିକୁ ଘେରାଉ କରିବାକୁ ଘୋଷଣା କରିଛି । କେନ୍ଦ୍ର ସରକାର ହିତାଧିକାରୀଙ୍କ ୫ କିଲୋ ଲେଖାଏଁ ଚାଉଳ କାଟି ଦେଉଥିବା ଅଭିଯୋଗ ଆଣି, ଆନ୍ଦୋଳନ କରିବାକୁ ବିଧାୟକ ଓ ଜିଲ୍ଲା ସଭାପତିମାନଙ୍କୁ କୁହାଯାଇଛି ।

ମାଗଣା ଚାଉଳ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା,
ଓ ରାଜ୍ୟରେ ଶାସନ ଚଳାଉଛି କିଏ ? ଏହି ୪ ପ୍ରସଙ୍ଗକୁ ନେଇ ବିଜେପି ଲୋକଙ୍କ ପାଖକୁ ଯିବ । ସେପଟେ ବିଜେଡି ଗରିବ ଗୁରୁବାଙ୍କ ଚାଉଳ କଟିବା, କେନ୍ଦ୍ର ବଜେଟ୍‌ରେ ଚାଷୀଙ୍କୁ ଅବହେଳା, ପ୍ରଧାନମନ୍ତ୍ରୀ ଆବାସ ଯୋଜାନରେ ବାକି ଥିବା ଘର ପ୍ରଦାନ, ୧୬୯ଟି ଜାତିଙ୍କୁ ଆଦିବାସୀ ମାନ୍ୟତା ଦାବି ପ୍ରସଙ୍ଗରେ ଲୋକଙ୍କ ପାଖକୁ ଯିବା ପାଇଁ ରଣନୀତି କରିଛି । ରାଜନୈତିକ ସମୀକ୍ଷକ କହିଛନ୍ତି ନିର୍ବାଚନକୁ ଆଖି ଆଗରେ ରଖି ଏ ଲଢ଼େଇ କରାଯାଉଛି ।

ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ ଆରମ୍ଭ କରିଛନ୍ତି । ଆସନ୍ତା ୧୯ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରିବାର କାର୍ଯ୍ୟକ୍ରମ ଥିବାବାଳେ ମାର୍ଚ୍ଚ ପ୍ରଥମ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଢେଙ୍କାନାଳ ଓ ଭଦ୍ରକ ସଂସଦୀୟ କ୍ଷେତ୍ର ଆସି ସଭା କରିବାର କାର୍ଯ୍ୟକ୍ରମ ରହିଛି ।